ଚମ୍ପୁଆ :-
ଆଜିଠାରୁ ଚମ୍ପୁଆ ରୁ ଏକ ଭୋଟର ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି। ଆଜି ଉପ ଜିଲ୍ଲାପାଳଙ୍କ ଅଫିସ ରୁ ଏହି ଭୋଟର ସଚେତନତା ରଥ କୁ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଶ୍ୱେତପଦ୍ମା ଧଳ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର୍ କୁମାର ଦେଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁସାରେ ଏହି ଭୋଟର ସଚେତନତା ରଥ ୩ ଦିନ ଧରି ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଓ ପାଟନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗାଁ ଗଣ୍ଡା ରେ ବୁଲି ବୁଲି ଭୋଟର ମାନଙ୍କୁ ନିଜର ଭୋଟ ପରିଚୟ ପତ୍ର କୁ ଆଧାର କାର୍ଡ ସହିତ କିପରି ଯୋଡ଼ି ପାରିବେ ଓ ନିଜର ଭୋଟ ପରିଚୟ ପତ୍ର ରେ ଥିବା ଭୁଲ କୁ କିପରି ସଂଶୋଧନ କରିବା ସହିତ ନୂଆ ଭୋଟର ମାନେ କିପରି ନିଜ ର ନାଁ କୁ ଭୋଟର ତାଲିକାରେ ଯୋଡ଼ି ପାରିବେ ସେ ନେଇ ସଚେତନତା ସୃଷ୍ଟି କରିବ। ଜଣେ ଭୋଟର ଚାହିଁଲେ ନିଜେ ମୋବାଇଲ ଆପ ଦ୍ଵାରା ନିଜ ଭୋଟର କାର୍ଡ କୁ ଆଧାର ସହିତ ସଂଯୋଗ କରିପାରିବେ ଅଥବା ସେ www.voterportal.eci.gov.in କିମ୍ବା www.nvsp.in ଲୋଗ ଇନ କରି ମଧ୍ୟ ନିଜ ଭୋଟ ପରିଚୟ ପତ୍ର କୁ ଆଧାର ସହିତ ଯୋଡ଼ି ପାରିବେ। ଭୋଟର ଙ୍କ ସହାୟତା ପାଇଁ ଏକ ଟୋଲ ଫ୍ରୀ ନଂ ୧୯୫୦ ଜାରି କରାଯାଇଛି। ଏବେ ଯୁବ ବର୍ଗ ଙ୍କୁ ସହଜରେ ନିଜ ନାଁ କୁ ଭୋଟର ତାଲିକା ରେ ଯୋଡ଼ି ପାରିବା ସହିତ ଆବଶ୍ୟକ ସ୍ଥଳେ ସହଜରେ ସଂଶୋଧନ ମଧ୍ୟ କରି ପାରିବେ। ଏଥିପାଇଁ ପ୍ରତି ବର୍ଷ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ଏପରି ୪ ଥର ସୁଯୋଗ ଦିଆଯିବ। ଏବେ ନୂଆ ଭୋଟର ପାଇଁ ଫର୍ମ ନଂ ୬, ନାମ ବାଦ ଦେବା ପାଇଁ ଫର୍ମ ନଂ ୭, ଆଧାର ସହିତ ନିଜ ଭୋଟ ପରିଚୟ ପତ୍ର ସଂଯୋଗ ପାଇଁ ଫର୍ମ ୬ଖ ଓ ଭୋଟର ତାଲିକା ସଂଶୋଧନ ବା ଭୋଟର କାର୍ଡ ରେ ପରିବର୍ତ୍ତନ ପାଇଁ ଫର୍ମ ନଂ ୮ କୁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠି ଙ୍କ ରିପୋର୍ଟ