ପବିତ୍ର ଶ୍ରାବଣ ପୂର୍ଣ୍ଣିମା, ୧୮୬୨ ମସିହା ଅଗଷ୍ଟ ୯ ତାରିଖରେ ବରଗଡ଼ ଜିଲ୍ଲାର ବରପାଲି ଠାରେ ଏକ ଗରୀବ ପରିବାରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ।ତାଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଓ ମାତାଙ୍କ ନାମ ସେବତୀ ଦେବୀ। ବାଲ୍ୟ କାଳରେ ଗଙ୍ଗାଧର ତାଙ୍କ ପିତାମହ ସଦାଶିବ ମେହେରଙ୍କ ସହ ପ୍ରତିଦିନ ପ୍ରାତଃ ସ୍ନାନ କରି ଗ୍ରାମରେ ଥିବା ଜଗନ୍ନାଥ ଦେବଙ୍କୁ ଦର୍ଶନ କରୁଥିଲେ। ସେଥିପାଇଁ ବାଲ୍ୟ କାଳରୁ ତାଙ୍କ ହୃଦୟରେ ଧର୍ମଭାବ ଦୃଢ଼ୀଭୂତ ହୋଇଥିଲା। ଚୈତନ୍ୟ ମେହେର ଲୁଗା ବୁଣାରେ ଦକ୍ଷ ଥିଲେ।ତା ସହିତ ବୈଦ୍ଯ ବୃତ୍ତି କରି ସାମାନ୍ୟ ଆୟ କରୁଥିଲେ। ସେତେବେଳକୁ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ବିଦ୍ୟାଳୟର ସଂଖ୍ୟା ଅତି ଅଳ୍ପ। କିନ୍ତୁ ବରପାଲି ଠାରେ ଗୋଟିଏ ଚାଟଶାଳୀ ଥିଲା।ସାତ ଆଠ ବର୍ଷ ବେଳକୁ ଗଙ୍ଗାଧର ଏହି ପାଠଶାଳାରେ ଅଳ୍ପକାଳ ପଢ଼ିଛନ୍ତି,ପାଠଶାଳା ଟି ବନ୍ଦ ହୋଇଗଲା। ଥରେ ବରଗଡ଼ ତହସିଲଦାର ବରପାଲି ଗସ୍ତରେ ଆସିଥିଲେ। ଜଣେ ଗ୍ରାମବାସୀ ଚୈତନ୍ୟ ମେହେରଙ୍କ ଉପରେ ଶତ୍ରୁତା ସାଧିବା ଉଦ୍ଦେଶ୍ୟରେ ତହସିଲଦାରଙ୍କ ନିକଟରେ ଗଙ୍ଗାଧର ମେହେରଙ୍କ ନାଁ ଲେଖାଇ ଦେଇଥିଲେ। ତହସିଲଦାର ଚୈତନ୍ୟ ଙ୍କୁ ଡକାଇଲେ ଓ ଗଙ୍ଗାଧର ଙ୍କୁ ବିଦ୍ୟାଳୟ ପଠାଇବା ନିମନ୍ତେ ଚୁକ୍ତିପତ୍ର ସ୍ଵାକ୍ଷରିତ କରାଇନେଲେ। ଅନିଚ୍ଛା ସତ୍ତ୍ବେ ଚୈତନ୍ୟ ଗଙ୍ଗାଧର ଙ୍କୁ ବରପାଲି ର ବ୍ରାଞ୍ଚ ସ୍କୁଲକୁ ପଠାଇଲେ। ସେଠାରେ ବର୍ଣ୍ଣ ପରିଚୟ, ପଣିକିଆ ଓ ସାମାନ୍ୟ ଗଣିତ ଶିଖି ଗଙ୍ଗାଧର ଛ ମାସ ପରେ ଦ୍ଵିତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ। ଦ୍ଵିତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ପାଇଁ ଗ୍ରାମର ଏକ ପ୍ରାନ୍ତରେ ଅନ୍ୟ ଗୋଟିଏ ଗୃହ ଥିଲା। ଗଙ୍ଗାଧର ବ୍ରାଞ୍ଚ ସ୍କୁଲରେ ପଢା ଶେଷ କରି ଏହି ସ୍କୁଲରେ ପଢିଲେ। ସେତେବେଳେ ବୁଦ୍ଧିମାନ ବାଳକ ମାନେ ଛ ମାସରେ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରୁଥିଲେ। ଗଙ୍ଗାଧର, ପ୍ରତି ଛ ମାସରେ ଗୋଟିଏ ଗୋଟିଏ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଗଲେ। ଏହିପରି ଗଙ୍ଗାଧର ପଞ୍ଚମ ଶ୍ରେଣୀ ପାଠ ଶେଷ କଲେ। ଏଠାରେ ଅଧ୍ୟୟନ କରୁଥିବା ସମୟରେ ଚୈତନ୍ୟଙ୍କ ଅନୁରୋଧ ରକ୍ଷା କରି ପ୍ରଧାନ ଶିକ୍ଷକ ଗଙ୍ଗାଧରଙ୍କୁ, ତାଙ୍କ ଲୁଗାବୁଣା ରେ ସାହାଯ୍ୟ କରିବା ପାଇଁ,ପ୍ରତିଦିନ ବେଳାଏ ବିଦ୍ୟାଳୟରୁ ଅବ୍ୟାହତି ଦେଉଥିଲେ। ସନ୍ଧ୍ୟା ସମୟରେ ଗଙ୍ଗାଧର ବିଦ୍ୟାଳୟ ଶିକ୍ଷକଙ୍କ ପାଖକୁ ଯାଇ ପାଠ ପଢା ଠିକ୍ କରି ନେଉଥିଲେ।ନର୍ମାଲ ପରୀକ୍ଷା ଦେବା ପାଇଁ ଗଙ୍ଗାଧର ମନୋନୀତ ହୋଇଥିଲେ ହେଁ ଉକ୍ତ ପରୀକ୍ଷା ବର୍ଷା ଋତୁରେ ସମ୍ବଲପୁରରେ ହେଉ ଥିବାରୁ ବରପାଲି ଠାରୁ ସମ୍ବଲପୁର ଯିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ତେଣୁ ପରୀକ୍ଷା ଦେଇ ପାରିଲେ ନାହିଁ।
ବରପାଲି ବିଦ୍ୟାଳୟରେ ସେତେବେଳେ ସଂସ୍କୃତଜ୍ଞ ପଣ୍ଡିତ ଘନଶ୍ୟାମ ମିଶ୍ର ଶିକ୍ଷକତା କରୁଥିଲେ। ଗଙ୍ଗାଧରଙ୍କ ପ୍ରତିଭା ଲକ୍ଷ୍ୟ କରି ସେ ଅନ୍ଯ ଦୁଇ ଜଣ ଛାତ୍ରଙ୍କ ସହିତ ଗଙ୍ଗାଧରଙ୍କୁ ସଂସ୍କୃତ ବ୍ୟାକରଣ ଶିକ୍ଷା ଦେଲେ। ବିଦ୍ୟାଳୟ ଛାଡିବା ପରେ ମଧ୍ୟ ଗଙ୍ଗାଧର ପଢ଼ିବା ଅଭ୍ୟାସ ଛାଡି ନଥିଲେ।
ଓଡ଼ିଶାର ରୀତି ଯୁଗ କବିମାନଙ୍କ ପରି ଗଙ୍ଗାଧର ମେହେର ବାଲ୍ୟ କାଳରୁ କବିତା ରଚନା କରୁଥିଲେ। ତାଙ୍କ ଆଦ୍ୟ ରଚନାବଳୀ ମଧ୍ୟରେ 'ରସ ରତ୍ନାକର' ଓ 'ଅହଲ୍ୟା ସ୍ତବ' ଅନ୍ୟତମ।
"ରସାଳସେ କରୁ ବିହାର ଆସି ଏକ ଭ୍ରମର
ରମଣିମୁଖରେ ବସନ୍ତେ ଝାଡି ଭାଷିଲା ଗିର।
ରଜଃପୁର୍ଣ୍ଣ ଫୁଲ କୁସୁମ ମୁଁ ତ ନୁହେଁ ଭ୍ରମର
ରସଲୋଭେ ମୋତେ ବିଅର୍ଥେ କିପାଁ କରୁ କାତର?"
'ରସରତ୍ନାକର' ର ପଦଲାଳିତ୍ଯ ଏଥିରୁ ଅନୁମାନ କରିହୁଏ।
ସେ 'ଅହଲ୍ୟା ସ୍ତବ' ର ସଂସ୍କୃତ ଛନ୍ଦକୁ ବଙ୍ଗଳା ଶ୍ରୀ ରାଗରେ ପରିବର୍ତ୍ତିତ କରିଥିଲେ।
"ହେ ମହୀମଣ୍ଡନ ଜଗତବନ୍ଦନ
ଭକତମୁକତିଖଣି,
ସଂସାର ସାଗର ତାରଣତତ୍ପର
କଇବର୍ତ୍ତଚୁଡାମଣି।
ସାଧବପାଳନ ଦୁଷ୍ଟବିନାଶନ କାରଣେ ଜାତ ଭୂତଳେ
ତୁମ୍ଭ ଶ୍ରୀଚରଣ - କମଳେ ମୋ ମନ-
ଭ୍ରମର ରହୁ ନିଶ୍ଚଳେ।"
ଆଧୁନିକ ଶୈଳୀରେ ସେ ରଚନା କଲେ ଇନ୍ଦୁମତୀ କାବ୍ୟ।
ସେତେବେଳକୁ ମୟୂରଭଞ୍ଜ ମହାରାଜାଙ୍କ ଆନୁକୁଲ୍ୟରେ ଉତ୍କଳପ୍ରଭା ପତ୍ରିକା ପ୍ରକାଶ ପାଉଥିଲା। ଏଥିରେ ରାଧାନାଥଙ୍କ ଚିଲିକା ପ୍ରଥମେ ପ୍ରକାଶିତ ହୋଇଥିଲା। ଗଙ୍ଗାଧରଙ୍କ ଇନ୍ଦୁମତୀ ବି ଏହି ଉତ୍କଳପ୍ରଭାରେ ପ୍ରକାଶିତ ହେଲା ଓ କବି ଗଙ୍ଗାଧର, ଏଥିପାଇଁ ପୁରସ୍କାର ଆକାରରେ ପଚିଶ ଟି ମୁଦ୍ରା ପାଇଥିଲେ।ଇନ୍ଦୁମତୀର ପ୍ରକାଶ ଦ୍ଵାରା ଗଙ୍ଗାଧର, ଉତ୍କଳୀୟ ପାଠକମାନଙ୍କ ଠାରୁ ଯଥେଷ୍ଟ ପ୍ରଶଂସା ପାଇଲେ। ରାଧାନାଥ ଏହାର ଉଚ୍ଚ ପ୍ରଶଂସା କରିଥିଲେ।ପଲ୍ଲୀକବି ନନ୍ଦକିଶୋର ବଳ, କବି ଗଙ୍ଗାଧର ଙ୍କର ପ୍ରଶଂସା କରି ଗୋଟିଏ କବିତା ଲେଖିଥିଲେ।
"ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ
କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ।
କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ
ଯେତେ ଦିନ ଭବେ ଥିବ ଓଡ଼ିଆ ସାହିତ୍ୟ।"
ତାଙ୍କର ଅନ୍ୟ କାବ୍ୟ ଗୁଡ଼ିକ ହେଲା ଉତ୍କଳ ଲକ୍ଷ୍ମୀ,କୀଚକ ବଧ, ତପସ୍ଵିନୀ,ପ୍ରଣୟ ବଲ୍ଲରୀ,ମହିମା, କବିତା କଲ୍ଲୋଳ, ଅଯୋଧ୍ୟା ଦୃଶ୍ୟ, ବଳରାମ ଦେବ, ପଦ୍ମିନୀ।
ତାଙ୍କ କବିତା ମଧ୍ୟରେ ଅର୍ଘ୍ୟଥାଳୀ, ମାତୃଭୂମି, ଅର୍ପଣ,ଆଶ୍ରମେ ପ୍ରଭାତ,ଖଦ୍ଯୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ,ଭାରତୀ ଭାବନା, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର, ମହାଜନ,ସୁଭାବ ଓ ସ୍ଵଭାବ, ଉତ୍କଳ ଭାରତୀଙ୍କ ଉକ୍ତି,ନର ଓ ମୟୂର,ଭରସା,ମଧୁପର ମଧୁଭିକ୍ଷା,ଧନପ୍ରତି, ବସନ୍ତ ବ୍ରତ ଆଦି ପ୍ରଧାନ।
ତାଙ୍କର ମାନସ କନ୍ୟା ସର୍ବାଧିକ ଲୋକପ୍ରିୟ କାବ୍ୟ ତପସ୍ଵିନୀ।
ଏହି କାବ୍ୟର ପ୍ରଥମ ସର୍ଗ, ମଙ୍ଗଳ ଗୁଜ୍ଜରୀ ରାଗରେ।
"କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ- ଶୁଭ -ବେଶା,
ଇନ୍ଦ୍ରନୀଳ-ଦ୍ଯୁତି- ଜିତ- ମନୋହର- କେଶା?୧।
ତନୁକାନ୍ତି ଭେଦି ତୋର ଶୁଭ୍ର ସୁକ୍ଷ୍ମ ବାସ
ଆହ୍ଲାଦ ଦେଉଛି ହୃଦେ ହୋଇ ସୁପ୍ରକାଶ।୨।"
ଦ୍ଵିତୀୟ ସର୍ଗରେ ମହନୀୟ ବାଲ୍ମୀକି ସୀତାଙ୍କୁ ନିର୍ଭୟରେ ରହିବା ପାଇଁ ଆଶ୍ଵସନା ଦେଇଛନ୍ତି।
"ଶ୍ଵଶୁର ତୋ ମୋର ସୁହୃଦ
ସେହିପରି ତୋ ପିତା
ଅସଙ୍କୋଚେ ରହ ଆଶ୍ରମେ
ମଣି ସଂସାର ପିତା।୬୦।
ମୋ ଆଶ୍ରମେ ତୋର ନ ଥିବ
କଉଣସି ଭାବନା,
ଜନମିବ ଯେଉଁ ସନ୍ତାନ
ତାର ପାଇଁ ଭାବନା।୬୧।"
୧୯୧୪ ମସିହାରେ ପୁସ୍ତକ ଆକାରରେ ପ୍ରକାଶିତ ଏହି କାବ୍ୟରେ ରାମଙ୍କ ବିରହ ବ୍ୟଥା ସମ୍ପର୍କରେ କେତେକ ପଂକ୍ତି ଏହି କାବ୍ୟର ମହନୀୟତାର ଅନନ୍ୟ ଉଦାହରଣ।
"ନାହିଁ ସିନା ଘରେ ହୃଦ -ପ୍ରେମ- ସରେ
ମୋ ପ୍ରିୟା -କମଳ-କଳି,
ପଡ଼ିଅଛି ଫୁଟି ମକରନ୍ଦ ଲୁଟି
କରୁଅଛି ମନ-ଅଳି।୨୪।
ନୟନ ଯୁଗଳ କାହିଁକି ବିକଳ
ହୋଇ ଛାଡୁଅଛି ଜଳ
ଶୁଖିଗଲେ ସର କମଳିନୀ ମୋର
ହୋଇଯିବ ଟଳ ଟଳ।୨୫।
ବକ୍ଷ ତୁ ପଥର- ବନ୍ଧ ହୋଇ କର
ରୁଦ୍ଧ ନେତ୍ର -ଜଳ -ନାଳୀ,
ନାସିକା-ପବନ ନ ବହିବୁ ଘନ
କମ୍ପିବ ପ୍ରାଣ- ସଙ୍ଖାଳି।୨୬।
ଲକ୍ଷ୍ମଣ ଆସିବ ସମସ୍ତ ଭାଷିବ
ଜୀବନ -ସଙ୍ଗିନୀ କଥା,
ଶ୍ରବଣ ଯୁଗଳ ନ ହୁଅ ଚଞ୍ଚଳ
ଶୁଣିବ ମୁଞ୍ଚିବ ବ୍ୟଥା।୨୭।"
(ତପସ୍ଵିନୀ -ତୃତୀୟ ସର୍ଗ, ରାଗ-ବଙ୍ଗଳାଶ୍ରୀ )
ପୁଣି ସେହି ତୃତୀୟ ସର୍ଗରେ,
"ରାବିଲା ଶର୍ବରୀ ପେଚା -ବେଶ ଧରି
କ୍ରମେ ହୋଇ କ୍ଷୀଣପ୍ରାଣ,
ରକତେ ଗଗନ ପ୍ଳାବି ପଳାୟନ
ଉପାୟେ ପାଇଲା ତ୍ରାଣ।୬୯।
ପ୍ରେମିକ ପ୍ରେମିକା ପଦେ ଅହମିକା
ବିକି ଦେଇ ତାରାଗଣ,
ପୁଷ୍ପ ବେଶେ ଝଡି ଅବନୀରେ ପଡ଼ି
ଲୋଡିଲେ ତାଙ୍କ ଶରଣ।୭୦।
ଶରଣ-ବତ୍ସଳ ରଘୁନାଥ ଛଳି
ନ ଧରି ରଖିଲେ ମାନ,
ଦେଲେ ଏହି ବର "ଯୁଗ ଯୁଗାନ୍ତର
ମସ୍ତକେ ପାଇବ ସ୍ଥାନ।"୭୧।"
(ଚତୁର୍ଥ ସର୍ଗରେ ରାଗ-ଚୋଖି।)
"ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା
ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର
ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି,
କଳକଣ୍ଠ କଣ୍ଠେ କହିଲା,
"ଦରଶନ ଦିଅ ସତୀ ରାତି ପାହିଲା।"୧।
ଅରୁଣ କଷାୟବାସ କୁସୁମ କାନ୍ତି ବିକାଶ
ପ୍ରଶାନ୍ତ ରୂପ ବିଶ୍ଵାସ ଦିଅନ୍ତି ମନେ,
କେଉଁ ଯୋଗେଶ୍ଵରୀ ଆସି ମଧୁର ଭାଷେ ଉଶ୍ଵାସି
ଡାକୁଛନ୍ତି ଦୁଃଖରାଶି ଉପଶମନେ,
ଦେବା ପାଇଁ ନବ ଜୀବନ
ସ୍ଵର୍ଗୁ କି ଉହ୍ଲାଇଛନ୍ତି ମର୍ତ୍ତ୍ଯ ଭୁବନେ।୨।
ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ
ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା।୩।"
ଏହି କାବ୍ୟ, ଏକାଦଶ ସର୍ଗର ଶେଷ ଭାଗରେ ସୀତା ରାମଙ୍କ ଜୟଗାନରେ ମହନୀୟ ହୋଇ ଉଠିଛି।
"ରଜନୀ ବାସରେ ସନ୍ଧ୍ୟା ପ୍ରଭାତ ସମୟେ,
ସୁଖେ ଦୁଃଖେ ଧନୀ ଧନ-ହୀନର ହୃଦୟେ,
ଉଚ୍ଚାରିତ ହେଉଅଛି "ଜୟ ସୀତା ରାମ",
ଚାହିଁ ମୁଗ୍ଧ ହେଲେ ସତୀ- ଲଳନା- ଲଲାମ।"
୧୯୧୨ ମସିହା ପ୍ରାରମ୍ଭରେ 'ତପସ୍ଵିନୀ' ରଚନା ଆରମ୍ଭ ହୋଇଥିଲା।
ପ୍ରଣୟ ବଲ୍ଲରୀ ର ପ୍ରଥମ ସର୍ଗରେ କବି ପ୍ରଥମେ ବେଦବ୍ୟାସ ଓ କାଳିଦାସଙ୍କ ଜୟଗାନ କରିଛନ୍ତି। ସମଗ୍ର ଭାରତୀୟ ସାହିତ୍ୟରେ ଏଭଳି ପୂଜ୍ୟପୂଜା ଅନନ୍ୟ।
"ଜୟ ବେଦବ୍ୟାସ ଜୟ କାଳିଦାସ
ଭାରତୀ- ପ୍ରିୟ -ନନ୍ଦନ,
ତୁମ୍ଭେ ଜ୍ଞାନଗୁରୁ କବିମଣ୍ଡଳୀର
ଲଲାଟ -ଶୋଭା- ଚନ୍ଦନ।
ତୁମ୍ଭ ଚରଣରେ ଲଗାଉଛି ବିଧି
ମୋ ହୃଦ-ଦୃଢ- ବନ୍ଧନ,
ତୁମ୍ଭ ପଛେ ଥାଇ ଭାରତୀ-ଚରଣେ
ବିନୟେ କରେଁ ବନ୍ଦନ।
ଯେଉଁ ପଥେ ଗମି ଭ୍ରମିଛ ଗୁରୁ ହେ
ଭାରତୀ-କୁସୁମ- ବନେ,
ସେହି ପଥେ ଚାଲି ତୋଳିବି କୁସୁମ
ପଡିବ ଯେତେ ନୟନେ।"
ସ୍ଵଭାବ କବି ଗଙ୍ଗାଧର ମେହେର,ପ୍ରଣୟ- ବଲ୍ଲରୀ କାବ୍ୟରେ ଉତ୍କଳୀୟ ଲେଖକଙ୍କ ସ୍ଵକୀୟ କବିତାରସ ପ୍ରକ୍ଷେପ କରିଛନ୍ତି।
ପ୍ରକୃତି କବି ଗଙ୍ଗାଧର ମେହେର, ତାଙ୍କର ଅନନ୍ୟ ସୃଷ୍ଟି ପାଇଁ ଚିରସ୍ମରଣୀୟ ହୋଇ ରହିବେ।
୨୦୨୨ ମସିହାରେ ପ୍ରକାଶିତ ମୋ ଲିଖିତ 'ଓଡିଆ ସାହିତ୍ୟର ଯଶସ୍ଵୀ ସ୍ରଷ୍ଟା' ପୁସ୍ତକର ଏକ ଅଂଶ।
(ବାବାଜୀ ଚରଣ ଦାସ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯)