ନୂଆଦିଲ୍ଲୀ :-
ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜୁଲାଇ ୧୯ପରେ, ଗୃହମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଖ୍ ହସିନା ପ୍ରତିବାଦକାରୀଙ୍କୁ ଟାର୍ଗେଟ କରିବା ପାଇଁ ଏକ କୋର କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।
ଶୁଣାଣି ସମୟରେ ICTର ମୁଖ୍ୟ ବିଚାରପତି କହିଥିଲେ ଯେ, ଶେଖ୍ ହସିନା ପ୍ରତିବାଦକାରୀ ଛାତ୍ର ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଢାକା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲରଙ୍କ ସହ ଏକ ଫୋନ୍ ବାର୍ତ୍ତାଳାପରେ ହସିନା ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଛାତ୍ରମାନଙ୍କୁ ଅପମାନିତ କରିଥିଲେ, ଯାହା ପ୍ରତିବାଦକୁ ଆହୁରି ତୀବ୍ର କରିଥିଲା।
ରାୟ ଦେବା ପୂର୍ବରୁ କୋର୍ଟ ୫୪ଜଣ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଶୁଣିଥିଲେ ଏବଂ ଏହା ଶେଖ୍ ହସିନା କରିଥିବା ଅପରାଧକୁ ପ୍ରମାଣ କରିବାରେ ଯଥେଷ୍ଟ ବୋଲି ନିଷ୍ପତ୍ତି ନେଇଥିଲେ। ସାରା ଦେଶରୁ ସଂଗୃହୀତ ପ୍ରମାଣ ଏବଂ ବିଭିନ୍ନ ଉତ୍ସରୁ ମିଳିଥିବା ଅତିରିକ୍ତ ପ୍ରମାଣ ମଧ୍ୟ ଯାଞ୍ଚ କରାଯାଇଥିଲା।
ସାକ୍ଷ୍ୟ ଭାଣ୍ଡାର ଅନୁଯାୟୀ, ବିଭିନ୍ନ ଭିଡିଓ, ଅଡିଓ ରେକର୍ଡିଂ ସହ ତଥ୍ୟ ଉପସ୍ଥାପିତ ହୋଇଛି ଯେ, ଏହି ଘଟଣା ଏକ ସଂଘଟିତ ଦମନାତ୍ମକ ପଦକ୍ଷେପରୁ ଆରମ୍ଭ ହୋଇଥିଲା ଓ ଲକ୍ଷାଧିକ ନାଗରିକ ମୃତ୍ୟୁବରଣ କରିଛନ୍ତି। ଆଇନ ଅନୁସାରେ, ଏହି ମାମଲାକୁ “ମାନବତା ବିରୋଧୀ ଅପରାଧ” (crimes against humanity) ଭାବେ ପରିର୍ଣ୍ଣତ କରାଯାଇଛି — ଯାହା ଉପରେ ସର୍ବାଧିକ ଶିକ୍ଷା ମୃତ୍ୟୁଦଣ୍ଡ ହେବା ସମ୍ଭାବନା ଥାଏ।
ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।

