ଭୁବନେଶ୍ୱର :
ଭୁବନେଶ୍ୱରର ୟୁନିଟ୍–୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆସନ୍ତା ନଭେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ "ସୁଭଦ୍ରା ଶକ୍ତି ମେଳା-୨୦୨୫" ଆୟୋଜିତ ହେବ। ଏହି ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ସେ କହିଛନ୍ତି ଯେ ନାରୀମାନେ ଆଜି ସମସ୍ତ କ୍ଷେତ୍ରରେ ନିଜ ସାମର୍ଥ୍ୟ ଓ ସୃଜନଶୀଳତାର ପରିଚୟ ଦେଉଛନ୍ତି, ଏହି ମେଳା ତାହାକୁ ସମ୍ମାନ ଦେବାର ଉଦ୍ୟମ।
ମେଳାରେ ଓଡ଼ିଶାର ୩୦୦ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ଦେଶର ୧୧ଟି ରାଜ୍ୟର ମହିଳା ଗୋଷ୍ଠୀମାନେ ଯୋଗଦେବେ। ସେମାନେ ନିଜ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣକାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରିବେ। ମେଳାରେ ୫୦ଟି ଖାଦ୍ୟ ଷ୍ଟଲ ରହିଥିବା ବେଳେ ଦର୍ଶକମାନେ ମିଲେଟ୍ ଭିତ୍ତିକ ସ୍ଵାସ୍ଥ୍ୟକର ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ।
ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ପାଲା ଓ ଗୀତିନାଟ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପ୍ରଥମଥର ପାଇଁ ମହିଳା ଗୋଷ୍ଠୀମାନଙ୍କ ହସ୍ତତନ୍ତ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବ।
ଏହି ମେଳା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯାହା ମାଧ୍ୟମରେ ସେମାନେ ନିଜ ଉତ୍ପାଦକୁ ବିଶାଳ ବଜାର ସହିତ ସଂଯୋଗ କରି ଆତ୍ମନିର୍ଭରତା ଓ ଆର୍ଥିକ ସଶକ୍ତିକରଣ ଅର୍ଜନ କରିବେ। ଏହି ପଦକ୍ଷେପ “ବିକଶିତ ଓଡ଼ିଶା ୨୦୩୬” ସ୍ଵପ୍ନକୁ ଆହୁରି ସୁଦୃଢ କରିବ।

