Type Here to Get Search Results !

ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ: ବେଲପାହାଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ


ଝାରସୁଗୁଡା : 

ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲପାହାଡ଼ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ବ୍ଲକ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୧ ଗୋଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ୧୧ ଗୋଟି ସାମୂହିକ ଏବଂ ୨୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଶିବିରରେ ମୁଖ୍ୟତଃ ବେଲପାହାଡ଼ ସ୍ୱର୍ଗଦ୍ୱାରର ବିଭିନ୍ନ ସମସ୍ୟା, ଡ୍ରାଇଭରମାନଙ୍କ ଦରମା ସମ୍ବନ୍ଧୀୟ ବିବାଦ ଏବଂ ଅଞ୍ଚଳରେ ବେଆଇନ ଟ୍ରକ୍ ପାର୍କିଂ ଯୋଗୁଁ ଘଟୁଥିବା ଦୁର୍ଘଟଣା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହିତ ଜୋରାବଗା ହାଇସ୍କୁଲ ନିକଟରୁ ମଦ ଭାଟି ହଟାଇବା, ନୂଆପଡା ବେଲପାହାଡ଼ଠାରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ବ୍ୟୟ ହୋଇନପାରିଥିବା ପାଣ୍ଠିର ସଠିକ ବିନିଯୋଗ ଏବଂ ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ସମ୍ପର୍କରେ ଜନସାଧାରଣ ନିଜର ଦାବି ଉପସ୍ଥାପନ କରିଥିଲେ। ପରିବେଶ ଓ ନିଯୁକ୍ତି ସମ୍ବନ୍ଧୀୟ ସମସ୍ୟାକୁ ନେଇ ଶିବିରରେ ବିଶେଷ ଚର୍ଚ୍ଚା ହୋଇଥିଲା। ବିଶେଷକରି ଗ୍ରାମୀଣ ମୁଖ୍ୟ ରାସ୍ତାରେ ଥିବା ଆଲପ୍ସ କୋଲ୍ ୱାଶେରୀ (Alps Coal Washery) ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଛୁଆଲିବେର୍ନା ଅଞ୍ଚଳରେ ଏମସିଏଲ ଓ ୱାଶେରୀ ଜନିତ ପ୍ରଦୂଷଣ ଏବଂ ବହୁଳ ପରିମାଣରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଘରଗୁଡ଼ିକରେ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ଗୁମାଡେରା ଅଞ୍ଚଳରେ ପେମେଣ୍ଟ ପ୍ରଦାନରେ ବିଳମ୍ବ ଏବଂ କାଣ୍ଡସର ଅଞ୍ଚଳରେ ନିଯୁକ୍ତି ସହ ଜମି ଆବଣ୍ଟନ ଦାବି ସମ୍ପର୍କରେ ଜିଲ୍ଲାପାଳ ଶୁଣାଣି କରିଥିଲେ। ଜିଲ୍ଲାପାଳ ଏହି ସମସ୍ତ ଅଭିଯୋଗର ତର୍ଜମା କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.