ଝାରସୁଗୁଡ଼ା :-
ଲଇକେରା ପଞ୍ଚାୟତ ସମିତି ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ସଂଜିତ କୁମାର ନାଏକ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଘୁଟା,ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୧୮ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୦୪ ଟି ସାମୁହିକ ୧୪ଟି ବ୍ୟକ୍ତିଗତ। କୁଲେମୁରା ଅଧିନସ୍ଥ ସାଲହେଟିକ୍ରା ଗ୍ରାମର ରୁଗୁଡ଼ିବନ୍ଧ(ଚନ୍ଦନ ପୋଖରୀ) କୁ ଗାଧୁଆ ବନ୍ଧ ରୂପେ ସଂରକ୍ଷିତ କରିବା ,ଖୁନ୍ତାମାଲ ଗ୍ରାମ ପଂଚାୟତ ଚାଷୀ ପଂଜିକରଣରେ ନାରାୟଣୀ ଏସ.ଏଚ.ଜି . ଗ୍ରୁପର ଅନିୟମିତତା , ଭାତଲଇଡା ଗ୍ରାମର ମଦଭାଟି ବନ୍ଦସାଙ୍ଗକୁ କୁଚିଆ ମଦ ଭାଟି ଉଚ୍ଛେଦ ସମ୍ବନ୍ଧିତ ସାମୁହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ସେହିପରି ଶିବିରରେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ଜଣଙ୍କୁ ଚିକିତ୍ସା ବାବଦକୁ ରେଡକ୍ରସ ତରଫରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଅଭିଯୋଗଗୁଡିକ ତର୍ଜମା ପୂର୍ବକ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।