Type Here to Get Search Results !

ସୁପ୍ରିମକୋର୍ଟରେ ଟଙ୍କଧରଙ୍କୁ ଝଟକା, ଦୀପାଳିଙ୍କ ଲଢେଇକୁ ମିଳିଲା ନୂଆ ଶକ୍ତି

 


ଝାରସୁଗୁଡା :

ଝାରସୁଗୁଡା ରାଜନୀତିରେ ପୁଣି ତେଜ ହେଲା ଆଇନୀ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ରାହତ। ସୋମବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଦାଖଲ ସ୍ପେଶାଲ ଲିଭ୍ ପିଟିସନ୍‌କୁ ଖାରଜ କରିଦେବା ପରେ ଝାରସୁଗୁଡାର ରାଜନୈତିକ ମହଳରେ ଚର୍ଚ୍ଚା ଆଉ ବଢ଼ିଛି। 

ଏହି ମାମଲାର ଆରମ୍ଭ ହୋଇଥିଲା ଝାରସୁଗୁଡା ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି। ପୂର୍ବତନ ବିଧାୟିକା ଦୀପାଳି ଦାସ ଓଡ଼ିଶା ହାଇକୋର୍ଟରେ ନିର୍ବାଚନୀ ପିଟିସନ୍‌ ଦାଖଲ କରି ଟଙ୍କଧର ତ୍ରିପାଠୀଙ୍କ ଜିତକୁ ଚ୍ୟାଲେଞ୍ଜ କରିଥିଲେ। ସେଥିରେ ଶପଥପତ୍ର ଓ କିଛି ପ୍ରକ୍ରିୟାଗତ ତ୍ରୁଟି ଥିବା ଦର୍ଶାଇ ମାମଲାକୁ ପ୍ରାରମ୍ଭିକ ଅବସ୍ଥାରୁ ଖାରଜ କରିବାକୁ ଟଙ୍କଧରଙ୍କ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ହାଇକୋର୍ଟ ସେହି ଦାବିକୁ ଗ୍ରହଣ କରିନଥିଲେ। 

ହାଇକୋର୍ଟରେ ବିଫଳ ହେବା ପରେ ଟଙ୍କଧର ତ୍ରିପାଠୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମେ 11 ତାରିଖରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପରେ ଆଦାଲତ କୌଣସି ଠୋସ ଆଧାର ନମିଳିବାରୁ ପିଟିସନ୍‌କୁ ଖାରଜ କରିଦେଇଥିଲେ। ଏହା ସହିତ ସୁପ୍ରିମକୋର୍ଟରେ ଏହି ପର୍ଯ୍ୟାୟର ଆଇନୀ ଲଢେଇର ପର୍ଦ୍ଦା ପଡ଼ିଛି। 

ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ ଦୀପାଳି ଦାସଙ୍କ ପକ୍ଷ ଆତ୍ମବିଶ୍ୱାସରେ ଭରିଯାଇଥିବା ବେଳେ, ଟଙ୍କଧର ଶିବିରରେ ଚିନ୍ତା ବଢ଼ିଛି। ବର୍ତ୍ତମାନ ଏହି ମାମଲାର ମୁଖ୍ୟ ଶୁଣାଣି ଓଡ଼ିଶା ହାଇକୋର୍ଟରେ ଜାରି ରହିବ। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହି ମାମଲା ଆଗାମୀ ଦିନରେ ଝାରସୁଗୁଡା ରାଜନୀତିକୁ ନୂଆ ମୋଡ଼ ଦେଇପାରେ।

ଅନ୍ୟପଟେ, ଦୀପାଳି ଦାସଙ୍କ ପକ୍ଷରୁ ଆଇନଜୀବୀ ଅଭିଜ୍ଞାନ ଝା ସୁପ୍ରିମକୋର୍ଟରେ କ୍ୟାଭିଏଟ୍‌ ଦାଖଲ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ ଦୀପାଳିଙ୍କ ଆଇନୀ ପ୍ରସ୍ତୁତି ମଜବୁତ ଥିବା ସ୍ପଷ୍ଟ ହୋଇଛି।

ଏବେ ସବୁଙ୍କ ନଜର ଓଡ଼ିଶା ହାଇକୋର୍ଟ ଉପରେ। ଝାରସୁଗୁଡାର ରାଜନୀତିରେ ଏହି ମାମଲା ଆଗକୁ କେଉଁ ଦିଗକୁ ଯିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.