ବ୍ରହ୍ମପୁର :-
ହତ୍ୟା ଧମକ ସହ ଲୁଟର ଶିକାର ହେଲେ ଜଣେ ଆଇନଜୀବୀ । ଦୁର୍ବୃତ୍ତମାନେ ଆଇନଜୀବୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାମଲା ନଲଢିବାକୁ ଧମକ ଦେବା ସହ ତାଙ୍କ ସୁନା ଚେନ ଲୁଟ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ନେଇ ଆଇନଜୀବୀ ଅମୀୟ କୁମାର ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।ମିଳିଥିବା ସୂଚନାପ୍ରକାରେ, ଗଞ୍ଜାମ ଓକିଲ ସଂଘର ଆଇନଜୀବୀ ଅମୀୟ କୁମାର ପଣ୍ଡା ଶ୍ରମିକଙ୍କ ପକ୍ଷରୁ ଏକ ମାମଲା ପରିଚାଳନା କରୁଛନ୍ତି ।ସେହି ମାମଲା ହାଇକୋର୍ଟରୁ ବର୍ତ୍ତମାନ ଯାଏଁ ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ସେହି ମାମଲାର ବିପକ୍ଷ ଗୋଷ୍ଠୀମାନେ ହିଁ ଆଇନଜୀବୀ ଅମୀୟଙ୍କୁ ହତ୍ୟା ଧମକ ଦେଇଥିବା କୁହାଯାଉଛି । ଆଜି ସନ୍ଧ୍ୟାରେ ଅମୀୟ ଘରକୁ ଫେରୁଥିବା ବେଳେ ସିଦ୍ଧାର୍ଥନଗର ଛକଠାରେ ଏକାଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ।ଏହାପରେ ଦୁର୍ବତ୍ତମାନେ ନିଜ ସାଙ୍ଗରେ ଆଣିଥିବା ଏକ ବନ୍ଧୁକ ଆଇନଜୀବୀଙ୍କ ମୁଣ୍ଡରେ ଲଗାଇ ତାଙ୍କୁ ମାମଲାରୁ ହଟିଯିବାକୁ ଧମକ ଦେଇ ତାଙ୍କ ବେକରୁ ସୁନା ଚେନଟିକୁ ଲୁଟ କରି ଘଟଣାର ସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ନେଇ ଆଇନଜୀବୀ ଜଣକ ବୈଦ୍ୟନାଥପୁର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି । ବ୍ରହ୍ମପୁର ରୁ କେ. ନୀଳକଣ୍ଠ ରେଡ୍ଡୀ ଙ୍କ ରିପୋର୍ଟ

