ବଲାଙ୍ଗିର :-
ଆଜି ପୂର୍ବାହ୍ନ ରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହ। ବ୍ଲକ ର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁମିଆପାଲି ଗ୍ରାମ ଠାରେ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଚଞ୍ଚଳ ରାଣା ,ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର , ବଲାଙ୍ଗିର ଉପଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ସ୍ଵତନ୍ତ୍ର ଭୂ –ଅର୍ଜନ ଅଧିକାରୀ କୁମାର ନାଗଭୂଷଣ ,ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ ,ଲୋଇସିଂହ। ତହସିଲଦାର ସଙ୍ଘମିତ୍ରା କାଲୋ ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ଜୋନ ଅଫିସର ନୂତନ ସେଠ ,ମନୋଜ ପାଣିଗ୍ରାହୀ , ଚକାମନ ପାତ୍ର ,ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କୁମିଆପାଲି ଗ୍ରାମର ଚିହ୍ନଟ ହୋଇଥିବା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଗ୍ରାମବାସୀ ତଥା ଅନ୍ୟ ଗ୍ରାମବାସୀ ମାନେ ଯୋଗଦେଇଥିଲେ । ଜମି ଅଧିଗ୍ରହଣ ,କ୍ଷତି ପୂରଣ ରାଶି ପ୍ରଦାନ ଇତ୍ୟାଦି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଗ୍ରାମବାସୀ ଙ୍କୁ ସବିଶେଷ ବୁଝାଇଥିଲେ । ଜନ ଶୁଣାଣୀ ରେ ଗ୍ରାମବାସୀ ମାନେ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣୀ କରିବା ସହ ଆଇନ ଅନୁସାରେ ତର୍ଜମା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗ୍ରାମବାସୀ ମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜନ ଶୁଣାଣୀ କାର୍ଯ୍ୟକ୍ରମ କୁ ଶୋଭାଯାତ୍ରା ରେ ଆସି କିଛି ଲୋକ ସେମାନଙ୍କର ଦାବି ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ଆଇନ ସମ୍ମତ ଦାବି ଗୁଡିକ ସମ୍ପର୍କରେ ବିଚାର କରି ସମାଧାନ କରାଯିବ ଓ ଆଲୋଚାନା ଜରିଆରେ ସମସ୍ୟା ଗୁଡିକର ସମାଧାନ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅନୁସୂଚିତ ଜନଜାତି ସମୁଦାୟ ଙ୍କ ଜୀବନ ଜୀବିକା ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ସର୍ଭେ ଓ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସହଯୋଗ କରି ଯଥାଶୀଘ୍ର ନିଜ ନିଜର ନ୍ୟାୟୋଚିତ ପ୍ରାପ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

