Type Here to Get Search Results !

ଓଜନ କମାଇବାକୁ ଚୁଟି କାଟିଥିଲେ, ରକ୍ତ ବାହାର କରିଥିଲେ ଭିନେଶ

 


ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ପକ୍କା କରିଥିବା ରେସଲର ଭିନେଶ ଫୋଗାଟଙ୍କୁ ସ୍ୱର୍ଣ୍ଣ ଲଢ଼େଇ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ସେ ମହିଳା ୫୦ କେଜି ବର୍ଗ ରେସଲିଂରେ ଫାଇନାଲକୁ ମଙ୍ଗଳବାର ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ।

ହେଲେ ବୁଧବାର ତାଙ୍କୁ ଅଧିକ ଓଜନ(୫୦ କେଜିରୁ ଅଧିକ) ପାଇଁ ପୂରା ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଛି।

ଏହି ଖବର କୋଟି କୋଟି ଭାରତୀୟଙ୍କ ପଦକ ଜିତିବାର ସ୍ୱପ୍ନକୁ ଚୂରାମାର କରି ଦେଇଛି।

ମଙ୍ଗଳବାର ହ୍ୟାଟ୍ରିକ ବିଜୟ ସହ ଭିନେଶ ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ରାତାରାତି ତାଙ୍କ ଓଜନ ୧ କେଜି ବଢ଼ି ଯାଇଥିଲା। ଏହାକୁ କମ କରି ଫାଇନାଲ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବାକୁ ଭିନେଶ ଲାଗି ପଡ଼ିଥିଲେ।

ସେ ଓଜନ କମାଇବା ପାଇଁ ନିଜର ଚୁଟି କାଟି ଦେଇଥିଲେ। ଏପରି କି ଶୀରାରୁ କିଛି ରକ୍ତ ମଧ୍ୟ ବାହାର କରି ଓଜନ କମାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତେ ସବୁ ଉଦ୍ୟମ ପରେ ମଧ୍ୟ ତାଙ୍କ ଓଜନ ଧାର୍ଯ୍ୟ ସୀମା ମଧ୍ୟରେ ରହି ନଥିଲା। ସେ ଓଜନ କମାଇବାକୁ ରାତିରାତି ସାଇକେଲିଂ ମଧ୍ୟ କରିଥିଲେ। ଏତେ ସବୁ ପରିଶ୍ରମ ପରେ ତାଙ୍କ ଓଜନ ୯୦୦ ଗ୍ରାମ କମିଥିଲା।

ଆଉ ୧୦୦ ଗ୍ରାମ ଓଜନ ନ କମିବାରୁ ତାଙ୍କୁ ଡିସକ୍ୱାଲିଫାଏଡ କରି ଦିଆଯାଇଥିଲା। ଏହି ଖବର ପାଇବା ପରେ ଭିନେଶ ପୂରା ହତାଶ ହୋଇପଡ଼ିଛନ୍ତି। ସେ ଖବର ପାଇ ଅଚେତ ହୋଇଯିବାରୁ ତାଙ୍କୁ ପ୍ୟାରିସର ଗୋଟିଏ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ରେସଲିଂରେ ରୌପ୍ୟ ଜିତିଥିବା ରବି ଦାହିୟା କହିଛନ୍ତି, ଆଥଲେଟମାନଙ୍କୁ ନିଜର ଓଜନ ରିପୋର୍ଟ ଦାଖଲ କରିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥାଏ। ଉଦାହରଣ ସ୍ୱରୂପ, ଯଦି ଜଣେ ଖେଳାଳିଙ୍କ ଓଜନ ସନ୍ଧ୍ୟା ୮.୦୫ରେ ଧାର୍ଯ୍ୟ ଠାରୁ ଅଧିକ ରହିଥାଏ, ତା’ହେଲେ ଏହାକୁ ହ୍ରାସ କରିବା ପାଇଁ ବେଳେବେଳେ ୮.୩୦ ଯାଏ ସମୟ ଦିଆଯାଇ ଥାଏ।

ଯଦି ୮.୩୧ ବେଳକୁ ଓଜନ ଧାର୍ଯ୍ୟ ସୀମା ଠାରୁ ଅଧିକ ରହିଥିବା ଜଣାପଡ଼େ, ତା’ହେଲେ ଏଥିରେ ସୁଧାର ଆଣିବାରେ ଆଉ କୌଣସ ସୁଯୋଗ ମିଳି ନଥାଏ ବୋଲି ଦାହିୟା କହିଛନ୍ତି।



ଓଭର ୱେଟ କ୍ଷେତ୍ରରେ ଆଥଲେଟମାନଙ୍କୁ ଅତ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମଙ୍ଗଳବାର ନିଜର ମ୍ୟାଚ୍ ଶେଷ କରିବା ପରେ ଭିନେଶ ସିଧା ଟ୍ରେନିଂ ସେକସନଙ୍କୁ ଯାଇଥିଲା। ସେ ଖାଦ୍ୟ ମଧ୍ୟ ଖାଇ ନଥିଲେ। ବୁଧବାର ଟ୍ରେନିଂରୁ ତାଙ୍କ ସକାଳ ଆରମ୍ଭ ହୋଇଥିଲା। ପୂର୍ବରୁ ସେ ୫୩ କେଜି ବର୍ଗରେ କୁସ୍ତି କରୁଥିଲେ। କିନ୍ତୁ ପ୍ୟାରିସ ପାଇଁ ସେ ନିଜର ଓଜନ କମାଇଥିଲେ।

ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭିନେଶଙ୍କ କୋଚ ତାଙ୍କୁ ଚୁଟି କାଟିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଓଜନ ୫୦ ଗ୍ରାମ କମିବ ବୋଲି ସେ କହିଥିଲେ। ହେଲେ ସେତେବେଳେ ଭିନେଶ ଚୁଟି କାଟି ନଥିଲେ। କିନ୍ତୁ ଏବେ ସେ ନିଜ ଆଡ଼ୁ ୫୦ କେଜି ବର୍ଗ ସୀମାରେ ରହିବା ପାଇଁ ଚୁଟି କାଟିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.