ଭୁବନେଶ୍ୱର :-
ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି। ପ୍ରଥମ ଫିଲ୍ଟର ଭାବରେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ କରିଛି। ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତ୍ରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗ ଦେବା ପାଇଁ ଅନଲାଇନରେ ୧୬ଫେବୃଆରୀ ୨୦୨୩ରୁ ୧୫ମାର୍ଚ୍ଚ ୨୦୨୩ ମଧ୍ୟରେ www. joinindianarmy.nic. in ୱେବସାଇଟରେ ଆବେଦନ କରିପାରିବେ। ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡିଓ ଉପରୋକ୍ତ ୱେବସାଇଟରେ ଉପଲବ୍ଧ।
ଚଳିତ ବର୍ଷ ଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଆଶାୟୀ କମ୍ପୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ସେଥି ପାଇଁ ପ୍ରତ୍ୟେକ ଆଶାୟୀ ଅନଲାଇନରେ ୨୫୦ଟଙ୍କା ଫି ଦେବାକୁ ପଡ଼ିବ। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ୧୭ଏପ୍ରିଲ ୨୦୨୩ରୁ ୪ମେ' ୨୦୨୩ ମଧ୍ୟରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଆଶାୟୀଙ୍କ ସହାୟତା ନିମନ୍ତେ କମ୍ପୁଟର ଆଧାରିତ ଅଭ୍ୟାସ ପରୀକ୍ଷା ୱେବସାଇଟରେ ଉପଲବ୍ଧ।
ଭାରତୀୟ ସେନାରେ ଅଗ୍ନିପଥ ନିଯୁକ୍ତି ନିମନ୍ତେ ଅଗ୍ନିପଥ ଯୋଜନା ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଓଡ଼ିଶାର ବହୁ ଯୁବଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ଅଗ୍ନିବୀର ପ୍ରଥମ ବ୍ୟାଚ ୧ଜାନୁଆରୀ ୨୦୨୩ରୁ ବିଭିନ୍ନ ସେନା ତାଲିମ କେନ୍ଦ୍ରରେ ତାଲିମରତ ଅଛନ୍ତି। ଦ୍ଵିତୀୟ ବ୍ୟାଚ ତାଲିମ ୧ମାର୍ଚ୍ଚ ୨୦୨୩ଠାରୁ ଆରମ୍ଭ ହେବ। ବିଭିନ୍ନ ଶିକ୍ଷାନୁଷ୍ଠାନରେ କରାଯାଉଥିବା କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟକ ଆଶାୟୀ ଭାରତୀୟ ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ୟୁରୋ ରିପୋର୍ଟ

