ଆମେରିକୀୟ ଡଲାର ଆଗରେ ଦିନକୁ ଦିନ ନତମସ୍ତକ ହେଉଛି ଭାରତୀୟ ଟଙ୍କା। ଏକ ସମୟରେ ଯେଉଁ ଡଲାରକୁ ଧରିବା ପାଇଁ ୪୦ କିମ୍ବା ୫୦ ଟଙ୍କା ଲାଗୁଥିଲା, ଆଜି ସେହି ଡଲାର ପାଇଁ ଖର୍ଚ୍ଚ କରିବାକୁ ପଡୁଛି ୯୫ ଟଙ୍କା ! ଅର୍ଥାତ୍ ଭାରତୀୟ ଟଙ୍କାର ଶକ୍ତି ଭୟଙ୍କର ଭାବେ କମିଯାଇଛି। ଏହା କେବଳ ଏକ ସାଧାରଣ ଅର୍ଥନୈତିକ ଖବର ନୁହେଁ, ଏହା ଦେଶର ଅର୍ଥନୀତି ପାଇଁ ଏକ ବଡ଼ ସତର୍କ ସଙ୍କେତ।
ଏବେ ପ୍ରଶ୍ନ ଉଠୁଛି — ଶେଷରେ ଏମିତି କଣ ହେଲା ଯେ ଭାରତୀୟ ଟଙ୍କା ଏତେ ଦୁର୍ବଳ ହୋଇଗଲା ? କାହିଁକି ଡଲାର ସାମ୍ନାରେ ଭାରତ ହାର ମାନୁଛି ? ଏବଂ ସବୁଠୁ ବଡ଼ କଥା… ଆଗକୁ କଣ ଆସୁଛି ? ମହଙ୍ଗାଇର ମହାବିସ୍ଫୋରଣ ? ନା ଆର୍ଥିକ ସଙ୍କଟ ?
ବିଶ୍ୱ ଅର୍ଥନୀତିରେ ଯେତେବେଳେ ଅସ୍ଥିରତା ବଢ଼େ, ସମସ୍ତେ ଡଲାରକୁ ସୁରକ୍ଷିତ ମନେ କରନ୍ତି। ଯୁଦ୍ଧ, ମନ୍ଦି, ବଜାରର ଅସ୍ଥିରତା — ସବୁ ସମୟରେ ବିନିଯୋଗକାରୀମାନେ ନିଜ ଟଙ୍କାକୁ ଆମେରିକାକୁ ନେଇଯାନ୍ତି। ଫଳରେ ଡଲାରର ଚାହିଦା ବଢ଼େ, ଏବଂ ଭାରତୀୟ ଟଙ୍କା ତଳକୁ ଖସିଯାଏ।
ଏପଟେ ଭାରତର ସବୁଠୁ ବଡ଼ ଦୁର୍ବଳତା ହେଉଛି ତେଲ ଆମଦାନି। ଭାରତ ନିଜ ଆବଶ୍ୟକତାର ବହୁତ ଅଂଶ ତେଲ ବିଦେଶରୁ କିଣୁଛି। ଆଉ ସେହି ଦେୟ ଦେବାକୁ ପଡୁଛି ଡଲାରରେ। ଯେତେବେଳେ ତେଲ ଦର ବଢ଼ୁଛି, ସେତେବେଳେ ଭାରତକୁ ଅଧିକ ଡଲାର ଦେବାକୁ ପଡୁଛି। ଅର୍ଥାତ୍ ବଜାରରେ ଡଲାରର ଚାହିଦା ଆଉ ବଢ଼ୁଛି… ଏବଂ ଟଙ୍କା ଆଉ ଦୁର୍ବଳ ହେଉଛି।
କେବଳ ସେତିକି ନୁହେଁ… ବିଦେଶୀ ପୁଞ୍ଜିନିବେଶକମାନେ ମଧ୍ୟ ଭାରତରୁ ଟଙ୍କା ଉଠାଇ ନେଉଛନ୍ତି। ଆମେରିକାରେ ସୁଧ ହାର ବଢ଼ିବା ପରେ ବଡ଼ ବଡ଼ କମ୍ପାନୀ ଓ ବିନିଯୋଗକାରୀମାନେ ଭାରତୀୟ ବଜାରରୁ ନିଜ ଟଙ୍କା ବାହାର କରି ଡଲାରରେ ନିବେଶ କରୁଛନ୍ତି। ଫଳରେ ଭାରତୀୟ ଶେୟାର ବଜାର ଉପରେ ଚାପ ବଢ଼ୁଛି ଓ ଟଙ୍କାର ମୂଲ୍ୟ ତଳକୁ ଯାଉଛି।
ସବୁଠୁ ଭୟଙ୍କର କଥା ହେଉଛି — ଏହାର ସିଧା ପ୍ରଭାବ ପଡୁଛି ସାଧାରଣ ଲୋକଙ୍କ ଜୀବନ ଉପରେ।
ଡଲାର ବଢ଼ିଲେ ପ୍ରଥମେ ମହଙ୍ଗା ହୁଏ ପେଟ୍ରୋଲ ଓ ଡିଜେଲ। ଇନ୍ଧନ ଦର ବଢ଼ିଲେ ଗାଡ଼ି ଭଡ଼ା ବଢ଼େ। ପରିବହନ ଖର୍ଚ୍ଚ ବଢ଼ିଲେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସବ୍ଜି, ଔଷଧ, ଦୁଧ, ରାନ୍ଧଣ ଗ୍ୟାସ — ସବୁକିଛିର ଦର ଆକାଶ ଛୁଏ। ଅର୍ଥାତ୍ ଡଲାରର ପ୍ରଭାବ ସିଧା ଗରିବ ଓ ମଧ୍ୟବର୍ଗୀୟ ପରିବାରର ରୋଷେଇ ଘରକୁ ପହଞ୍ଚୁଛି।
ମୋବାଇଲ, ଲାପଟପ, TV, କାର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମହଙ୍ଗା ହେଉଛି। କାରଣ ଏହାର ଅଧିକାଂଶ ପାର୍ଟସ ବିଦେଶରୁ ଆସେ। ଡଲାର ଦର ବଢ଼ିଲେ ସବୁ ଜିନିଷର ଉତ୍ପାଦନ ଖର୍ଚ୍ଚ ବଢ଼ିଯାଏ। ଫଳରେ କମ୍ପାନୀମାନେ ସେହି ଭାର ସାଧାରଣ ଲୋକଙ୍କ ଉପରେ ପକାନ୍ତି।
ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅବସ୍ଥା ଆଉ ଅଧିକ ଚିନ୍ତାଜନକ। ପୂର୍ବରୁ ଯେଉଁ କୋର୍ସ ପାଇଁ ୨୦ ଲକ୍ଷ ଟଙ୍କା ଲାଗୁଥିଲା, ଏବେ ସେହି କୋର୍ସ ପାଇଁ ଲାଗୁଛି ଅଧିକ ଟଙ୍କା। ଅର୍ଥାତ୍ ଡଲାରର ମୂଲ୍ୟ ବଢ଼ିବା ସହିତ ଶିକ୍ଷା ମଧ୍ୟ ହୋଇଯାଉଛି ମହଙ୍ଗା।
ତେବେ ଆଗକୁ କଣ ?
ଅର୍ଥନୀତି ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ଯେ ଯଦି ଏହି ପରିସ୍ଥିତି ଏଭଳି ଚାଲିଥାଏ, ତେବେ ଆସନ୍ତା ଦିନରେ ଡଲାର ୧୦୦ ଟଙ୍କା ସୀମା ଛୁଇଁପାରେ। ଯଦି ସେହି ସ୍ଥିତି ଆସେ, ତେବେ ଦେଶରେ ମହଙ୍ଗାଇ ଭୟଙ୍କର ରୂପ ନେଇପାରେ। ସୁଧ ହାର ବଢ଼ିପାରେ। ଘର ଋଣ, ଗାଡ଼ି ଋଣ, ବ୍ୟବସାୟ ଋଣ — ସବୁକିଛି ମହଙ୍ଗା ହୋଇପାରେ। ମଧ୍ୟବର୍ଗୀୟ ପରିବାରର ମାସିକ ବଜେଟ୍ ପୂରା ଭାଙ୍ଗିପଡ଼ିପାରେ।
ଆଉ ସବୁଠୁ ବଡ଼ ଚିନ୍ତାର କଥା ହେଉଛି — ଯଦି ବିଦେଶୀ ବିନିଯୋଗକାରୀମାନେ ଭାରତରୁ ଆଉ ଟଙ୍କା ବାହାର କରନ୍ତି, ତେବେ ଶେୟାର ବଜାରରେ ବଡ଼ ପତନ ମଧ୍ୟ ଦେଖିବାକୁ ମିଳିପାରେ। ଚାକିରି ବଜାର ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିପାରେ।
ଯଦିଓ ଭାରତ ପାଖରେ ଆଶାର କିଛି ଆଲୋକ ଏବେ ମଧ୍ୟ ରହିଛି। ଦେଶର ବଡ଼ ବଜାର, IT ସେକ୍ଟରର ଶକ୍ତି, ବଢୁଥିବା ଉତ୍ପାଦନ ଓ ବିଦେଶୀ ନିବେଶର ସମ୍ଭାବନା ଭାରତକୁ ଦୀର୍ଘ ସମୟରେ ସହାୟତା କରିପାରେ। କିନ୍ତୁ ସରକାର ଓ ରିଜର୍ଭ ବ୍ୟାଙ୍କ ଯଦି ଠିକ୍ ସମୟରେ ପଦକ୍ଷେପ ନ ନେବେ, ତେବେ ଡଲାରର ଏହି ଦାଦାଗିରି ସାଧାରଣ ଲୋକଙ୍କ ଜୀବନକୁ ଆଉ ଅଧିକ କଷ୍ଟଦାୟକ କରିଦେଇପାରେ।
ସେହିପରି ଡଲାର ଆଗରେ ଟଙ୍କାର ଦୁର୍ବଳତା କେବଳ ଏକ ନମ୍ବରର ଖେଳ ନୁହେଁ… ଏହା ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଚେତାବନୀ… ଏବଂ ସାଧାରଣ ଲୋକଙ୍କ ଭବିଷ୍ୟତ ପାଇଁ ଏକ ବଡ଼ ପ୍ରଶ୍ନଚିହ୍ନ।

