ବରଗଡ :-
ଇଂରେଜ ଶାସନ ରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ଯାଗ୍ରହ ଆନ୍ଦୋଳନ ସାରାଦେଶ ରେ ଚଲାଇଥିଲେ ସେହି ' ସତ୍ଯାଗ୍ରହ ' କୁ ପାଥେୟ କରି ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତ ରୁ ବାଲକୋ ର ଖଣି ପ୍ରକଳ୍ପ କୁ ବାତିଲ କରିବାରେ ଗନ୍ଧମାର୍ଦ୍ଦନର ସୁରକ୍ଷା ଯୁବ ପରିଷଦ ସଫଳ ହୋଇଥିଲା ବୋଲି ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସର ରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦୁର୍ଯ୍ଯୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିବା ବେଳେ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ଯ ଅର୍ପଣ କଲାପରେ ପରିଷଦର ପୂର୍ବତନ ଆବାହକ ଶ୍ରୀ ରାହାସ ବିହାରୀ ସାହୁଙ୍କ ସଂଚାଳନ ରେ " ରଘୁପତି ରାଘବ ରାଜାରାମ " ଗୀତ ଗାନ କରି ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା । ଗନ୍ଧମାର୍ଦ୍ଦନ ପର୍ବତରେ ବକ ସାଇଟ ଉତ୍ତୋଳନ ପାଇଁ ବାଳକୋ କୁ ୪୭ ବର୍ଷର ଖଣି ପଟା ପ୍ରଦାନ କରିବା ପରେ ଗନ୍ଧମାର୍ଦ୍ଦନ ରେ ଖଣି ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ବାଲକୋ ନିଜସ୍ବ ଟାଉନସିପ,ରୂପେୱେ,ଲଖନା ରୁ ମନଭଙ୍ଗ ପର୍ଯ୍ୟନ୍ତ ରେଲ ୱେ ଲାଇନ କାର୍ଯ୍ଯକୁ ତ୍ବରାନ୍ବିତ କରୁଥିବା ବେଳେ ଗନ୍ଧମାର୍ଦ୍ଦନରେ ଖଣି ପ୍ରକଳ୍ପ ଦ୍ବାରା ପ୍ରାକୃତିକ ପରିବେଶ,ଜୈବ ବିବିଧତା,ଝରଣା,ନଦୀ,ତୀର୍ଥକ୍ଷେତ୍ର ଆଦି ଧ୍ବଂସ ପାଇ ଯିବାର ସମ୍ଭାବନା ଥିବାରୁ ବାଳକୋ ବିରୋଧ ରେ ଏକ ଜନ ଆନ୍ଦୋଳନ ର ସୂତ୍ରପାତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଦର୍ଶିତ ଅହିଂସା ଓ ସତ୍ଯାଗ୍ରହ ଆନ୍ଦୋଳନ ର ନେତୃତ୍ବ ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନ ରେ ସଫଳତା ଲାଭ କରିଥିଲା ବୋଲି ବିଭିନ୍ନ ବକ୍ତା ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଦେଶ ସ୍ବାଧୀନତା ପରବର୍ତ୍ତି ସମୟରେ ଦେଶରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷା ର ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ ଭାବେ ଆଜି ପରିଚିତ ହୋଇଛି । ୫୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ତ୍ବେ ବାଳକୋ ର ଖଣି ପ୍ରକଳ୍ପ କୁ ଜନ ଆନ୍ଦୋଳନର ଚାପରେ ସରକାର ବାତିଲ କରି ଦେବାକୁ ବାଧ୍ଯ ହୋଇଥିଲେ । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ବରିଷ୍ଠ ନେତୃ ମଣ୍ତଳୀ ସର୍ବଶ୍ରୀ ଡୋଲାମଣି ପାଣ୍ତେ,ଜଗଦିଶ ଲୁହାର,ଧିରେନ ମହାନ୍ତି,ହୃଷିକେଶ ସାହୁ,ଡୋଲାମଣି ପାତ୍ର,ପ୍ରତିକ ସାହୁ,ଦିଲ୍ଲୀପ ବେହେରା,ରାଜେନ୍ଦ୍ର ସେଠ,ବିଦ୍ୟାଧର ସାହୁ,ପଙ୍କଜ ସାହୁ,ଶ୍ରୀମତୀ ସୁବାସିନୀ ସାହୁ ଆଦି ଆଜିର ଦିନରେ ଗାନ୍ଧୀଜୀଙ୍କ ବିଚାର ର ପ୍ରାସଙ୍ଗିତା ଉପରେ ନିଜ ନିଜର ମତବ୍ୟକ୍ତ ରହିଥିଲେ ।

