Type Here to Get Search Results !

ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

 


ଝାରସୁଗୁଡ଼ା :

ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ବୀର ସୁରେନ୍ଦ୍ର ସାଏ (ଭି.ଏସ୍.ଏସ୍.) ବିମାନବନ୍ଦର ପ୍ରବେଶ ପଥରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ଝାରସୁଗୁଡ଼ା ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷଙ୍କୁ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହ ସେ ବିମାନବନ୍ଦର ଭିତର ପାର୍ଶ୍ଵରେ ଥିବା ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମାନସ ରଞ୍ଜନ ମଲ୍ଲିକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ।

 ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ୍.ଏଫ୍. ପ୍ରେକ୍ଷାଳୟଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ ଏବଂ ବଳିଦାନ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗର୍ତିଆ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ସୌମେଶ ଆଚାର୍ଯ୍ୟ, ଶ୍ରୀ ବିପିନ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଦେଶର ବୀର ସନ୍ତାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଶ୍ରୀ ଭୋଇ, ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏଥିସହ ସେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ନିଜକୁ ନିୟୋଜିତ କରିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.