ଲଖନପୁର :-
୨୦୨୫ ମସିହା ଅଗଷ୍ଟ ୨୧ ତାରିଖ ଗୁରୁବାର ଦିନ ଲଖନପୁର ସ୍ଥିତ ସମଲେଶ୍ଵରୀ ମନ୍ଦିରରେ ମା'ଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏହି ଘଟଣା ପ୍ରଚାରିତ ହେବା ପରେ ଦେବୀଙ୍କ ପାଦ ଚିହ୍ନ ଦେଖିବାକୁ ଦିନସାରା ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଛି। ସୂଚନା ଅନୁଯାୟୀ ସମଲେଶ୍ବରୀ ମନ୍ଦିରର ପୂଜକ ଗଗନ ନାଏକ ପ୍ରତିଦିନ ପରି ବୁଧବାର ସନ୍ଧ୍ୟାରେ ମଧ୍ୟ ମା ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ତେବେ ଗୁରୁବାର ସକାଳେ ମା'ଙ୍କ ପୂଜାର୍ଚ୍ଚନା ପାଇଁ ସମଲେଇ ମନ୍ଦିରର ଗର୍ଭ ଗୃହ ଖୋଳିବା ପରେ ଦେବୀଙ୍କ ପ୍ରତିମା ତଳେ ତଥା ଗର୍ଭ ଗୃହର ପାହାଚ ଓ ଗର୍ଭ ଗୃହ ବାହାରେ ଥିବା ଚଟାଣ ସମେତ ତିନୋଟି ସ୍ଥଲରେ ସିନ୍ଦୂର ବର୍ଣ୍ଣର ଯୋଡ଼ି ପାଦ ଚିହ୍ନ ଦେଖି ଆଶ୍ଚର୍ଯ୍ୟ ହେବା ସହ ଗ୍ରାମବାସୀଙ୍କୁ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ତିନୋଟି ଯାକ ଯୋଡ଼ି ପାଦଚିହ୍ନ ସ୍ଵାଭାବିକ ଭାବେ ମହିଳାଙ୍କ ପାଦ ଚିହ୍ନ ଭଳି ଦେଖା ଯାଉଥିବାରୁ ଏହା ସମଲେଶ୍ୱରୀ ଦେବୀଙ୍କ ପାଦ ଚିହ୍ନ ଏବଂ ମା ସମଲେଶ୍ଵରୀ ରାତିରେ ଗ୍ରାମ ପରିକ୍ରମା ପାଇଁ ବାହାରିଥିବା ବେଳେ ହୁଏତ ମା'ଙ୍କ ଏଭଳି ପାଦ ଚିହ୍ନ ପଡ଼ିଛି ବୋଳି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦୃଢ଼ ଆସ୍ଥା ରହିଛି। ଏପରିକି ପୂଜକ ଗଗନ ନାଏକ ଏ ସମ୍ପର୍କରେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ପୂଜାରୀଙ୍କୁ ସୂଚନା ଦେବା ପରେ ଏଭଳି ଅଲୌକିକ ଘଟଣା ସମୟ ସମୟରେ ଦେବୀ ପୀଠରେ ହୋଇଥାଏ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ୧୮୯୨ ମସିହାରେ ତତ୍କାଳୀନ ସମ୍ବଲପୁର ରାଜା ଲଖନପୁର ଗାଁରେ ମା ସମଲେଇଙ୍କୁ ସ୍ଥାପନ କରି ତତ୍କାଳୀନ ଗୌନ୍ତିଆଙ୍କୁ ଦେବୀଙ୍କ ପୂଜାର୍ଚ୍ଚନାର ଦାୟିତ୍ଵ ଅର୍ପଣ କରିଥିଲେ। ସେହି ବର୍ଷରୁ ଗାଁ ମୁଣ୍ଡରେ ଥିବା ଦେମୂଳରେ ଗ୍ରାମପତି, ମା ସମଲେଇ, ବଡ଼ ଦେ ଓ ପହରିଆ ପାଟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଠାରେ ବର୍ଷକୁ ଦୁଇ ଥର ପୁଜେଇ ପର୍ବ ପାଳନ କରାଯାଏ। ଭଲ ଫସଲ ଅମଳ ଓ ଗାଁର ସମୃଦ୍ଧି କାମନା କରି ଶ୍ରାବଣ ମାସ ଶୁକ୍ଳପକ୍ଷ ମଙ୍ଗଳବାର କିମ୍ବା ଶନିବାର କାଦୋଯୁବା ପୂଜା କରାଯାଏ। ସେହିପରି ହିଂସ୍ରଜନ୍ତୁଙ୍କ କବଳରୁ ଗାଁ ଲୋକଙ୍କ ରକ୍ଷା ପାଇଁ ପୌଷ ମାସ ଶୁକ୍ଳପକ୍ଷ ମଙ୍ଗଳବାର କିମ୍ବା ଶନିବାର ଖଳପୂଜା ମାଧ୍ୟମରେ ଦେବାଦେବୀଙ୍କୁ ପୂଜା କରାଯାଏ। ଏହି ପୀଠରେ ନୂଆଁଖାଇରେ ସ୍ୱତନ୍ତ୍ର ପୂଜା କରାଯାଉଥିବା ବେଳେ ଚୈତ୍ର ଓ ଆଶ୍ୱିନ ମାସରେ ଦେବୀଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ସମୟକ୍ରମେ ଓଡିଶା ସରକାରଙ୍କ ଦେବୋତ୍ତର ବିଭାଗ ଦ୍ଵାରା ଗଠିତ ମାଁ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ଼ ତିନି ଦଶନ୍ଧିରୁ ଏହି ପୀଠର ସମସ୍ତ କାର୍ଯ୍ୟ ପରିଚାଳନା କରୁଛି।