ପ୍ରଶ୍ନ କରିବା ମନା! ଗଣତନ୍ତ୍ର ଅଛି, ନା କେବଳ ନିର୍ବାଚନ ଅଛି?
ଶିକ୍ଷା ନେଇ ପଚାରନ୍ତୁ ନାହିଁ, ସ୍ୱାସ୍ଥ୍ୟ ନେଇ ପଚାରନ୍ତୁ ନାହିଁ, ଆଇନଶୃଙ୍ଖଳା ନେଇ ପଚାରନ୍ତୁ ନାହିଁ—ତେବେ ନାଗରିକଙ୍କ ପାଖରେ ରହିଲା କ’ଣ? ଭୋଟ ଦେବା ଏବଂ ପାଞ୍ଚ ବର୍ଷ ଚୁପ୍ ରହିବା?
ଗଣତନ୍ତ୍ରରେ ସବୁଠାରୁ ବଡ଼ ଅଧିକାର କ’ଣ? ଭୋଟ ଦେବା? ନା। ଭୋଟ ଦେବା ଗଣତନ୍ତ୍ରର ଏକ ଅଂଶ। କିନ୍ତୁ ନିଜେ ଯାହାଙ୍କୁ ନିର୍ବାଚିତ କରିଛନ୍ତି, ସେମାନଙ୍କୁ ପାଞ୍ଚ ବର୍ଷ ଧରି ପ୍ରଶ୍ନ କରିବାର ଅଧିକାର ହିଁ ଗଣତନ୍ତ୍ରକୁ ଜୀବନ୍ତ ରଖେ।
କିନ୍ତୁ ଯଦି ଚିତ୍ର ଏମିତି ହୁଏ—ପ୍ରଶ୍ନ କରିବା ମନା, ଅସୁବିଧା ଦେଖାଇବା ମନା, ବ୍ୟବସ୍ଥାର ବିଫଳତା ଉପରେ କଥା କହିବା ମନା—ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ: ଆମେ ଗଣତନ୍ତ୍ରରେ ବଞ୍ଚୁଛୁ ନା କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟ ଦେଉଛୁ?
ଆଜି ଜଣେ ନାଗରିକ ଯଦି ପଚାରନ୍ତି—ଆମ ଗାଁର ରାସ୍ତା କେବେ ହେବ? ସ୍କୁଲରେ ଶିକ୍ଷକ କାହିଁକି ନାହାନ୍ତି? ହସ୍ପିଟାଲରେ ଡାକ୍ତର, ଔଷଧ କିମ୍ବା ଆବଶ୍ୟକ ସୁବିଧା କାହିଁକି ନାହିଁ? ଅପରାଧ ଘଟିବା ପରେ ଆଇନଶୃଙ୍ଖଳାକୁ ନେଇ ଉତ୍ତର କିଏ ଦେବ?
ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଯଦି ପ୍ରଶ୍ନ କରୁଥିବା ଲୋକଙ୍କୁ ହିଁ ଟାର୍ଗେଟ କରାଯାଏ, ତେବେ ଏହାକୁ ଉତ୍ତରଦାୟିତ୍ୱ କୁହାଯିବ କି? ନା କି ପ୍ରଶ୍ନକୁ ଦବାଇ ଦେବାର ଏକ ନୂଆ ପ୍ରଶାସନିକ ସଂସ୍କୃତି?
ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଅନେକ ଘଟଣା ନେଇ ତୀବ୍ର ଆଲୋଚନା ହୋଇଛି। କେହି ବ୍ୟବସ୍ଥାକୁ ପ୍ରଶ୍ନ କରିଛନ୍ତି, କେହି ପ୍ରଶାସନକୁ, କେହି ଆଇନଶୃଙ୍ଖଳାକୁ, ଆଉ କେହି ଜନପ୍ରତିନିଧିଙ୍କ କାର୍ଯ୍ୟକୁ।
କିନ୍ତୁ ଅଭିଯୋଗ ହେଉଛି—ପ୍ରଶ୍ନର ଉତ୍ତର ଦେବା ବଦଳରେ କେଉଁଠି ମାମଲା, କେଉଁଠି ଗିରଫ, କେଉଁଠି ମାଡ଼, କେଉଁଠି ଧମକ, ଆଉ କେଉଁଠି ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ଭଳି ଘଟଣା ସାମ୍ନାକୁ ଆସୁଛି।
ଏଠାରେ ଗୋଟିଏ ସରଳ ପ୍ରଶ୍ନ— ଯଦି ପ୍ରଶ୍ନ ଭୁଲ, ତେବେ ଉତ୍ତର ଦିଅନ୍ତୁ। ଯଦି ଅଭିଯୋଗ ମିଥ୍ୟା, ତେବେ ପ୍ରମାଣ ସହ ଖଣ୍ଡନ କରନ୍ତୁ। ଯଦି ଖବର ଭୁଲ, ତେବେ ତଥ୍ୟ ରଖନ୍ତୁ। କିନ୍ତୁ ପ୍ରଶ୍ନକର୍ତ୍ତାଙ୍କୁ ଚୁପ୍ କରାଇଲେ ପ୍ରଶ୍ନ ଶେଷ ହୋଇଯିବ କି? ନା, କାରଣ ଗୋଟିଏ ପ୍ରଶ୍ନକୁ ଚୁପ୍ କରାଇଲେ ଆଉ ଶହେ ପ୍ରଶ୍ନ ଜନ୍ମ ନିଏ।
ସରକାରକୁ ପ୍ରଶ୍ନ କଲେ ସରକାର ବିରୋଧୀ। ପ୍ରଶାସନକୁ ପ୍ରଶ୍ନ କଲେ ଅଧିକାରୀ ବିରୋଧୀ। ପୋଲିସକୁ ପ୍ରଶ୍ନ କଲେ ପୋଲିସ ବିରୋଧୀ। ବ୍ୟବସ୍ଥାକୁ ପ୍ରଶ୍ନ କଲେ ଦେଶ ବିରୋଧୀ! ତେବେ ସମର୍ଥନ କରିବା ହିଁ କ’ଣ ଦେଶପ୍ରେମର ଏକମାତ୍ର ପ୍ରମାଣ? ନାଗରିକଙ୍କ କାମ କେବଳ ପ୍ରଶଂସା କରିବା ନୁହେଁ। ନାଗରିକଙ୍କ କାମ ହେଉଛି ପଚାରିବା—କାହିଁକି? କେବେ? କେମିତି? କାହା ପାଇଁ? କେତେ ଟଙ୍କାରେ? କେଉଁଠି ଖର୍ଚ୍ଚ ହେଲା? କାମ କାହିଁକି ହେଲା ନାହିଁ? ଦାୟୀ କିଏ? ଏହି ପ୍ରଶ୍ନଗୁଡ଼ିକ ହିଁ ତ ଜନତାଙ୍କ ନଜରଦାରି।
ଆଜି ମିଡିଆର ଭୂମିକାକୁ ନେଇ ମଧ୍ୟ ଗମ୍ଭୀର ଚର୍ଚ୍ଚା ଆବଶ୍ୟକ। ସମସ୍ତ ମୁଖ୍ୟଧାରା ମିଡିଆକୁ ଏକାଠି କରି ଦୋଷ ଦେବା ଅନ୍ୟାୟ। ଆଜି ମଧ୍ୟ ଅନେକ ମିଡିଆ ସଂସ୍ଥା ଓ ସାମ୍ବାଦିକ ନିର୍ଭୀକ ଭାବରେ ପ୍ରଶ୍ନ କରୁଛନ୍ତି। କିନ୍ତୁ ଏହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ଯେ, ବିଜ୍ଞାପନ, ବ୍ୟବସାୟିକ ସ୍ୱାର୍ଥ, ରାଜନୈତିକ ସମ୍ପର୍କ ଓ ବିଭିନ୍ନ ଚାପ ମଧ୍ୟରେ କେତେକ ସମୟରେ ସତ୍ତାକୁ ସିଧାସଳଖ ପ୍ରଶ୍ନ କରିବାର ତୀବ୍ରତା କମିଯାଏ। ଏଠାରେ ଡିଜିଟାଲ ମିଡିଆ ଗୋଟିଏ ବିକଳ୍ପ ସ୍ୱର ଭାବେ ଉଭା ହୋଇଛି। ଏବେ ଗାଁର ରାସ୍ତା, ପଞ୍ଚାୟତର ସମସ୍ୟା, ସ୍କୁଲର ଅବ୍ୟବସ୍ଥା, ହସ୍ପିଟାଲର ଅଭାବ, ଥାନାର ସମସ୍ୟା—ସବୁ କ୍ୟାମେରାରେ ଆସିପାରୁଛି। ଗୋଟିଏ ମୋବାଇଲ କ୍ୟାମେରା ଏବେ ସେହି ପ୍ରଶ୍ନ କରିପାରୁଛି, ଯାହା କେତେବେଳେ ବଡ଼ ଷ୍ଟୁଡିଓରୁ ମଧ୍ୟ ପଚରାଯାଉନଥିଲା। ଏହା ଡିଜିଟାଲ ସାମ୍ବାଦିକତାର ଶକ୍ତି।
ତେବେ ପ୍ରଶ୍ନ କରିବା ଭୁଲ କି? ନାଗରିକ ଯଦି ନିଜ ଅଧିକାର ପାଇଁ ପ୍ରଶ୍ନ କରେ—ସେ ଭୁଲ ନୁହେଁ। ସାମ୍ବାଦିକ ଯଦି ଜନତାଙ୍କ ପ୍ରଶ୍ନକୁ ଅଧିକାରୀଙ୍କ ପାଖକୁ ନେଇଯାଏ—ସେ ଭୁଲ ନୁହେଁ। ବିପକ୍ଷ ଯଦି ସରକାରର ନୀତିକୁ ପ୍ରଶ୍ନ କରେ—ସେ ମଧ୍ୟ ଗଣତନ୍ତ୍ରର ଅଂଶ। ଏବଂ ସରକାର ଯଦି ସେହି ପ୍ରଶ୍ନର ତଥ୍ୟଭିତ୍ତିକ ଉତ୍ତର ଦିଏ—ତାହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ପ୍ରଶ୍ନକୁ ଭୟ କରୁଥିବା ବ୍ୟବସ୍ଥା ଦୁର୍ବଳ ହୁଏ। ପ୍ରଶ୍ନକୁ ସ୍ୱୀକାର କରୁଥିବା ବ୍ୟବସ୍ଥା ଶକ୍ତିଶାଳୀ ହୁଏ। ତେଣୁ ଆଜି ଆବଶ୍ୟକ “ପ୍ରଶ୍ନ କରିବା ମନା” ବୋଲି ପରିବେଶ ତିଆରି କରିବା ନୁହେଁ। ଆବଶ୍ୟକ—ପ୍ରଶ୍ନର ଉତ୍ତର ଦେବାର ସଂସ୍କୃତି। କାରଣ ଜନତା ପ୍ରଶ୍ନ କରିବେ। ସାମ୍ବାଦିକ ପ୍ରଶ୍ନ କରିବେ। ବିପକ୍ଷ ପ୍ରଶ୍ନ କରିବ। ସୋସିଆଲ ମିଡିଆ ପ୍ରଶ୍ନ କରିବ। ଏବଂ ଗଣତନ୍ତ୍ରରେ ଏହି ପ୍ରଶ୍ନଗୁଡ଼ିକୁ ଚୁପ୍ କରାଇବା ନୁହେଁ—ଉତ୍ତର ଦେବା ହିଁ ଶାସନର ପରୀକ୍ଷା।
ଶେଷରେ ଗୋଟିଏ କଥା, ଭୋଟ ଦେଇଥିବା ଜନତା ପ୍ରଶ୍ନ କରିବେ। କାରଣ ଜନତା ହିଁ ମାଲିକ। ପ୍ରଶ୍ନ କରୁଥିବା ନାଗରିକ ଶତ୍ରୁ ନୁହେଁ। ସେ ହେଉଛି ଗଣତନ୍ତ୍ରର ସତର୍କ ପ୍ରହରୀ। ତେଣୁ ପ୍ରଶ୍ନଟି ଆଉ ଏହା ନୁହେଁ—“ପ୍ରଶ୍ନ କାହିଁକି କରୁଛ?” ପ୍ରଶ୍ନଟି ହେବା ଉଚିତ— “ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ତ?”

