କେରଳ :-
ସାମ୍ବାଦିକଙ୍କ ଫୋନ୍ ଜବତ କରିପାରିବନି ପୋଲିସ । ଯଦି ଅପରାଧିକ ମାମଲାରେ ମୋବାଇଲ୍ ଫୋନ ଆବଶ୍ୟକ ହୁଏ, ତେବେ ଏଥିପାଇଁ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଏନେଇ ସଫା ସଫା ଶୁଣାଇ ଦେଇଛନ୍ତି କେରଳ ହାଇକୋର୍ଟ । ରାଜ୍ୟ ପୋଲିସର ମୋବାଇଲ୍ ଫୋନ୍ ଜବତ କରିବା ବିରୋଧରେ ଜଣେ ସାମ୍ବାଦିକଙ୍କ ଆବେଦନର ଶୁଣାଣି କରି ଏପରି କହିଛନ୍ତି କୋର୍ଟ ।
ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ ମାରୁନାଦନ ମାଲାୟାଲୀର ଶଜନ ସ୍କାରିଆ ସଂପାଦକଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ପୋଲିସ୍ ନିର୍ଯ୍ୟାତନା ଅଭିଯୋଗରେ ଦୈନିକ ଖବର କାଗଜର ଜଣେ ବରିଷ୍ଠ ସାମ୍ୱାଦିକ ଜି ବିଶାଖାନ୍ ଙ୍କ ଫୋନ୍ ଜବତ କରିଥିଲା ପୋଲିସ ।
ଯାହାକୁ ନେଇ ଜି ବିଶାଖାନ୍ କୋର୍ଟରେ ଏକ ପିଟିସିନ ଦାଖଲ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ପୋଲିସ ଅଧିକାରୀମାନେ ତାଙ୍କ ଘରେ ପସି ବେଆଇନ ଭାବରେ ଖୋଜା ଖୋଜି କରିଥିଲେ । ଏହାପରେ ତାଙ୍କ ମୋବାଇଲ ଫୋନ ଜବତ କରିଥିଲେ । ହେଲେ ତାଙ୍କ ବିରୋଧରେ କିଛି ପ୍ରମାଣ ମିଳିନାହିଁ ।
ହେଲେ ବିନା କୌଣସି ତଥ୍ୟ ପ୍ରମାଣରେ, ବିନା କୌଣସି ସରକାରୀ ଦସ୍ତାବିଜରେ ଜଣେ ସାମ୍ବାଦିକଙ୍କ ଫୋନ ଜବତ କରିବା କେତେ ଯୁକ୍ତି ଯୁକ୍ତ । ଏନେି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।
ଏହାର ଶୁଣାଣି କରି ଜଜ୍ କୁନହିକ୍ରିଷ୍ଣନ୍ କହିଛନ୍ତି ଯେ, ପୋଲିସ ସାମ୍ବାଦିକଙ୍କ ଫୋନ ଜବତ କରିପାରିବ ନାହିଁ । ଯଦି ଘଟଣା ସହ ତାଙ୍କ ଫୋନର କିଛି ସାମଞ୍ଜସ୍ୟ ଥାଏ ତେବେ ଏଥିପାଇଁ ପୋଲିସକୁ ଆଇନଗତ ପ୍ରକ୍ରିୟାରେ ଯିବାକୁ ପଡିବ । ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭ । ସାମ୍ବାଦିକଙ୍କ ଫୋନରେ ଅନେକ ତଥ୍ୟ ଥାଏ । ଯଦିଓ ତାଙ୍କୁ କୌଣସି ଅପରାଧ ବିଷୟରେ ସମ୍ୟକ୍ ସୂଚନା ଥାଏ ତା ମାନେ ନୁହେଁ ଯେ ତାଙ୍କ ମୋବାଇଲ ଫୋନ୍ ପୋଲିସ ଜବତ କରିବ ।

