Type Here to Get Search Results !

କଣଲୋଇ ଗ୍ରାମରେ ଅଭାବନୀୟ ଘଟଣା , ଗ୍ରାମ ମନ୍ଦିର ପୋଖରୀ ଭିତରକୁ ଜୀବନ ବିକଳରେ ଡେଇଁ ପଡିଲା ଗୁରୁତର ଆହତ ସମ୍ବର । ଉଦ୍ଧାର ପରେ ସମ୍ବର ମୃତ , ବନ୍ୟଜନ୍ତୁ ଶିକାରୀଙ୍କ ଗୁଳିରେ ରକ୍ତାକ୍ତ । ବନ୍ୟପ୍ରାଣୀ ବିଶେଷଜ୍ଞ ମହଲରେ ତୀବ୍ର ପ୍ରତିକ୍ରିୟା ।

 


ଛେଣ୍ଡିପଦା :- 

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ ଗ୍ରାମରେ ଶନିବାର ଦିନ ପ୍ରାୟ ଏଗାରଟା ବେଳେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା। ତେବେ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ତଥା ପାହାଡ଼ ଇଲାକାରୁ ବନ୍ୟଜନ୍ତୁ ଶିକାରୀଙ୍କ ଗୁଳିରେ ଗୁଳିବିଦ୍ଧ ତଥା ରକ୍ତାକ୍ତ ଅବସ୍ଥାରେ ଆହତ ହୋଇଥିବା ଏକ ଜଙ୍ଗଲୀ ସମ୍ବର ଜୀବନ ବିକଳରେ ଗାଁ ଆଡକୁ ଚାଲିଆସିଥିଲା । ଏପରିକି ଶେଷରେ ଗ୍ରାମ ମନ୍ଦିର ପୋଖରୀ ଭିତରକୁ ଡେଇଁ ପଡ଼ିଥିଲା । ଫଳରେ ପୋଖରୀ ଗଭୀର ପାଣି ମଧ୍ୟରେ ବୁଡିଯାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଦେଖିବା ପରେ ଦୀର୍ଘ ୪ ଘଣ୍ଟା ଧରି ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଏହାସହ ଜୀବନ ରକ୍ଷା ପାଇଁ ସମ୍ବର ପାଣି ଭିତରେ ପହଁରି ପହଁରି ଅଣାୟତ୍ତ ହୋଇଥିଲା । ଏ ସମ୍ପର୍କରେ ଛେଣ୍ଡିପଦା ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।ଖବର ପାଇ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅଫିସର ପ୍ରତାପ ଚନ୍ଦ୍ର ରାଉଳ ଏବଂ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବହୁ କଷ୍ଟରେ ଆହତ ସମ୍ବରକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । 



ଅପରପକ୍ଷରେ ଉଦ୍ଧାର କରିବା ପରେ କିଛି ସମୟ ମଧ୍ୟରେ ଆହତ ସମ୍ବର ଜୀବନ ସହ ସଙ୍ଘର୍ଷ କରି ଶେଷରେ ତା'ର ପ୍ରାଣବାୟୁ ଉଡି ଯାଇଥିଲା । ଏହାପରେ ମୃତ ସମ୍ବର ଶବ ଜବତ୍ କରିବା ସହ ବ୍ୟବଛେଦ ସକାଶେ ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଛେଣ୍ଡିପଦା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ସହ ଅଫିସ ପରିସରରେ ଶବ ପୋତା ଯାଇଥିଲା । ଏ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ଏକ କେସ ରୁଜୁ କରି ତଦନ୍ତ ଜାରି ରହିଛି । ପ୍ରକାଶ ଯୋଗ୍ୟ ଯେ , ସମ୍ପ୍ରତି କଣଲୋଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ଏବଂ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଥିବା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି । ଜଙ୍ଗଲ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି ।ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ବନ୍ୟପ୍ରାଣୀ ପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉପରୋକ୍ତ ସମ୍ବେଦନଶୀଳ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.