କୋରାପୁଟ :-
ଉପର କୋଲାବ ଜଳ ଭଣ୍ଡାର ଯୋଗୁଁ ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳ ଅଧିବାସୀ ଭାବେ ଜୀବନ ବିତାଉଥିବା ଲମତାପୁଟ ଏବଂ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପ୍ରାୟ ୮୦ ଟି ଗ୍ରାମର ଲୋକେ ରବିବାର ଦିନ ତେନ୍ତୁଳିପୋଡ଼ାରେ ଏକ ସମାବେଶ ଅୟୋଜନ କରି କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଲାମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡ଼ା, ଉମ୍ବେଲ, ବନମାଲିପୁଟ, କୁମ୍ଭାରଗନ୍ଧଣା ପଞ୍ଚାୟତ ସମେତ ସେମିଳିଗୁଡା ବ୍ଲକର ରାଜୁପୁଟ ପଞ୍ଚାୟତର ପ୍ରାୟ ୮୦ ଟି ଗ୍ରାମର ୧ ଲକ୍ଷ ଲୋକ ପ୍ରତିଦିନ ବିଭିନ୍ନ କାମରେ କୋରାପୁଟ, ପଟ୍ଟାଙ୍ଗି,ସେମିଳିଗୁଡା, ସୁନାବେଡା ଯାଇ ଥାଆନ୍ତି, ହେଲେ କୋଲାବ ଜଳ ଭଣ୍ଡାର ଯୋଗୁଁ ଲୋକେ ମାତ୍ର ୧୦-୧୫ କିଲୋମିଟର ରାସ୍ତାକୁ ୫୦-୭୦ କିଲୋମିଟର ଯିବାକୁ ପଡ଼ିଥାଏ। ଫଳରେ ଛାତ୍ରଛାତ୍ରୀ , ରୋଗୀ ଓ ଗର୍ଭବତୀ ମହିଳା ଅନେକ ସମୟରେ ହଇରାଣ ହେଉଛନ୍ତି। ତେଣୁ ଉପର କୋଲାବ ଜଳ ଭଣ୍ଡାରର ତେନ୍ତୁଳିପୋଡ଼ା ଠାରୁ ପୋଡ଼ାଗଡ ଘାଟ ପର୍ଯ୍ୟନ୍ତ ସ୍ଥାୟୀ ପୋଲ କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଲୋକେ ଦାବୀ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଲମତାପୁଟ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣ ପାଙ୍ଗି, ଗୀତା ରାଣୀ ମହଲା,ଉମ୍ବେଲ୍, ସରପଞ୍ଚ ନବିନା ମୁଦୁଲି, ବନମାଳୀପୁଟ ସରପଞ୍ଚ ଗୋରା ଜାନି,ସମାଜସେବୀ ଚୈତନ୍ୟ ହନ୍ତାଳ, ମୁନା ଦଳପତି , ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ଷାନି,ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମଙ୍ଗରାଜ ଗୁଣ୍ଠା, ଟିକରପୋଡ଼ା ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲ,ଉମେଲ ଗ୍ରାମ ସଭାପତି ତ୍ରିନାଥ ଖରା, ଟଙ୍କଧର ବିଶୋଇ, ତ୍ରିଲୋଚନ ମୁଦୁଲି ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳବାସୀଙ୍କ ଦାବିକୁ ଯଥାର୍ଥ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଧନପତି ସୀସାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ମଞ୍ଚ ପରିଚାଳନା ଅତିଥି ସ୍ୱାଗତ ରାମ ମୁଦଦୁଲି କରିଥିଲେ।
କୋରାପୁଟ ରୁ ଭେଙ୍କାଟେସ ରାଓ ଙ୍କ ରିପୋର୍ଟ