ଝାରସୁଗୁଡା ଜିଲ୍ଲା କୋର୍ଟକୁ ଇ-ମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ପରେ ସମଗ୍ର କୋର୍ଟ ପରିସରରେ ହଡ଼କମ୍ପ ସୃଷ୍ଟି ହୋଇଛି। ଘଟଣା ପରେ ଝାରସୁଗୁଡା ବାର ଆସୋସିଏସନ ପକ୍ଷରୁ ଆଇନଜୀବୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସର ତୁରନ୍ତ ଖାଲି କରିବାକୁ ଅନୁରୋଧ କରାଯାଇଛି।
ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଝାରସୁଗୁଡା ପୋଲିସ, ବମ୍ ସ୍କ୍ୱାଡ୍ ଓ ସୁରକ୍ଷା ସଂସ୍ଥାମାନେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର କୋର୍ଟ ପରିସରରେ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ସନ୍ଦେହଜନକ ବସ୍ତୁ ଖୋଜିବା ସହ ଇ-ମେଲର ଉତ୍ସ ଚିହ୍ନଟ ପାଇଁ ସାଇବର ଟିମ୍ ମଧ୍ୟ ତଦନ୍ତ ଚଳାଇଛି।
ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା ରହିଥିଲେ ମଧ୍ୟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

