ଭଦ୍ରକ :-
ଆଜି ସଂସଦ ଭବନର କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ଯାଳୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବଙ୍କୁ ଭଦ୍ରକର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ସାକ୍ଷାତ କରି ଭଦ୍ରକ ରୁ ପୁରୀ ଓ ପୁରୀରୁ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୁ ଟ୍ରେନ ପ୍ରଚଳନ, ଯାଜପୁର ବିରଜା କ୍ଷେତ୍ର - ଆଖଣ୍ଡଳମଣୀ - ଧାମରା - ଭଦ୍ରକ ମଧ୍ୟରେ ରେଳ ସଂଯୋଗ କରଣ ଓ ରେଳ ଲାଇନ ପ୍ରତିଷ୍ଠା, ଭଦ୍ରକ ଧାମରା ମଧ୍ୟରେ ପାସେଞ୍ଜର୍ ଟ୍ରେନ ଚଳାଚଳ ସହ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ସମସ୍ତ ରେଳ ଷ୍ଟେସନର ଉନ୍ନତି ପାଇଁ ଲିଖିତ ପତ୍ର ଦେଇ ଆଲୋଚନା କରିଛନ୍ତି ।
ପ୍ରକାଶ ଥାଉକି, ଗତ ୬ ଡିସେମ୍ବର ୨୦୨୨ ତାରିଖରେ ଭୁବନେଶ୍ବରଠାରେ ଦକ୍ଷିଣ ପୂର୍ବ ରେଳ ବିଭାଗର ଜେନେରାଲ ମ୍ୟାନେଜରଙ୍କ ସହ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଏବଂ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଓ ଖୋର୍ଦ୍ଧା ରେଳ ଡିଭିଜନ ପରାମର୍ଶ ଦାତା କମିଟି ର ସଭ୍ୟ ଶିଶିର ମିଶ୍ରଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରି ଭଦ୍ରକ ପୁରୀ ଓ ପୁରୀ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୁ ଟ୍ରେନ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁର ହୋଇଥିବା ଓ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତ ଟ୍ରେନର ଶୁଭାରମ୍ଭ ତାରିଖ ନିଷ୍ପତ୍ତି ପରେ ଚାଲୁ ହେବ ବୋଲି ଲିଖିତ ସୂଚନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଟେନଟିକୁ ଭଦ୍ରକ ପରିବର୍ତ୍ତେ ଜଳେଶ୍ଵର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇ ଚାଲୁ ଆରମ୍ଭ ହୋଇଥିବା ଯାହା ଭଦ୍ରକ ଜିଲ୍ଲାର ଜନସାଧାରଣଙ୍କ ଭାବାବେଗକୁ କଠୋର କୁଠାରଘାତ କରିଥିଲା । ଯାହାର ପରିଣାମ ଜନ ଅସନ୍ତୋଷ ତୀବ୍ର ହୋଇ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇଅଛି । ଫଳ ସ୍ୱରୂପ ଜନସାଧାରଣ ଓ ବିଭିନ୍ନ ସାମାଜିକ ସଙ୍ଗଠନ ରେଳରୋକ ସହିତ ଧାରଣା, ଘେରାଉ ଭଳି କାର୍ଯ୍ୟ ହାତକୁ ନେଇଛନ୍ତି ତତ୍ ସହିତ ସାଂସଦ ଓ ଭଦ୍ରକ ବିଧାୟକଙ୍କ ନେତୃତ୍ୱରେ ଉକ୍ତ ଟ୍ରେନ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ଶୁଭାରମ୍ଭ ହୋଇ ଥିବାରୁ ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ବିଜୁ ଜନତା ଦଳ ତରଫରୁ ଏହାକୁ ଦୃଢ଼ ବିରୋଧ କରାଯାଇ ଥିଲା ।
ଭଦ୍ରକ ରେଳ ଷ୍ଟେସନକୁ ପଡୋଶୀ ଚାରିଗୋଟି ଜିଲ୍ଲା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରର ଶହ ଶହ ଯାତ୍ରୀ ମୁଖ୍ୟ ଷ୍ଟେସନ ଭାବେ ଦୂର ସ୍ଥାନକୁ ନିଜର ଗତାଗତ ପାଇଁ ନିର୍ଭର କରିଥାନ୍ତି । ବାଣୀଜ୍ୟ ବ୍ୟବସାୟୀ ସହ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ଭକ୍ତ, ରୋଗୀ ଆଦି ସମସ୍ତ ବର୍ଗର ଜନସାଧାରଣ ଭଦ୍ରକ ଷ୍ଟେସନକୁ ଗମନାଗମନର ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରିଥାନ୍ତି । ସେଥିପାଇଁ ଦୀର୍ଘ ବର୍ଷ ହେବ ଭଦ୍ରକରୁ ଭୁବନେଶ୍ୱର ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରୁଥିଲା । ପରେ କରୋନା ଜନିତ କାରଣରୁ ବନ୍ଦ କରାଯାଇ ପରବର୍ତ୍ତୀ ସମୟରେ ତାହା ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁନଃରାୟ ଏକ ନୂତନ ମେମୁ ପଶେଞ୍ଜର ଟ୍ରେନ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ରେଳବାଇ ବୋର୍ଡ ଦ୍ଵାରା ଅନୁମୋଦିତ ହୋଇ ବିଜ୍ଞପ୍ତି ପ୍ରକାଶ ପାଇ ଉକ୍ତ ଟ୍ରେନଟି ଭଦ୍ରକ ପରିବର୍ତ୍ତେ ଜଳେଶ୍ଵରକୁ ସମ୍ପ୍ରସାରଣ କରାଯାଇ ବର୍ତ୍ତମାନ ଚାଲୁ ହେଉ ଅଛି ।
ଧାମରାରେ ଆଦାନୀ ପୋର୍ଟ, ଏୟାର ଷ୍ଟ୍ରିପ, ଏଲ୍ ଏନ୍ ଜି ଟର୍ମିନାଲ, ସହିତ ଭଦ୍ରକରେ ବେଦାନ୍ତ ଫେକର ପ୍ରତିଷ୍ଠା ପାଇଁ ଭଦ୍ରକ ଷ୍ଟେସନ୍ ର ଗୁରୁତ୍ଵ ଆହୁରି ବୃଦ୍ଧି ପାଇଛି । ବର୍ତମାନ ଚାଲୁ ହେଉଥିବା ଭଦ୍ରକ ଓ ଜଳେଶ୍ଵରରୁ ଦୁଇଟି ପସେଞ୍ଜାର ଟ୍ରେନ ଭଦ୍ରକ ରେଳ ଷ୍ଟେସନ ପହଞ୍ଚିବା ବେଳକୁ କୌଣସି ବଗିରେ ଯାତ୍ରୀ ମାନଙ୍କ ପାଇଁ ସିଟ ଟିଏ ନ ଥାଏ । ଏଣୁ ଉକ୍ତ ଟ୍ରେନ ରେ ଭଦ୍ରକରୁ ଯାଉଥିବା ଯାତ୍ରୀମାନେ ବଗି ମଧ୍ୟରେ ଛିଡ଼ା ହୋଇ ଜୀବ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥାଏ । ଏହାକୁ ବିରୋଧ କରି ଅନେକ ସମୟରେ ରେଳ ରୋକୋ, ଧାରଣା ସହ ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ଉକ୍ତ ଆଲୋଚନା ରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ କେନ୍ଦ୍ର ଶ୍ରୀଯୁକ୍ତ ବୈଷ୍ଣବ ଏବାବଦରେ ଖୁବ୍ ଶିଘ୍ର ବିଚାରକୁ ନିଆଯାଇ ଭଦ୍ରକରୁ ପୁରୀ ମଧ୍ୟରେ ନୂତନ ପାସେଞ୍ଜର ଟ୍ରେନ ପ୍ରଚଳନ ହେବା ସହ ଦାବି କରିଥିବା ଭଦ୍ରକ ସଂସଦୀୟ କ୍ଷେତ୍ରର ସମସ୍ତ ଷ୍ଟେସନ୍ ଯଥା ବାହାନଗା, ସୋରୋ, ସବିରା, ମାର୍କୋଣା, ରାଣିତାଲ, ଭଦ୍ରକ, ବାଉଦପୁର, କେନ୍ଦୁଆପଦା ଓ ମଞ୍ଜୁରି ରୋଡ ରେଳ ଷ୍ଟେସନ ମାନଙ୍କର ଉନ୍ନତି ହେବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସାକ୍ଷାତ ସମୟରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରପାଳିକାର ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଣୟ କୁମାର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଯଦି ଖୁବ୍ ଶିଘ୍ର ଏକ ନୂତନ ମେମୂ ପସେଞ୍ଜର୍ ଟ୍ରେନ ରେଳବାଇ ବୋର୍ଡ ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭଦ୍ରକଠାରୁ ପୁରୀ ମଧ୍ୟରେ ଚଳାଚଳ ନ ହୁଏ ଆଗାମୀ ଦିନରେ ବିଜୁ ଜନତା ଦଳ ଓ ଭଦ୍ରକ ଜିଲ୍ଲାର ଜନସାଧାରଣ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଅଛି ।ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

