ଭୁବନେଶ୍ବର:-
୨୦୧୩ ସେପ୍ଟେମ୍ବର ୧୧ ତାରିଖ। ସମୟ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା। ରସୁଲଗଡ଼ ଶବରସାହିସ୍ଥିତ ପ୍ଲଟ୍ ନଂ-୫୫୬/୩୬୭ ମଧୁକନ୍ ହାଉସରେ ରହୁଥିବା ବ୍ୟବସାୟୀ ମନୁଚରଣ ପଟ୍ଟନାୟକଙ୍କ ଘରୁ ଜଣେ ମହିଳାଙ୍କ ଚିତ୍କାର ଶୁଭୁଥିବା ନେଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣେ ପଡ଼ୋଶୀ ଫୋନ୍ କରି ଜଣାଇଲେ। ଖବର ପାଇବାର କିଛି ସମୟ ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରର ଡାଇନିଂରେ ଜଣେ ମହିଳାଙ୍କର ରକ୍ତ ଜୁଡୁବୁଡ଼ୁ ମୃତଦେହ ପଡ଼ିଥିଲା।
ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ଼୍ଡକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଧାଇଁଥିଲେ। ମୃତଦେହକୁ ପୁଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଘର ଭିତରୁ ରକ୍ତଲଗା ଏଟିଏମ୍, ଡେବିଟ୍ କାର୍ଡ, ଶାଢ଼ି ସାଙ୍ଗକୁ ମୃତ ବଚନସୁଧା ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରା ଯାଇଥିଲା। ସେ ମୋବାଇଲଟି ସେଠାରେ ମୁତୟନ ହୋଇଥିବା ଜଣେ ସିକ୍ୟୁରିଟି ଗାର୍ଡ ଦୀପ୍ତିରଞ୍ଜନ ପଟ୍ଟନାୟକର ବୋଲି ଜଣା ପଡ଼ିଥିଲା। ଦୀପ୍ତିରଞ୍ଜନର ପତ୍ତା ନଥିଲା। ଖବର ନେଇ ସେ ପଳାଶୁଣିରେ ରହୁଥିବା ଘରକୁ ପୁଲିସ ଯାଇଥିଲା। ସେ ଘରୁ ମଧ୍ୟ ରକ୍ତଲଗା ତା'ର ପ୍ୟାଣ୍ଟସାର୍ଟ, ଆଇକାର୍ଡ ଜବତ କରାଯାଇଥିଲା। ପୁଣି ଘର ସାମ୍ନା ଡ୍ରେନ୍ରୁ ବଚନସୁଧାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଡଷ୍ଟ୍ବିନ୍ରୁ ଦୀପ୍ତିରଞ୍ଜନର ରକ୍ତଲଗା ଜୋତା ମଧ୍ୟ ଜବତ କରିଥିଲା ପୁଲିସ। ସେଥିରୁ ଦୀପ୍ତିରଞ୍ଜନ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। ତେବେ ଦୀପ୍ତିରଞ୍ଜନ ଫେରାର୍ ହୋଇ ଯାଇଥିଲା। ତା'କୁ ଖୋଜା ଚାଲିଲା।
ତଦନ୍ତ ଆରମ୍ଭରୁ ହିଁ ହତ୍ୟା ପଛରେ ଲୁଟ୍ ଏକମାତ୍ର କାରଣ ବୋଲି ସ୍ପଷ୍ଟ ହୋଇ ଯାଇଥିଲା। କାରଣ ବଚନସୁଧାଙ୍କ ବେକରୁ ହାର ଓ ସେଥିରେ ଥିବା ହୀରା ଲକେଟ୍ ନ ଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ଏହି ଦାମୀହାରକୁ ଲୁଟ୍ କରିବା ପାଇଁ ସିକ୍ୟୁରିଟି ଗାର୍ଡ ଦୀପ୍ତିରଞ୍ଜନ ମହିଳାଙ୍କୁ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା। ପୁଲିସର ତତ୍କାଳ ପଦକ୍ଷେପର ଫଳସ୍ବରୂପ ଫେରାର ଦୀପ୍ତିରଞ୍ଜନ ଧରା ପଡ଼ିଲା। ଧରାପଡ଼ିବା ପରେ ସେ ପୂରା ଘଟଣାର ରହସ୍ୟ ଖୋଲିଥିଲା। ଅଭିଯୁକ୍ତଠାରୁ ପୁଲିସ ଲୁଟ୍ ହାରକୁ ଜବତ କରିଥିଲା। କିନ୍ତୁ ହୀରା ଲକେଟ୍ ମିଳି ନଥିଲା। ତାହା କୁଆଡ଼େ ଗଲା, ଏଯାଏ ରହସ୍ୟ ହୋଇ ରହିଛି। ଜେରା ସମୟରେ ଦୀପ୍ତିରଞ୍ଜନ ଦେଇଥିବା ବୟାନରୁ ଜଣା ପଡ଼ିଥିଲା ଯେ ନିଜ ପ୍ରେମିକାକୁ ବଚନସୁଧା ପିନ୍ଧୁଥିବା ହୀରାହାର ଉପହାର ଦେବାଲାଗି ସେ ତାଙ୍କୂ ହତ୍ୟା କରିଥିଲା। ବଚନସୁଧା ରୋଷେଇ ଘରେ ମାଛ ଭାଜୁଥିବାବେଳେ ସେ ତାଙ୍କ ଉପରେ ଆକ୍ରମଣ କରିଥିଲା। ଧସ୍ତାଧସ୍ତିବେଳେ ବଚନସୁଧା ପ୍ରଥମେ ବେଡ୍ରୁମ୍କୁ ପଳାଇଥିଲେ।
ସେଠାରୁ ଡାଇନିଂକୁ ଆସିବା ପରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ। ହତ୍ୟାକାଣ୍ଡ ଘଟାଇବା ପରେ ଦୀପ୍ତିରଞ୍ଜନ ପଳାଶୁଣିରେ ରହୁଥିବା ନିଜ ଘରକୁ ଯାଇଥିଲା। ସେଠାରେ ରକ୍ତଲଗା ପ୍ୟାଣ୍ଟସାର୍ଟ ବଦଳାଇଥିଲା। ଅନ୍ୟ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଏକ ସାଇକେଲ ଧରି ନୟାପଲ୍ଲୀର ବେହେରାସାହିରେ ଥିବା ଏକ ଚିହ୍ନା ଲଣ୍ଡ୍ରି ଦୋକାନକୁ ଯାଇଥିଲା। ସେଠାରେ ସାଇକେଲ ରଖି ନିକଟରେ ଥିବା ଏକ ପୋଖରୀରେ ଗାଧୋଇଥିଲା। କେବଳ ସେତିକି ନୁହେଁ, ସେ ଜଣଙ୍କୁ ହତ୍ୟା କରିଛି ବୋଲି ଲଣ୍ଡ୍ରି ଦୋକାନୀକୁ ବି କହିଥିଲା! ସେଠାରେ ଗୋଟିଏ ଦିନ ରହି ଦୀପ୍ତିରଞ୍ଜନ ନୟାଗଡ଼ରେ ଥିବା ନିଜ ପ୍ରେମିକା ଘରକୁ ଯାଇ ସେହି ଦାମୀହାରକୁ ତା'କୁ ଉପହାର ଦେଇଥିଲା। ତେବେ ହତ୍ୟାକାଣ୍ଡ ଘଟାଇବା ବେଳେ ବଚନସୁଧାଙ୍କ ସହ ତା'ର ଦୀର୍ଘ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ସେହି ଭିତରେ ବଚନସୁଧା ତା'ର ହାତ ବୁଢ଼ା ଆଙ୍ଗୁଳିକୁ କାମୁଡ଼ି ଦେଇଥିଲେ। ପ୍ରେମିକା ଯେତେବେଳେ ଉକ୍ତ ଆଙ୍ଗୁଳିରେ କାମୁଡ଼ା ଦାଗ ଦେଖି ପଚାରିଲା, ସେତେବେଳେ ସବୁ ସତକଥା କହି ଦେଇଥିଲା ଦୀପ୍ତିରଞ୍ଜନ। ଏଥିରେ ପ୍ରେମିକା ଜଣକ ବହୁତ ରାଗି ଯାଇଥିଲା। ପ୍ରେମିକାର ତିରସ୍କାର ପରେ ଖୋର୍ଦ୍ଧା ଓ ତା'ପରେ ପୁରୀ ଚାଲି ଯାଇଥିଲା ଦୀପ୍ତିରଞ୍ଜନ। ସେଠାରୁ ପଳାଶୁଣିରେ ଥିବା ନିଜ ରୁମ୍କୁ ଆସୁଥିବା ବେଳେ ତା'କୁ ପୁଲିସ ଗିରଫ କରିଥିଲା।
ରାଜଧାନୀର ଏହି ବହୁଚର୍ଚ୍ଚିତ ବଚନସୁଧା ପଟ୍ଟନାୟକ ହତ୍ୟା ମାମଲାର ପ୍ରାୟ ୮ ବର୍ଷ ପରେ ୨୦୨୧ ମାର୍ଚ୍ଚ ୧୮ ତାରିଖରେ ରାୟ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାର କରି ଏକମାତ୍ର ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।


