ବିହାରର ସମ୍ପ୍ରତି ହୋଇଥିବା ନିର୍ବାଚନୀ ପରିଣାମ ଦେଶ ରାଜନୀତିକ ମହଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇପଡ଼ିଛି। ନିର୍ବାଚନ ଫଳାଫଳ ଏକଥା ସ୍ପଷ୍ଟ କରିଦେଇଛି ପ୍ରତ୍ୟେକ ଦଳ ପାଇଁ ଜନମତର ମୂଲ୍ୟବୋଧ ଓ ଗ୍ରାସରୁଟ୍ ସ୍ତରରେ ଲୋକମାନଙ୍କ ସହ ଯୋଗାଯୋଗ କେତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସବୁଠୁ ବେଶି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ମିଳିଛି ବିପକ୍ଷ ଦଳମାନଙ୍କ ପାଇଁ ଜନତା ସହିତ ସିଧାସଲଖ ଯୋଗାଯୋଗ, ସଠିକ୍ କାର୍ଯ୍ୟଯୋଜନା ଓ ଏକତା ନ ଥିଲେ ଜିତ ଅସମ୍ଭବ।
ବିହାରର ମତଦାତାମାନେ ଏବେ ଦଳନୀତିକୁ ଛାଡ଼ି ବିକାଶ, ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁଶାସନକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ବିପକ୍ଷ ଦଳମାନେ ଯଦିଓ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେଗୁଡ଼ିକୁ ମାଟିସ୍ତରରେ ବିଶ୍ୱାସଯୋଗ୍ୟ ଭାବେ ପରିବେଷଣ କରିପାରିନଥିଲେ। ମତଦାତାମାନେ ସ୍ପଷ୍ଟ ଭାବରେ ଏକ ସନ୍ଦେଶ ଦେଇଛନ୍ତି ଲୋକଲୋଭା ଘୋଷଣାରୁ ଅଧିକ ପ୍ରାଥମିକତା ଦିଆଯାଏ ଯେଉଁଥିରେ ପ୍ରାକ୍ତନ କାମ ଦେଖିବାକୁ ମିଳେ।
ଏହି ନିର୍ବାଚନର ଅନ୍ୟତମ ମୁଖ୍ୟ ପାଠ ହେଉଛି ବିପକ୍ଷ ଦଳମାନଙ୍କ ମଧ୍ୟରେ ସମନ୍ୱୟ ଓ ଏକତାର ଅଭାବ। ଯୁକ୍ତ ମୋର୍ଚ୍ଚା ଗଠିତ ହୋଇଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକମତ ରଣନୀତି, ସଂଘଟିତ କ୍ୟାମ୍ପେନ୍ ଓ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ ଦେଖିବାକୁ ମିଳିନଥିଲା। ଏହି ଅବ୍ୟବସ୍ଥା ଅନେକ ସିଟ୍ରେ ପ୍ରଭାବ ପକାଇଛି। ମତଦାତାମାନେ ଯୁକ୍ତିକ୍ତ ଓ ସ୍ପଷ୍ଟ ବିକଳ୍ପକୁ ପସନ୍ଦ କରନ୍ତି, ବିଭକ୍ତ ନେତୃତ୍ବକୁ ନୁହେଁ।
ଅନ୍ୟପଟେ ସୋସିଆଲ୍ ମିଡିଆ ଓ ଯୁବମାନଙ୍କ ମନୋଭାବକୁ ବୁଝିବାରେ ବିପକ୍ଷ ଦଳମାନେ ପଛପଡ଼ି ଯାଇଛନ୍ତି। ଆଜିର ଯୁବ ଇନ୍ଟରନେଟ୍ରେ ସକ୍ରିୟ, ସେମାନେ ପ୍ରତ୍ୟେକ ଦଳର କାର୍ଯ୍ୟ, ଉପସ୍ଥାପିତ ତଥ୍ୟ ଓ କାମକୁ ମୂଲ୍ୟାୟନ କରନ୍ତି। ସକ୍ରିୟ ଡିଜିଟାଲ୍ କ୍ୟାମ୍ପେନ୍, ନିଷ୍ଠାପୂର୍ଣ୍ଣ ଯୋଗାଯୋଗ ଓ ସ୍ପଷ୍ଟ ଯୋଜନା ନଥିବାରୁ ବିପକ୍ଷ ଏଠାରେ ମହତ୍ତ୍ୱପୁର୍ଣ୍ଣ ଭୁଲ କରିଛି।
ଏହି ନିର୍ବାଚନ ବିପକ୍ଷ ପାଇଁ ଏକ ଆଲାର୍ମ। ଦଳୀୟ ନୀତି, କ୍ୟାଡର ସକ୍ରିୟତା, ଚାଲୁଥିବା କାମର ମୂଲ୍ୟାଙ୍କନ, ସ୍ଥାନୀୟ ବିଷୟର ପ୍ରାଥମିକତା ସବୁକିଛିକୁ ନୂଆ ଭାବେ ଗଠନ କରିବା ଆବଶ୍ୟକ।
ସାରକଥା, ବିହାର ନିର୍ବାଚନ ବିପକ୍ଷ ଦଳମାନଙ୍କୁ ଏକ ଖୋଲା ସନ୍ଦେଶ ଦେଇଛି—ଜନମନର ସଂଯୋଗ, ବିଶ୍ୱାସଯୋଗ୍ୟ ବିକାଶ ଯୋଜନା ଓ ଦଳୀୟ ଏକତା ନ ଥିଲେ ରାଜନୀତିରେ ସଫଳତା ଅସମ୍ଭବ।

