ହିଂସାଗ୍ରସ୍ତ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଆକ୍ରମଣ ଜାରି ରହିଛି। ହିନ୍ଦୁଙ୍କ ଉପରେ ବହୁଳ ଭାବେ ଆକ୍ରମଣ ହେଉଥିବାରୁ ଏହାର ପ୍ରତିବାଦରେ ଜାତିସଂଘ ମୁଖ୍ୟାଳୟ ବାହାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ୱାସିଂଟନର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ହିନ୍ଦୁଆକ୍ସନ' କହିଛି ଯେ ସବୁ ବର୍ଗର ଲୋକ ସ୍ବତଃସ୍ଫୁର୍ତ୍ତ ଭାବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ତତ୍କାଳ ସୁରକ୍ଷା ଉପଲବ୍ଧ କରାଇବାକୁ ଜାତିସଂଘ ଓ ଆମେରିକାର ହସ୍ତକ୍ଷେପ ଦାବି କରିଥିଲେ।
ନ୍ୟୁୟର୍କର ଅନ୍ୟ କେତେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି 'ହିନ୍ଦୁଆକ୍ସନ' ପକ୍ଷରୁ କୁହାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଯେଉଁଭଳି ହିଂସା ଚାଲିଛି ତାହା ମାନବତା ବିରୋଧରେ ବହୁତ ବଡ଼ ଅପରାଧ ଏବଂ ଏହାକୁ ସଭ୍ୟ ସମାଜ ବରଦାସ୍ତ କରିବ ନାହିଁ ବୋଲି ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ କହିଛନ୍ତି।
ଅନେକ ଆମେରିକୀୟ ସାଂସଦ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ତୁରନ୍ତ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପବ୍ଲିକାନ୍ ସାଂସଦ ପ୍ୟାଟ୍ ଫାଲନ୍ କହିଛନ୍ତି, ବାଂଲାଦେଶରେ ଚାଲିଥିବା ରାଜନୈତିକ ହିଂସା ଓ ଧାର୍ମିକ ନିର୍ଯାତନାକୁ ଦୃଢ଼ ନିନ୍ଦା କରୁଛି। ମୁଁ ଅନ୍ତରୀଣ ସରକାରକୁ ଅନୁରୋଧ କରୁଛି ଯେ ବାଂଲାଦେଶୀ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରନ୍ତୁ ଏବଂ ତୁରନ୍ତ ହିନ୍ଦୁଙ୍କ ବିରୋଧରେ ହିଂସା ବନ୍ଦ କରନ୍ତୁ। ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଅନ୍ୟ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ନିନ୍ଦନୀୟ। ଯେଉଁମାନେ ଏହି ହିଂସାକାଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ଏଥିରେ ଭାଗ ନେଇଛନ୍ତି ସେମାନଙ୍କୁ ଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି। ଭାରତୀୟ-ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବନ୍ଦ କରିବା ପାଇଁ ବାଂଲାଦେଶ ସରକାର ସହ ମିଶି କାମ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାୟନ କରିବା ପରେ ଦେଶର ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହୋଇଥିବା ହିଂସାକୁ ବିରୋଧ କରି ଶୁକ୍ରବାର ହଜାର ହଜାର ଲୋକ ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହସିନା ଦେଶ ଛାଡ଼ିବା ପରେ ମୁସଲମାନ ବହୁଳ ବାଂଲାଦେଶରେ ହିନ୍ଦୁଙ୍କ ଘର, ବ୍ୟବସାୟ ଓ ମନ୍ଦିରକୁ ଟାର୍ଗେଟ କରାଯିବାରୁ ଜଣେ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୪୫ ଜଣ ଆହତ ହୋଇଛନ୍ତି। ବାଂଲାଦେଶର ୧୭ କୋଟି ଜନସଂଖ୍ୟାର ପ୍ରାୟ ୮ ପ୍ରତିଶତ ହିନ୍ଦୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାରମ୍ପରିକ ଭାବେ ହସିନାଙ୍କ ଆୱାମୀ ଲିଗ୍ ପାର୍ଟିକୁ ସମର୍ଥନ କରି ଆସୁଛନ୍ତି।