ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା—SIRକୁ ନେଇ ଏବେ ବିଭିନ୍ନ ଆଲୋଚନା। ଏହା ମଧ୍ୟରେ Form-7କୁ ନେଇ ଭୋଟରଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଓ ଆଶଙ୍କା ଦେଖାଦେଉଛି। ତେବେ Form-7 କ’ଣ, କିଏ ଏହା ଦାଖଲ କରିପାରିବେ ଏବଂ ନାମ ବାଦ ପୂର୍ବରୁ କି ପ୍ରକ୍ରିୟା ରହିଛି?
ନିର୍ବାଚନ ଆୟୋଗର ନିୟମ ଅନୁସାରେ Form-7 ହେଉଛି ଭୋଟର ତାଲିକାରେ ଥିବା କୌଣସି ନାମକୁ ବାଦ କରିବା କିମ୍ବା ପ୍ରସ୍ତାବିତ ନାମକୁ ନେଇ ଆପତ୍ତି ଜଣାଇବାର ଫର୍ମ। ସାଧାରଣତଃ ମୃତ ବ୍ୟକ୍ତି, ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଥିବା ବ୍ୟକ୍ତି, ଡୁପ୍ଲିକେଟ୍ ଏଣ୍ଟ୍ରି କିମ୍ବା ଆଇନ ଅନୁସାରେ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସମ୍ପର୍କରେ Form-7 ଦିଆଯାଇପାରେ।
କିଏ Form-7 ଦେଇପାରିବେ?
ନିର୍ବାଚନ ଆୟୋଗର FAQ ଅନୁସାରେ, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ପଞ୍ଜୀକୃତ ଜଣେ ବ୍ୟକ୍ତି, ଅଯୋଗ୍ୟ ବୋଲି ମନେ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମ ବିରୋଧରେ Form-7 ମାଧ୍ୟମରେ ଆପତ୍ତି ଜଣାଇପାରନ୍ତି। ଆବେଦନରେ ଦିଆଯାଇଥିବା କାରଣକୁ ସମର୍ଥନ କରିବାର ଦାୟିତ୍ୱ ଆବେଦନକାରୀଙ୍କର।
ଏଠି ହିଁ ରହିଛି ସବୁଠାରୁ ବଡ଼ ସଚେତନତାର ବିଷୟ। କୌଣସି ଜୀବିତ ବ୍ୟକ୍ତିଙ୍କୁ ଭୁଲରେ ମୃତ, ସ୍ଥାନାନ୍ତରିତ କିମ୍ବା ଅନ୍ୟ କାରଣ ଦର୍ଶାଇ ତାଙ୍କ ନାମ ବାଦ କରାଯାଇଥିଲେ, ତାହା ଭୋଟରଙ୍କ ମତଦାନ ଅଧିକାରକୁ ପ୍ରଭାବିତ କରିପାରେ।
ତେବେ କେବଳ କାହାରୋ Form-7 ଦାଖଲ ହେଲେ ନାମ ସ୍ୱୟଂଚାଳିତ ଭାବେ କଟିଯିବା ଉଚିତ୍ ନୁହେଁ। ECIର ନିର୍ଦ୍ଦେଶାବଳୀରେ ଭୁଲ୍ ଡିଲିସନ୍ ରୋକିବା ପାଇଁ ଯାଞ୍ଚ, BLO ରିପୋର୍ଟ ଏବଂ ଆବଶ୍ୟକ କ୍ଷେତ୍ରରେ ସମ୍ପୃକ୍ତ ଭୋଟରଙ୍କୁ ନୋଟିସ୍ ଦେବା ଭଳି ସୁରକ୍ଷା ବ୍ୟବସ୍ଥା ଉଲ୍ଲେଖ ରହିଛି।
ବିଶେଷକରି ମୃତ୍ୟୁ ବ୍ୟତୀତ Form-7 ଆଧାରିତ ପ୍ରସ୍ତାବିତ ଡିଲିସନ୍ କ୍ଷେତ୍ରରେ ସମ୍ପୃକ୍ତ ଭୋଟରଙ୍କୁ ନୋଟିସ୍ ଦେବା ଏବଂ ତାଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବା ସମ୍ପର୍କରେ ECI ନିର୍ଦ୍ଦେଶ ରହିଛି।
ଭୋଟରମାନେ କ’ଣ କରିବେ?
ପ୍ରଥମେ ନିଜର ନାମ ବର୍ତ୍ତମାନର Electoral Rollରେ ଅଛି କି ନାହିଁ ଯାଞ୍ଚ କରନ୍ତୁ। ECIର Voter Services Portalରେ ଭୋଟର ତାଲିକା ଏବଂ SIR ସମ୍ପର୍କିତ ସେବା ଉପଲବ୍ଧ ରହିଛି।
ନାମ ନଥିଲେ କିମ୍ବା ଭୁଲ ଭାବେ ବାଦ ହୋଇଥିବା ଜଣାପଡ଼ିଲେ, ସମ୍ପୃକ୍ତ ERO/AERO କାର୍ଯ୍ୟାଳୟରେ ଅଭିଯୋଗ ଓ ଦାବି ଜଣାଇବା ଦରକାର। ନିର୍ବାଚନ ଆୟୋଗର FAQ ଅନୁସାରେ, ନାମ ବାଦ ହେବା ସମ୍ପର୍କିତ ଆଦେଶ ବିରୋଧରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଆପିଲ୍ କରିବାର ବ୍ୟବସ୍ଥା ମଧ୍ୟ ରହିଛି।
ଭୋଟର ତାଲିକାରେ ନିଜ ନାମ ଅଛି ବୋଲି କେବଳ Voter ID କାର୍ଡ ଥିବାରୁ ନିଶ୍ଚିନ୍ତ ନ ହୋଇ, ସମୟ ସମୟରେ Electoral Rollରେ ନିଜ ନାମ ଯାଞ୍ଚ କରନ୍ତୁ। ନାମ ନଥିଲେ କିମ୍ବା ଭୁଲ୍ ଭାବରେ ବାଦ ହୋଇଥିଲେ, ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ଜଣାନ୍ତୁ। କାରଣ ଭୋଟର ତାଲିକାରେ ନାମ ରହିବା ହିଁ ମତଦାନର ମୌଳିକ ପ୍ରଥମ ପଦକ୍ଷେପ।

