ସୁନା ଅଳଙ୍କାର ବନ୍ଧା ରଖି ଋଣ ନେଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଏପ୍ରିଲ ୧ ତାରିଖରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ନୂଆ ସୁନା ଋଣ ନିୟମ ପ୍ରବଳ ହେବାକୁ ଯାଉଛି। ଏହି ନୂଆ ନିୟମଗୁଡ଼ିକ ମାଧ୍ୟମରେ ଋଣଗ୍ରହୀତାଙ୍କ ସୁରକ୍ଷା ବଢ଼ିବା ସହ ଋଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି।
ନୂଆ ନିୟମ ଅନୁଯାୟୀ, ସୁନାର ମୂଲ୍ୟ ଉପରେ ଆଧାର କରି ଋଣ ପରିମାଣରେ ପରିବର୍ତ୍ତନ ଆଣାଯାଇଛି। ଏବେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଗ୍ରାହକମାନେ ସୁନାର ମୂଲ୍ୟର ୮୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ପାଇପାରିବେ। ସେହିପରି ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ୮୦ ପ୍ରତିଶତ ଓ ୫ ଲକ୍ଷ ଟଙ୍କାରୁ ଅଧିକ ଋଣ ପାଇଁ ୭୫ ପ୍ରତିଶତ ପର୍ଯ୍ୟନ୍ତ ଲିମିଟ ଧାର୍ଯ୍ୟ କରାଯାଇଛି। ଏହି ପରିବର୍ତ୍ତନରେ ସ୍ୱଳ୍ପ ପରିମାଣର ଋଣ ନେଉଥିବା ଲୋକଙ୍କୁ ଅଧିକ ଲାଭ ମିଳିବାକୁ ଥିବାବେଳେ, ବଡ଼ ରାଶିର ଋଣରେ ରିସ୍କ କମେଇବା ପାଇଁ ଏହାକୁ ଲାଗୁ କରାଯାଇଛି।
ଏହାସହିତ, ଋଣ ପରିଶୋଧ ପରେ ବନ୍ଧକ ରଖାଯାଇଥିବା ସୁନାକୁ ଗ୍ରାହକଙ୍କୁ ସତ୍ୱର ଫେରସ୍ତ କରିବାକୁ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୭ କାର୍ଯ୍ୟଦିନ ମଧ୍ୟରେ ସୁନା ଫେରତ ଦେବାକୁ ପଡିବ। ବିଳମ୍ବ ହେଲେ ପ୍ରତିଦିନ ଦଣ୍ଡ ଦେବାକୁ ପଡିବ ବୋଲି ନିୟମରେ ସ୍ପଷ୍ଟ କରାଯାଇଛି। ନୂଆ ନିୟମର ଅନ୍ୟତମ ମୁଖ୍ୟ ପାଇଣ୍ଟ ହେଉଛି ସ୍ୱଚ୍ଛତା। ଏବେ ଋଣ ନେବା ପୂର୍ବରୁ ସୁଧ ହାର, ପ୍ରସେସିଂ ଫି, ଲୁକାଇଥିବା ଚାର୍ଜ ଓ ଜରିମାନା ସମେତ ସମସ୍ତ ଖର୍ଚ୍ଚ ସ୍ପଷ୍ଟ ଭାବରେ ଗ୍ରାହକଙ୍କୁ ଜଣାଇବା ଅନିବାର୍ୟ କରାଯାଇଛି। ଏହା ସହ ଡିଫଲ୍ଟ ମାମଲାରେ ସୁନା ନିଲାମ ପ୍ରକ୍ରିୟାକୁ ମଧ୍ୟ ସଂଗଠିତ ଓ ସ୍ୱଚ୍ଛ କରାଯାଇଛି। ନିଲାମ ପୂର୍ବରୁ ଗ୍ରାହକଙ୍କୁ ପ୍ରୟାପ୍ତ ସମୟ ଓ ସୂଚନା ଦେବାକୁ ନିୟମରେ ଉଲ୍ଲେଖ ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ନୂଆ ନିୟମ ଦ୍ୱାରା ଗ୍ରାହକଙ୍କ ଅଧିକାର ସୁରକ୍ଷିତ ହେବ ଓ ଅନୁଚିତ ଚାର୍ଜ ଓ ଅସ୍ପଷ୍ଟ ପ୍ରକ୍ରିୟାରେ ରୋକ ଲାଗିବ।

