ଛେଣ୍ଡିପଦା :-
ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ କୋଭିଡ ସେଣ୍ଟର ଖୋଲାଯାଇଛି । ତେବେ ଏହି ପଞ୍ଚାୟତ ଇଲାକାରେ କରୋନା ମହାମାରୀ ସଂକ୍ରମଣ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ର ଅର୍ଥାତ୍ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା କୋଭିଡ ସେଣ୍ଟର ଠାରେ ରହିବା ବ୍ୟବସ୍ଥା କରାଯାଇଛି । ତେବେ ଏହି ସେଣ୍ଟର୍ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଛି । ଏଥିରେ ପ୍ରାୟ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ଉଭୟ ମହିଳା ଓ ପୁରୁଷ ରହିଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ଜଣାପଡିଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ଓ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅବଶିଷ୍ଟ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ମହିଳା ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ଅପରପକ୍ଷରେ ଏହି ଅନ୍ତେବାସୀ ମାନଙ୍କୁ ପ୍ରତ୍ୟହ ଦୁଇ ବେଳା ରନ୍ଧା ଖାଦ୍ୟ ପ୍ରଦାନ କରାଯାଉ । ବିଶେଷ କରି ମାଛକୁଟା ରୁଗୁଡିସାହି ନେତାଜୀ କ୍ଲବ୍ ପକ୍ଷରୁ ନିୟମିତ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ମାସ୍କ ,ସାନିଟାଇଜର , ସାବୁନ ସାଙ୍ଗକୁ ଶୁଖିଲା ଖାଦ୍ୟ ପଦାର୍ଥ ମଧ୍ୟ ବଣ୍ଟନ କରାଯାଉଥିବା ଜଣାପଡିଛି । ଏପରିକି ଏହି କାର୍ଯ୍ୟକ୍ରମରେ ବହୁ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।ଏହା ଏକ ପ୍ରକାର ଆଦର୍ଶ କୋଭିଡ ସେଣ୍ଟର । ଗ୍ରାମବାସୀ ତଥା କ୍ଲବ ସଦସ୍ୟ ମାନଙ୍କ ଇଛାଶକ୍ତି ଯୋଗୁଁ ପ୍ରଶାସନ ଉପରେ ନିର୍ଭର ନକରି ଏହି କେନ୍ଦ୍ର ପରିଚାଳନା କରାଯାଉଥିବା ନେଇ ସାଧାରଣରେ ଭୂୟଶୀ ପ୍ରଶଂସା କରାଯାଇଛି । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

