ଭୁବନେଶ୍ୱର : -
କରୋନା ମହାମାରୀର ଦ୍ୱିତୀୟ ଲହରରେ ସମଗ୍ର ରାଜ୍ୟରେ ସଂକ୍ରମଣର ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଭୁବନେଶ୍ୱର- କଟକରେ ମଧ୍ୟ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି । ଏହି ଘଡ଼ିସନ୍ଧି ମୂହୂର୍ତରେ କୋଭିଡ ଆକ୍ରାନ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଓ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ପକ୍ଷରୁ ଦୈତ୍ୱ ଜିଲ୍ଲା କଂଗ୍ରେସ ମାଧ୍ୟମରେ ନିଶୁଳ୍କ ଭିଟାମିନ ଟ୍ୟାବଲେଟ ବଂଟନ କରାଯିବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କୋଭିଡ କଂଟ୍ରୋଲରୁମର ସଦସ୍ୟ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋଭିଡ କଂଟ୍ରୋଲରୁମ ଇନଚାର୍ଯ ଶ୍ରୀ ସୁବ୍ରତ ମହାପାତ୍ର କହିଥିଲେ । ଏହି କୋଭିଡ ମହାମାରୀ ସମୟରେ କଂଗ୍ରେସ ଦଳ କୋଭିଡ କଂଟ୍ରୋଲ ରୁମ ଜରିଆରେ ସାଧାରଣ ଲୋକଙ୍କୁ ସେବା, ସହଯୋଗ ଓ ସୂଚନା ଯୋଗାଇ ଦେଉଥିବା ବେଳେ, ଭୁବନେଶ୍ୱର ଓ କଟକ ମ୍ୟୁନିସପାଲଟି ଏରିଆରେ ହୋମ କ୍ୱାରେନଣ୍ଟାଇନରେ ଥିବା କୋଭିଡ ଆକ୍ରାନ୍ତକୁ ବିନାମୂଲ୍ୟରେ ଭିଟାମିନ ଟାବଲେଟ ଯୋଗାଇ ଦିଆଯିବ । ଏହି ମେଡିସିନ ବଂଟନ ପ୍ରକ୍ରିୟା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସହଯୋଗରେ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଥିଲେ କୋଭିଡ ପରିସ୍ଥିତି ପରିଚାଳନାରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ବିଫଳ, ରୋଗୀଙ୍କ ପାଇଁ ନା ଅକ୍ସିଜେନ ଯୋଗାଣ ଠିକ ରୂପେ ହୋଇପାରୁଛି ନା ହସପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ବେଡ ଉପଲବ୍ଧ ହେଉଛି । ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମୁଖିନ ହେଉଛନ୍ତି । ଛାତ୍ର କଂଗ୍ରେସ ନିଜସ୍ୱ ଉଦ୍ୟମରେ ଲୋକଙ୍କ ପାଖକୁ ରାସନ, ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇବା ସହ କୋଭିଡ ଆକ୍ରାନ୍ତଙ୍କ ବିଭିନ୍ନ ସମସ୍ୟା ନେଇ ସାହାଯ୍ୟ ଓ ସହଯୋଗ କରୁଛି । ଏହି ଭିଟାମିନ ବଂଟନ ପ୍ରକ୍ରିୟା ଛାତ୍ର କଂଗ୍ରେସ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର କର୍ମକର୍ତାଙ୍କ ମାଧ୍ୟମରେ ସୂଚାରୂରୂପେ ସମ୍ପାଦନ କରାଯିବ । ହୋମ କ୍ୱାରାନଣ୍ଟାଇନରେ ଥିବା ବ୍ୟକ୍ତି ଟୋଲଫ୍ରି କିମ୍ବା ହ୍ୱାଟସଆପ ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କ ପାଇଁ ଭଲେଣ୍ଟିୟରଙ୍କ ଜରିଆରେ ମେଡିସିନ ପହଂଚାଇ ଦିଆଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଥିଲେ ଏହି ଭିଟାମିନ ଟାବଲେଟ ବଂଟନ ପ୍ରକ୍ରିୟା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ, ଦରକାର ପଡ଼ିଲେ ଏହାର ସମୟସୀମା ବୃଦ୍ଧି କରାଯିବ । ଏହି ସୁବିଧା କେବଳ କୋଭିଡ ରୋଗୀ ଯେଉଁମାନେକି ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ସେମାନଙ୍କ ପାଇଁ ଉପଲବ୍ଧି ହେବ । ଏହାଦ୍ୱାରା ବିଶେଷକରି ବୟସ୍କ ଲୋକ ଏବଂ ଶିଶୁମାନେ ଉପକୃତ ହେବେ । ଆଗକୁ ରାଜ୍ୟରେ ସବୁ ଜିଲ୍ଳାରେ ଏହି ସୁବିଧା ଲୋକଙ୍କୁ ଯୋଗାଇଦିଆଯିବ । ଆସନ୍ତା ୨୧ ତାରିଖ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିସିନ ବଂଟନ ସହ କଂଗ୍ରେସ ଦଳ ଆବଶ୍ୟକତା ଅନୁଯାୟୀ ଲୋକଙ୍କ ପାଖରେ ଖାଦ୍ୟ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ ।
ଏହି ପ୍ରରିପ୍ରେକ୍ଷୀରେ ଗଣମାଧ୍ୟମ ଉପସ୍ଥିତିରେ ଟୋଲ ଫ୍ରି ନଂ– ୧୮୦୦-୨୫୭-୨୫୬ ଏବଂ ହ୍ୱାଟସଆପ ନଂ – ୯୯୩୭୬୯୬୯୬୯କୁ ସାର୍ବଜନୀନ କରାଗଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ସ୍ୱାଗତ କର, ସାଗର ପଟ୍ଟନାୟକ, ଶୁଭ୍ରଜ୍ୟୋତି ଲେଙ୍କା, ଅଭିଳାଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ