ଭୁବନେଶ୍ୱର:-
ଆସନ୍ତା ୧୮ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା । ତେବେ ୧୭ ତାରିଖରେ ଇଦ୍ ପଡ଼ୁଥିବାରୁ ଏକାଡେମିକ୍ କ୍ୟାଲେଣ୍ଡର ଅନୁସାରେ ୧୮ରେ ସ୍କୁଲ ଖୋଲାଯିବ ।
ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କ୍ୟାମ୍ପସକୁ ପରିଷ୍କାର କରାଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍ ୧୭ ତାରିଖ ଦିନ ସ୍କୁଲକୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ଆସିବାକୁ କୁହାଯାଇଛି ।
ଅନ୍ୟପଟେ ୧୮ ତାରିଖରେ ସ୍କୁଲ ଖୋଲିବାକୁ ଏକାଡେମିକ୍ କ୍ୟାଲେଣ୍ଡରରେ ଥିବା ବେଳେ ଶିକ୍ଷକମାନଙ୍କୁ ୧୭ରେ ସ୍କୁଲ ଆସିବା ନିର୍ଦ୍ଦେଶକୁ ଶିକ୍ଷକ ସଂଘ ନିନ୍ଦା କରିଛି । ଶିକ୍ଷକ ନେତା ପ୍ରଦୀପ କୁମାର ନାୟକ କହିଛନ୍ତି, ଖରା ଛୁଟିରେ ଆମକୁ ରୋଷ୍ଟର ଡ୍ୟୁଟି କରାଇଲେ ସରକାର । ନିର୍ବାଚନ ଡ୍ୟୁଟିରେ ମଧ୍ୟ ନିୟୋଜିତ କରାଯାଇଥିଲା । ନିୟମ ଅଛି ୧୮ରେ ଯୋଗ ଦେବୁ ତେବେ କ'ଣ ପାଇଁ ଗୋଟିଏ ଦିନ ଆଗୁଆ ସ୍କୁଲ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ।