Type Here to Get Search Results !

ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ; ବେଆଇନ ଖଣିଜ ପରିବହନ ରୋକିବାକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

 


ଝାରସୁଗୁଡ଼ା :

ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜାନୁଆରୀ ମାସ ପାଇଁ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ରାଜସ୍ୱ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମସ୍ତ ରାଜସ୍ୱ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଅବକାରୀ ଅଧୀକ୍ଷକ, ଖଣି ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିଜ ନିଜ କ୍ଷେତ୍ରରେ ପ୍ରବର୍ତ୍ତନ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ପାଟ୍ରୋଲିଂ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲାପାଳ ଖଣି ଅଧିକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଞ୍ଚଳରେ ବାରମ୍ବାର ବେଆଇନ ଖଣିଜ ଉତ୍ତୋଳନ ହେଉଛି, ସେଠାରେ କନିଷ୍ଠ ଖଣି ଅଧିକାରୀମାନେ ନିୟମିତ ନଜର ରଖିବାକୁ କୁହାଯାଇଛି। ଏହାସହ ବେଆଇନ ଖଣିଜ ପରିବହନ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ସରକାରୀ ନିୟମାବଳୀ ଅନୁଯାୟୀ କୌଣସି କୋହଳ ମନୋଭାବ ପ୍ରଦର୍ଶନ ନକରି ଦୃଢ଼ ଜରିମାନା ଆଦାୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଏବଂ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.