Type Here to Get Search Results !

ହାଇକୋର୍ଟଙ୍କ ବଡ଼ ରାୟ; ବନ୍ଧୁତ୍ୱରୁ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ


କଟକ :-

ଶାରୀରିକ ସଂପର୍କକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଓଡ଼ିଶା ହାଇକୋର୍ଟ । ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବ ନାହିଁ । ଯଦି ଏ ସଂପର୍କରେ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତାହା ଗ୍ରହଣୀୟ ହେବ ନାହିଁ । ମନୋମାଳିନ୍ୟ ଘଟି ବିବାହ ପ୍ରତିଶ୍ରୁତି ହୋଇ ନ ପାରିଲେ ତାହା ଦୁଷ୍କର୍ମ ବୋଲି ମାନ୍ୟବର ହାଇକୋର୍ଟ ଦର୍ଶାଇଛନ୍ତି। 

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଦାୟର ଏକ ମାମଲାକୁ ଖାରଜ କରିବାକୁ ମନୋରଞ୍ଜନ ଦାସଙ୍କ ଆବେଦନର ରାୟ ପ୍ରକାଶ କରି ଜଷ୍ଟିସ ଆର. କେ. ପଟ୍ଟନାୟକ ଏହା କହିଛନ୍ତି । ଆବେଦନକାରୀ ମନୋରଞ୍ଜନ ଦାସଙ୍କ ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତାରୁ ବିବାହର ପ୍ରତିଶୃତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା ।

ସୂଚନାନୁଯାୟୀ ମନୋରଞ୍ଜନ ସମୃକ୍ତ ମହିଳାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ମହିଳାଙ୍କ ପୂର୍ବ ବିବାହ ବଳବତ୍ତର ରହିଥିବାରୁ ଅପେକ୍ଷା କରିବାକୁ ମହିଳା ଜଣକ କହିଥିଲେ। ନିଜ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ପାଇବା ପରେ ବିବାହ କରିବା ସମ୍ଭବ ବୋଲି ସେ କହିଥିଲେ । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ହୋଇନଥିଲେ । ଏହା ବିରୋଧରେ ମହିଳା ଜଣକ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମ୍ପ୍ଲେନ କେସ ଦାୟର କରିଥିଲେ ।

ମାମଲାର ବିଚାର କରି ମହିଳାଙ୍କ ଅଭିଯୋଗ ଆଧାରରେ ଏତଲା ୠଜୁ କରି ତଦନ୍ତ କରିବାକୁ ଲକ୍ଷ୍ମୀସାଗର ଥାନାକୁ ଭୁବନେଶ୍ୱର ଏସଡିଜେଏମ ନିର୍ଦେଶ ଦେଇଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ସହ ମନୋରଞ୍ଜନ ତାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୭ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇଥିଲେ । ପରେ ବିବାହ କରିବା ପରିବର୍ତ୍ତେ ଧମକ ଚମକ ସହ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ କରିଥିଲେ । ଏହି ମାମଲାକୁ ରଦ୍ଧ କରିବା ପାଇଁ ମନୋରଞ୍ଜନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣି କରି ଜଷ୍ଟିସ ଆର. କେ. ପଟ୍ଟନାୟକ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.