ଭୁବନେଶ୍ୱର:-
ପଶ୍ଚିମ ବଙ୍ଗ ସରକାରଙ୍କ ଅସହଯୋଗ ମନୋଭାବ ଯୋଗୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଶନିବାର ରାଜ୍ୟର ବିଭିନ୍ନ ଗୋଦାମକୁ ୩୦୦ ଟ୍ରକ ଆଳୁ ଆସିଥିବା ଜଣାପଡିଛି। ସେଥିରୁ ପଶ୍ଚିମବଙ୍ଗରୁ ଝାଡ଼ଖଣ୍ଡ ଦେଇ ୨୭୦ ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍ ଆସିଛି।
ଯଦିଓ ପାଇକାରୀ ଦର କିଲୋ ପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି। ଏବେ ମଧ୍ୟ ଖୁଚୁରା ବଜାରରେ କେଉଁଠି କେଉଁଠି ଆଳୁ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ଏକ ନମ୍ବର ହାଟରେ ଚଢ଼ଉ କରାଯାଇ କିଲୋ ପିଛା ୩୫ରୁ ୩୮ ଟଙ୍କାରେ ବିକିବାକୁ ତାଗିଦ କରାଯାଇଛି। ଅନ୍ୟପଟେ ଯୋଗାଣ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ କିଣାଯାଇ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି। ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରେ ୧୦୦ ଟଙ୍କାରେ ୩ କିଲୋ ଆଳୁ ଦିଆଯାଇଛି। ଯେ ପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି। ଅଧିକ ଦରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ତାଗିଦ କରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗାଣ ବିଭାଗ ଅଧିକାରୀ ଚେତାବନୀ ମଧ୍ୟ ଦେଇଛନ୍ତି। କିନ୍ତୁ ସାଧାରଣ ଗ୍ରାହକଙ୍କ ଅଭିଯୋଗ ଚଢ଼ଉ ସମୟରେ ଆଳୁ ରେଟ କମୁଛି , ଅଧିକାରୀ ମାନେ ଯିବା ପରେ ଆଳୁ ରେଟ ବଢୁଛି।
ସମସ୍ୟାର ସମାଧାନ ଲାଗି ଆଳୁର ବଜାର ଦର ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଆଣ୍ଟା ଭିଡିଛନ୍ତି। ପରିବାର ପିଛା ୩ କିଲୋ ଆଳୁ ୧୦୦ ଟଙ୍କା ଦେଇ କିଣିପାରିବେ ଶୁଣିବା ପରେ ଲୋକେ ଭିଡ ଲଗାଇଛନ୍ତି। ଏଥିପାଇଁ ରାସନ କାର୍ଡ଼ ଦେଖାଇବାକୁ ପଡୁନଥିବାରୁ ଭିଡ ବଢ଼ି ଯାଇଛି। ଅନ୍ୟପଟେ ଆଳୁ ଦର ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା କହିଛି ବ୍ୟବସାୟୀ ସଂଘ। କିନ୍ତୁ ବଜାରରେ ଦର ନିୟନ୍ତ୍ରଣ ପାଇଁ ସମୟ ଲାଗିବ। ଆଜି ଆଇଗିଣିଆ ଆଳୁ ଗଦିରେ ୨୩ ରୁ ୨୪ ଗାଡ଼ିରେ ଆଳୁ ଆସିଛି। ଯାହାର ପାଇକାରି ଦର ୨୮୦୦ ରୁ ୨୯୦୦ ରହିଥିବା ଜଣାପଡିଛି।
ଅପରପକ୍ଷେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଅସାଧୁ ବ୍ୟବସାୟୀ ମନଇଛା ଦରରେ ଆଳୁ ବିକ୍ରୀ କରୁଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ୱର ୟୁନିଟ ୧ ମାର୍କେଟର ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରୀ କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଭୁବନେଶ୍ୱର ୟୁନିଟ ୧ ମାର୍କେଟରେ ଯୋଗାଣ ବିଭାଗର ଚଢ଼ାଉ କରାଯାଇଛି। ସରକାର ଧାର୍ଯ୍ୟ କରିଥିବା ଦାମରେ ଆଳୁ ବିକ୍ରୀ କରିବାକୁ ୟୁନିଟ ୧ ବ୍ୟବସାୟୀଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀମାନଙ୍କ ସହିତ ଆଲୋଚନା ପରେ କେତେ ଦରରେ ସେମାନେ ଆଳୁ ବିକ୍ରୀ କରିବେ ତାହା ଯୋଗାଣ ବିଭାଗ ଅଧିକାରୀ ଧାର୍ଯ୍ୟ କରିଛନ୍ତି। ଭୁବନେଶ୍ୱର ୟୁନିଟ ୧ ମାର୍କେଟର ଆଳୁ ବ୍ୟବସାୟୀ କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରୀ କରିବାକୁ ଯୋଗାଣ ବିଭାଗ ଅଧିକାରୀ ନିର୍ଦେଶ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଲୋଗ୍ରାମ ପ୍ରତି ଆଳୁ ୩୦ ଟଙ୍କାରେ ଖାଉଟିଙ୍କୁ ଦିଆଯିବ। ଆଲୋଚନାସତ୍ତ୍ୱେ ପଶ୍ଚିମବଙ୍ଗଳୁ ଆଳୁ ଆସି ପାରୁନାହିଁ।
ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ। ଦିନକ ପରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ଟଙ୍କାରେ ଆଳୁ ଦେବୁ। ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ। ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ। ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ। ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ। ବିକ୍ରୟ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ୩ କିଲୋକୁ ୧୦୦ ଟଙ୍କା ଦରରେ ଗ୍ରାହକମାନେ ଆଳୁ ପାଇପାରିବେ। ଆଳୁ ସଙ୍କଟ ଭିତରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

.jpeg)