ଚମ୍ପୁଆ :-
ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ସନାତନ ମହାକୁଡ ଜଣେ ଚର୍ଚ୍ଚିତ ଚେହେରା । ସେ ପ୍ରଥମେ କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ର ଶୁଭାରମ୍ଭ କରିଥିଲେ। ସେ ୨୦୦୯ ମସିହା ରେ କଂଗ୍ରେସ ଦଳ ରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇ ନିର୍ବାଚନ ଲଢିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜିତୁ ପଟ୍ଟନାୟକ ବିଜୟ ଲାଭ କରିଥିଲେ। ୨୦୧୪ ମସିହାରେ କଂଗ୍ରେସ ଦଳ ସନାତନଙ୍କୁ ଟିକେଟ ନ ଦେବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ହୁଏତ ସନାତନଙ୍କୁ ପୂର୍ବରୁ ହିଁ କଂଗ୍ରେସ ଦଳ ତାଙ୍କୁ ପୁନର୍ବାର ଟିକେଟ ଦେବ ନାହିଁ ବୋଲି ଆଭାସ ହୋଇ ଯାଇଥିଲା ତେଣୁ ସେ ୨୦୧୪ ନିର୍ବାଚନ ପୂର୍ବରୁ ଗାଁ ଗାଁ ରେ ତାଙ୍କର ଜଗତ ଜନନୀ ଟ୍ରଷ୍ଟ ତରଫରୁ କୀର୍ତ୍ତନ ମଣ୍ଡପ ନିର୍ମାଣ, ନଳକୂପ ଓ ପୁଷ୍କରିଣୀ ଖନନ ଆଦି କାର୍ଯ୍ୟ କରି ଲୋକଙ୍କ ନିକଟତର ହୋଇ ପାରିଥିଲେ। ଗାଁ ଗାଁ ରେ ପ୍ରତି ୱାର୍ଡ ରେ ସନାତନଙ୍କ ସପକ୍ଷ ରେ ପ୍ରଚାର କରି ତାଙ୍କୁ ଜିତାଇବା ପାଇଁ କର୍ମୀ ମାନଙ୍କୁ ନିଯୁକ୍ତ କରାଗଲା। ଏପରିକି ଲୋକ ମାନଙ୍କୁ ସନାତନ ମହାକୁଡ଼ ନିର୍ବାଚନ ଜିତିଲେ ମାସକୁ ମାସ ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । କର୍ମୀ ମାନେ ମଧ୍ୟ ସମର୍ପିତ ଭାବରେ ସନାତନ ପାଇଁ ଦିନ ରାତି ପ୍ରଚାର କରିବାରେ ଲାଗି ପଡ଼ିଥିଲେ। ଏହାର ଫଳ ସ୍ୱରୂପ ସନାତନ ମହାକୁଡ ବିପୁଳ ବହୁମତରେ ବିଜୟୀ ହୋଇ ଚମ୍ପୁଆ ବିଧାୟକ ମୁକୁଟ ପିନ୍ଧି ପାରିଥିଲେ। ତେବେ ପ୍ରତିଶ୍ରୁତି ଅନୁସାରେ ନିର୍ବାଚନ ଜିତିବା ପରେ ଯେଉଁ ଲୋକ ମାନେ ବିଭିନ୍ନ ମନ୍ଦିର ମାନଙ୍କରେ ନଡିଆ ଧରି ଆମେ ସନାତନଙ୍କୁ ଭୋଟ ଦେଇଛୁ ଏବଂ ଜୀବନ ସାରା ତାଙ୍କ ସହିତ ରହିବୁ ବୋଲି ଶପଥ କଲେ ସେହି ଲୋକ ମାନଙ୍କୁ ପ୍ରାୟ ୯ ମାସ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଏହାପରେ ଆଉ ଭତ୍ତା ବଣ୍ଟନ କରାଯାଇ ନଥିଲା। ୨୦୧୭/୧୮ ଆର୍ଥିକ ବର୍ଷରେ ଚମ୍ପୁଆ ବ୍ଲକରେ କିଛି ଗରିବ ଲୋକଙ୍କୁ ସନାତନ ମହାକୁଡ ତାଙ୍କ ଜଗତଜନନୀ ଟ୍ରଷ୍ଟ ତରଫରୁ ଘର ଯୋଗାଇ ଦେବାକୁ ଯୋଜନା କରିଥିଲେ। ଏହି ଯୋଜନା ଅନୁସାରେ ଗରିବ ବ୍ୟକ୍ତିଙ୍କ ଘରଗୁଡିକୁ ଭାଙ୍ଗି ତାଙ୍କ ଟ୍ରଷ୍ଟ ତରଫରୁ ନୂଆ ଘର ନିର୍ମାଣ ଆରମ୍ଭ କରିଥିଲେ। ତାଙ୍କ ଟ୍ରଷ୍ଟର କିଛି ଠିକାଦାର ଏହି ଘର ନିର୍ମାଣ କରିବା କାର୍ଯ୍ୟ ର ଦାୟିତ୍ଵ ନେଇଥିବା ବେଳେ କେବଳ ଘର ଗୁଡିକର ଫାଉଣ୍ଡେସନ ନିର୍ମାଣ କରି ଘର ଗୁଡିକୁ ଅଧପନ୍ତରିଆ ଭାବେ ପକାଇଦେଇ ଆଉ ସମ୍ପୂର୍ଣ କରିବାର ନାଁ ନେଲେ ନାହିଁ। ଏପରିକି ଟ୍ରଷ୍ଟ ତରଫରୁ ଯେଉଁ ବ୍ୟକ୍ତି ମାନଙ୍କ ଘର ନିର୍ମାଣ କାର୍ଯ୍ୟ ହାତକୁ ନିଆ ଯାଇଥିଲା ସେହି ବ୍ୟକ୍ତି ମାନେ ସରକାରୀ ଆବାସ ଯୋଜନା ରୁ ଘର ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଏପଟେ ସରକାରୀ ଆବାସ ଯୋଜନା ରେ ଘର ତ ମିଳିଲା ନାହିଁ ସେପଟେ ଜଗତ ଜନନୀ ଟ୍ରଷ୍ଟ ତରଫରୁ ମିଳିଥିବା ଗୃହ ମଧ୍ୟ ସମ୍ପୂର୍ଣ ହୋଇ ପାରି ନଥିବାରୁ ଲୋକ ମାନେ ବାସହରା ହୋଇ ରହିଗଲେ। ସନାତନ ମହାକୁଡ଼ଙ୍କ ଏତାଦୃଶ କାର୍ଯ୍ୟ କଳାପ ନେଇ ଲୋକ ମାନେ ଅସନ୍ତୁଷ୍ଟ ରହିଥିବା ବେଳେ ଚଳିତ ନିର୍ବାଚନ ରେ ସନାତନ ବିଜେଡି ଦଳରୁ ଟିକେଟ ପାଇ ନିର୍ବାଚନ ପ୍ରଚାର କରୁଥିବା ବେଳେ ପ୍ରବଳ ବିରୋଧ ର ସମ୍ମୁଖୀନ ହେଉଥିବା ଦେଖାଯାଉଛି। କେଉଁଠି ଘର ଦେବୁ କହି ଠକିଦେଲ ବୋଲି ଲୋକମାନେ ବିରୋଧ କରୁଛନ୍ତି ତ ପୁଣି କେଉଁଠି ତାଙ୍କୁ ଜୋତା ମାଳ ପିନ୍ଧାଇ ସ୍ୱାଗତ କରାଯାଉଛି। ଲୋକ ମାନେ ତାଙ୍କ କଥାରେ ଆଉ ବିଶ୍ୱାସ ନ କରି ୫୦୦୦ ଟଙ୍କା ଲେଖାଏଁ ଦେଲେ ହିଁ ତାଙ୍କୁ ଭୋଟ ଦେବୁ ବୋଲି କହୁଥିବା ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ଏସବୁ ସହିତ ସନାତନ ମହାକୁଡ ଏଥର ନିର୍ବାଚନ ରେ ତାଙ୍କ ପୁରୁଣା କର୍ମୀ ମାନଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ଯେଉଁ କର୍ମୀ ମାନଙ୍କ ବଳରେ ସନାତନ ମହାକୁଡ ୨୦୧୪ ନିର୍ବାଚନ ଜିତିଥିଲେ ସେହି କର୍ମୀ ମାନେ ଏବେ ଅଲୋଡ଼ା ହୋଇ ପଡିଛନ୍ତି। ପୁରୁଣା କର୍ମୀ ମାନଙ୍କୁ ଅଣଦେଖା କରାଯାଇ ଆମଦାନୀ କରାଯାଇଥିବା କର୍ମୀ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ସନା ଶିବିର ରେ ଭିତରେ ଭିତରେ ଅସନ୍ତୋଷ କୁହୁଳୁ ଥିବା ଜଣାପଡିଛି। ଏତଦବ୍ୟତୀତ କୁଶ ଆପଟ ଓ ମୀନାକ୍ଷୀ ମହାନ୍ତ ଯଦିଓ ସନାତନଙ୍କୁ ସମର୍ଥନ ଦେଉଛନ୍ତି ତାଙ୍କ ସମର୍ଥକ ମାନେ କିନ୍ତୁ ସନାତନ ଙ୍କ ଶିବିରରେ କଣ ଠେସା ହୋଇ ରହିଯାଇଛନ୍ତି । ତେବେ ଚମ୍ପୁଆ ବ୍ଲକରେ ନିର୍ବାଚନ ପ୍ରଚାର ପାଇଁ ସନାତନ ମହାକୁଡ ତାଙ୍କର ଜଣେ ଖାସ ଅନୁଗତଙ୍କୁ ଦାୟିତ୍ଵ ଦେଇଥିବା ବେଳେ ଦାୟିତ୍ଵ ରେ ଥିବା ଅନୁଗତଙ୍କ ଅପାରଗତା ଓ ରଣନୀତି ର ଅଭାବ ଯୋଗୁଁ ଏପରି ଅବସ୍ଥା ହୋଇଛି ବୋଲି ଆଲୋଚନା ହେଉଛି। ତେବେ ସନାତନ ମହାକୁଡ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ କର୍ମୀ ମାନଙ୍କ ଅସନ୍ତୋଷ ସନାତନଙ୍କୁ ମାହାଙ୍ଗା ପଡିପାରେ। ବିଗିଡି ଯାଇ ପାରେ ଭୋଟ ଗଣିତ। ପଡି ଯାଇ ପାରେ ବିରୋଧ ରେ ଭୋଟ। ସନାତନଙ୍କ ଶିବିରର ଏପରି ଅଵସ୍ଥାର ଫାଇଦା ଉଠାଇ ବାଜି ମାରି ନେଇ ପାରନ୍ତି ବିରୋଧୀ। ମୁଁ ଏଥର କିଙ୍ଗ ମେକର ନ ହୋଇ ନିଜେ କିଙ୍ଗ ହେବା ସହିତ ଏକ ତରଫା ଭାବେ ନିର୍ବାଚନ ଜିତିବି ବୋଲି ସନାତନ ମହାକୁଡ଼ ଦମ୍ଭୋକ୍ତି ଭରୁଥିବା ବେଳେ ଏପରି ପରିସ୍ଥିତି ରେ ସନାତନ ଏଥର ନିର୍ବାଚନ ରେ ବିଜୟ ଲାଭ କରିବା ଅନ୍ତ୍ୟନ୍ତ କଷ୍ଟକର ହୋଇ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି।
କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ