Type Here to Get Search Results !

ମହିଳାଙ୍କ ଆତ୍ମହତ୍ୟା ଘଟଣା,ମହିଳାଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ; ସ୍ୱାମୀ ଅଟକ


ବ୍ରହ୍ମପୁର :-

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିଗମନଗର ପଞ୍ଚମ ଲାଇନରେ ଭଡା ଘରେ ରହୁଥିବା ମହିଳା ସାଗରିକା ଗୌଡ ରବିବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ହେଲେ ପୁଲିସର ପ୍ରାଥମିକ ତଦନ୍ତ ପରେ ସାଗରିକାଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ ଉପୁଜିଛି । ସାଗରିକାଙ୍କ ବେକରେ କୌଣସି ଦାଗ ନଥିବା ବେଳେ ପାରିପାର୍ଶିକ ପରିସ୍ଥିତି ମଧ୍ୟ ବିଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି । ଆଜି ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ଏସ୍ଆଇ ବିଭୂତି ଭୂଷଣ ସେଠୀ ଘଟଣା ସ୍ଥଳେ ପହଞ୍ଚି ପଡୋଶୀଙ୍କୁ ପଚାରାଉଚରା କରି ଫେରିଥିବା ବେଳେ ମାଜିଷ୍ଟ୍ରେଟ ଓ ସାଗରିକାଙ୍କ ବାପଘର ଲୋକଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଏମକେସିଜିକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣାର ଖୁଲାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପଟେ ମହିଳାଙ୍କ ଭାଇ ସୁନୀଲ ଗୌଡ଼ ଏହି ଘଟଣା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଭଉଣୀଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ନାଁରେ ବୈଦ୍ୟନାଥପୁରରେ ଅଭିଯୋଗ କରିଛନ୍ତି । ମୃତ ସାଗରିକା ଓ ଜିତେନ୍ଦ୍ର ୨୦୨୧ ମସିହାରେ ବିବାହ କରିଥିଲେ । ଏହି ସମୟରେ ଯୌତୁକ ବାବଦକୁ ୭୫ହଜାର,୧୦ଗ୍ରାମର ସୁନା ମୁଦି,୧୦ଗ୍ରାମର ସୁନାର ଚେଇନ ସହ ଅନ୍ୟାନ୍ୟ ଘରକରଣା ଜିନିଷ ଦିଆଯାଇଥିଲା । ବିବାହର କିଛି ଦିନ ପରେ ଶାଶୁ ଘର ଲୋକେ ଭଉଣୀ ସାଗରିକାଙ୍କୁ ଅଧିକ ଟଙ୍କା ବାପାମାଆଙ୍କୁ ଦେବାକୁ କହ କହି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ସାଗରିକା ଏ ନେଇ ନିଜ ବାପାମାଆଙ୍କୁ ଜଣାଇଥିଲେ । ସେହିକ୍ରମେ ସାବିତ୍ରୀ ଅମାବାସ୍ୟାରେ ଜ୍ୱାଇଁଙ୍କୁ ୧ଲକ୍ଷ ଟଙ୍କା ସହ ସହିତ ପ୍ରଥମ ଯୋଗାଡ଼ ପ୍ରାୟ ୨୦ହଜାର ଟଙ୍କା ଦିଆଯାଇଥିଲା । ଏହା ପରେ ମଧ୍ୟ ଶାଶୂ ଘର ଲୋକେ ଭଉଣୀ ସାଗରିକାଙ୍କୁ ମାରପିଟ କରୁଥିଲେ । ଏବଂ ଯୌତୁକ ବାବଦକୁ ଆଉ ଦୁଇ ଲକ୍ଷ ଟଙ୍କା ମାଗିବାକୁ କହୁଥିଲେ । ଏହା ଜାଣିବା ପରେ ମୁଁ ଏବଂ ଆମ ଘର ଲୋକେ କିଛି ଦିନ ତଳେ ଭଉଣୀର ଶାଶୁ ଘରକୁ ଯାଇ ବୁଝାସୁଝା କରି ଫେରିଥିଲୁ । କିନ୍ତୁ ଗତ ୨୮ତାରିଖରେ ଜ୍ୱାଇଁ ଜିତେନ୍ଦ୍ର ଗୌଡ଼ ଆମ ଘରକୁ ଫୋନ ମାଧ୍ୟମରେ ଜଣାଇଲେ ଯେ, ତୁମ ଝିଅ ମରିଗଲା । ଖବର ପାଇ ମୁଁ ଏବଂ ଘର ଲୋକ ଘଟଣା ସ୍ଥଳେ ପହଞ୍ଚଥିଲୁ । ପରେ ଝିଅ ସାଗରିକାକୁ ଦେଖି ମା ମୂର୍ଚ୍ଛା ହୋଇ ପଡିଯାଇଥିଲେ । ଏହି ସମୟରେ ଭଉଣୀର ଶାଶୁ,ଶ୍ୱଶୁର, ଦେଢଶୁର ମୋତେ କହିଲେ କି ତୋ ଭଉଣୀ ନିଜେ ଆତ୍ମହତ୍ୟା କରିଛି । ଏହା ଶୁଣିବା ପରେ ଆମକୁ ସନ୍ଧେହ ହେଲା କି ଯୌତୁକ ନିର୍ଯ୍ୟାତନାରେ ମୋ ଭଉଣୀଙ୍କୁ ଜ୍ୱାଇଁ ଓ ତାଙ୍କ ପରିବାର ଲୋକେ ମିଶି ମାରି ଦେଇଛନ୍ତି । ଏ ନେଇ ମୃତ ସାଗରିକାଙ୍କ ଭାଇ ସୁନୀଲବୈଦ୍ୟନାଥପୁର ଥାନାରେ ଅଭିଯୋଗ କରି ଉପରୋକ୍ତ ସମସ୍ତ କଥାକୁ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ସ୍ତ୍ରୀ ସାଗରିକା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରି ଦେଇଛନ୍ତି ବୋଲି ସ୍ୱାମୀ ଜିତେନ୍ଦ୍ର ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ । ପୁଲିସ ଜିତେନ୍ଦ୍ରଙ୍କ ଘରେ ପହଞ୍ଚିବା ପୂର୍ବରୁ ସାଗରିକାଙ୍କ ଶବ ଝୁଲି ରହିବା ବଦଳରେ ତତଳେ ରହିଥିଲା । ଯାହା ଜିତେନ୍ଦ୍ରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲା । ଏବେ ପୁଲିସ ଜିତେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ବ୍ରହ୍ମପୁର ରୁ କେ ନୀଳକଣ୍ଠ ରେଡ୍ଡୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.