Type Here to Get Search Results !

ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା






ଭୁବନେଶ୍ୱର :-

ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା ୪୫ରେ ଶପଥ ଗ୍ରହଣ ଉତ୍ସବ। ପୋଲିସ ପକ୍ଷରୁ ମୋଦିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁଯାୟୀ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍‌ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତିଙ୍କ ଯୋଗ ଦେବେ।

ସୂଚନା ଅନୁଯାୟୀ ୧୨ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ଟ୍ରାଫିକ କଟକଣା ରହିବ। ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତ ରହିବ । ଏହି ସମୟରେ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ବାରଣ କରାଯାଇଛି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି ।

ସେହିପରି ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ। ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ ରହିବେ। ଆସନ୍ତାକାଲି ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି ରହିବ । ଏଥିସହିତ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ପୋଲିସ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶେଷ କରି ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଏହି ସମୟରେ ହୋଟେଲ୍‌କୁ ଆସୁଥିବା ବ୍ୟକ୍ତିଙ୍କର ତଥ୍ୟ ଯାଞ୍ଚ କରାଯାଉଛି। ହୋଟେଲ୍‌ଗୁଡ଼ିକ ଠିକ୍‌ ଭାବେ ଗ୍ରାହକଙ୍କ ନାମ, ଠିକଣା, ମୋବାଇଲ ନମ୍ବର ପଞ୍ଜୀକରଣ କରୁଛନ୍ତି ନା ନାହିଁ। ସରାଇ ଆପ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି ନା ନାହିଁ ତାହା ଅନୁଧ୍ୟାନ କରାଯାଉଛି। ସେହିପରି ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ କରାଯାଉଛି। ହୋଟେଲ୍‌ ଓ ବସ୍ତି ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାଛଡ଼ା ପ୍ରତି ଥାନାକୁ ସେମାନଙ୍କ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଡିସିପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.