Type Here to Get Search Results !

ଆତ୍ମହତ୍ୟା ପୂର୍ବରୁ ମନର କଥାକୁ ଚିଠିରେ ଲେଖିଲେ ଅଞ୍ଜଳୀ


ଗଞ୍ଜାମ :-

ମୃତ୍ୟୁ ପୂର୍ବରୁ ସୁଇସାଇଡ଼ ନୋଟ । ଅଫେରା ଦୁନିଆକୁ ଯିବା ପୂର୍ବରୁ ଯୁବତୀ ଜଣକ ନିଜ କୋହ ଓ ମନର କଥାକୁ ଲେଖି ଦେଇଥିଲେ ଚିଠିରେ । ମାଆ ଏବଂ ପ୍ରେମିକ ପାଇଁ ସୁଇସାଇଡ଼ ନୋଟ ଲେଖି ଆତ୍ମହତ୍ୟା କଲେ ଯୁବତୀ । ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଧରାକୋଟ ଅଞ୍ଚଳ ଢେ଼ଉଗାଁର ଅଞ୍ଜଳି ବେହେରା(୨୪) । ସେ ବ୍ରହ୍ମପୁର ଫାଷ୍ଟ ଗେଟରୁ ଦିଗପହଣ୍ଡି ଯିବା ରାସ୍ତାରେ ଥିବା ଟିପିଏସଓଡିଏଲ କଲ୍ ସେଣ୍ଟରରେ ଦୀର୍ଘ ବର୍ଷ ହେଲା ଚାକିରୀ କରୁଥିଲେ । ସେହି ଯୁବତୀଙ୍କ ମୃତ ଦେହ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଓମ ନଗର ସ୍ଥିତ ଚନ୍ଦନ ବିହାର ପ୍ରଥମ ଲାଇନର ଏକ ଭଡାଘରୁ ପୁଲିସ ଉଦ୍ଧାର କରିଛି । ଯୁବତୀ ଜଣଙ୍କ ଦୁଇ ଦିନ ତଳେ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ଦୀର୍ଘ ୩୬ ଘଣ୍ଟା ପରେ ପୁଲିସ ଖବରପାଇ ଆଜି ତାଙ୍କ ଶବ ଉଦ୍ଧାର କରିବା ପରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ କି ମୃତ ଅଞ୍ଜଳୀ ଟିପିଏସଓଡିଏଲ ଅଧିନ ଏକ ଠିକା ସଂସ୍ଥା ଅର୍ଥାତ କଲ୍ ସେଣ୍ଟରରେ ଦୀର୍ଘ ବର୍ଷ ଧରି ଚାକିରି କରୁଥିବା ବେଳେ ଆଜିକୁ ୯ମାସ ହେବ ଓମନଗର ସ୍ଥିତ ଚନ୍ଦନବିହାର ଠାରେ ଏକ ଭଡା ଘରେ ରହୁଥିଲେ । ତେବେ ଟିପିଏସଓଡିଏଲ ଚାକିରୀ କରୁଥିବା ଯୁବକ ସୂର୍ଯ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଥିଲା । ପରେ ଦୁହେଁଙ୍କ ପସନ୍ଦ ନା ପସନ୍ଦ ସବୁ ଏକ ଥିଲା । ପ୍ରେମ ସଂପର୍କ ନିବିଡ଼ ହେବାରୁ ଉଭୟେ ଲିଭିଂ ରିଲେସେଣ୍ ସିଫ୍ ଭଳି ରହୁଥିଲେ । ପ୍ରେମିକଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଧୀରେ ଧିରେ ଝଗଡ଼ା ଆରମ୍ଭ ହୋଇଥିଲା । ଦୁହେଁ ଏକ ସଂସ୍ଥାରେ ଚାକିରୀ କରୁଥିଲେ କିନ୍ତୁ ଦୀର୍ଘ ଦେଢ଼ ବର୍ଷ ହେବ ପ୍ରେମିକ ପ୍ରମୋସନ ହୋଇ ଅନ୍ୟତ୍ର ଜିଲ୍ଲାକୁ ବଦଳିହୋଇ ଯିବା ପରେ ଅଞ୍ଜଳୀ ଏଠାରେ ଏକୁଟିଆ ହୋଇଯାଇଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥିଲା । ସେପଟେ ପ୍ରେମିକ ତାଙ୍କ ଘର ଲୋକ କଥାକୁ ଗୁରୁତ୍ୱ ଦେଉଥିଲେ ବୋଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହାକୁ ନେଇ ଅଞ୍ଜଳୀ ମାନିସିକଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ତେଣୁ ସେ କିଛି ଦିନ ପୂର୍ବେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସବୁଦିନ ପରି ଅଞ୍ଜଳି ଶନିବାର ଦିନ ମଧ୍ୟ ସନ୍ଧ୍ୟାରେ ଘରକୁ ଯାଇ କବାଟ ପକାଇ ରହିଥିଲେ । କିନ୍ତୁ ପ୍ରତିଦିନ ଉକ୍ତ ଘରେ ଦୋକାନ କରିଥିବା ଘର ମାଲିକ ତାଙ୍କୁ ବାହାର ଲାଇଟ ବନ୍ଦ କରିବାକୁ କହୁଥିଲେ । ଶନିବାର ଦିନ ବି ଲାଇଟ ବନ୍ଦ କରିବାକୁ ଘର ମାଲିକ ବହୁଥର ଡାକିଲେ କିନ୍ତୁ ଅଞ୍ଜଳୀ ଶୁଣିନଥିବା ହେତୁ ଟାଇଟ ହୋଇ ଶୋଇଯାଇଥିବେ ଭାବି ଘର ମାଲିକ ପଳେଇଥିଲେ । ରବିବାର ସକାଳେ ମଧ୍ୟ ଲାଇଟ ଲାଗି ରହିଥିଲା । କାଳେ ଦେହ ଭଲ ନଥିବ ଭାବି ଘର ମାଲିକ ଏମିତି ରହିଯାଇଥିଲେ । ରବିବାର ରାତି ୧୦ଟା ହେଲାଣି କବାଟ ଖୋଲା ହୋଇ ନାହିଁ କି ଲାଇଟ ବି ବନ୍ଦ ହୋଇ ନାହିଁ । ଏପଟେ ଫ୍ୟାନ ବି ଲାଗିଛି । ଏହା ଦେଖି ଘର ମାଲିକ ବାରମ୍ବାର କଲିଂ ବେଲ୍ ମାରି ବିଫଳ ହେବା ପରେ ଅଞ୍ଜଳୀଙ୍କ ଭାଇଙ୍କୁ ଖବର ଦେଇଥିଲେ । ତାଙ୍କ ଭାଇ ଭିକି ବେହେରା ଭଡା ଘର ନିକଟରେ ପହଞ୍ଚି କବାଟ ଖୋଲି ଦେଖିଲା ବେଳକୁ ଅଞ୍ଜଳୀ ଘର ଭିତରର ଫ୍ୟାନରେ ଚୁନି ବାନ୍ଧି ଝୁଲି ରହିଥିଲେ । ଏ ନେଇ ନେଇ ସେ ବଡବଜାର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅର୍ଥାତ ରବିବାର ପ୍ରାୟ ସାଢେ଼ ୧୧ କିମ୍ବା ୧୨ଟାରେ ପୁଲିସ ଅଭିଯୋଗ ସ୍ଥଳକୁ ଆସି ତଦନ୍ତ କରିବା ସହ ସେଠାରେ ଏକ ସୁଇସାଇଡ଼ ନୋଟ ଜବତ କରଥିଲା । ସେହି ସୁଇସାଇଡ଼ ନୋଟରେ ସେ ତାଙ୍କ ପ୍ରେମ ଜୀବନରେ ଘଟିଥିବା ଘଟଣାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଘର ଲୋକଙ୍କୁ ନଜଣାଇ ଭଲ ପାଉଥିବା ଯୁବକକୁ ବିବାହ କରିଥିବା କଥାକୁ ଦର୍ଶାଇଛନ୍ତି ସେଥିରେ । ପ୍ରେମିକର ଘର ଲୋକ ପ୍ରତିବନ୍ଧକ ସାଜି ଉଭୟଙ୍କୁ ମିଶାଇ ଦେଲେ ନାହିଁ । ଯାହା ଫଳରେ ପ୍ରେମିକ ମଧ୍ୟ ଦୂରେଇ ଗଲା । ଏଥି ପାଇଁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଲେ ଅଞ୍ଜଳୀ । ପ୍ରେମିକ ସୂର୍ଯ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେ କହିବା ସହ ସଧବା ନାରୀ ପରି ତାଙ୍କର ଶବଦାହ କରିବାକୁ ସେ ଚିଠିରେ ଲେଖିଛନ୍ତି। ଏମିତିକି ପ୍ରେମିକ ବାୟା(ସୂର୍ଯ୍ୟ) ବିନା ରହି ପାରିବେ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ “ମୁଁ ବହୁତ ଆଶାରେ ରହିଥିଲି ବାୟା” ମୋ ଆଶା ଭାଙ୍ଗି ଗଲା । ତମେମାନେ ଜିତିଗଲ । ମୁଁ ହାରି ଗଲି । ଆଇ ଲଭ୍ ୟୁ ବାୟା, ନିଜର ଯତ୍ନ ନେବ ଠିକ ସମୟରେ ଖାଇବ,ଟିକେ କଥାରେ ରାଗୁନଥିବ ବାୟାଙ୍କ ପରି ହେବନି । ମୁଁ ସବୁ ଦିନ ପାଇଁ ଏ ଦୁନିଆ ଛାଡିକି ଯାଉଛି ତୁମେ ତୁମ ବାୟାଣୀଙ୍କୁ ମିସ୍ କରିବନି ହେଲା । ସମୟ ଥାଉ ଥାଉ ମୋତେ ବୁଝି ପାରିଲ ନାହିଁ କି ଫ୍ୟାମିଲିର ମିଛ କଥାକୁ ବି ବୁଝି ପାରିଲ ନାହିଁ । ବୁଝିବା ବେଳକୁ ମୁଁ ଆଉ ନଥିବୀ ଏ କଥା ତୁମେ ମନେ ରଖିବ ବାୟା । ଆଉ ଆମକୁ ଯେଉଁମାନେ ବି ଅଲଗା କରିଛନ୍ତି ସେମାନେ କେବେ ବି ଖୁସିରେ ରହିବେ ନାହିଁ ।ବୋଉ ଆଉ ନିଜର ଯତ୍ନ ନେବ । ଏଭଳି ଦୁଇ ପୃଷ୍ଠାର ଚିଠି ଲେଖି ଅଞ୍ଜଳୀ ଆତ୍ମହତ୍ୟା କରିଥିବା ବେଳେ ସେ ହାତଲେଖା ଚିଠି ପ୍ରକୃତରେ ଅଞ୍ଜଳୀଙ୍କର ନା ନାହିଁ ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଥାନାରେ ଏତଲା ଦେଇନଥିବା ଯୋଗୁଁ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ଗଞ୍ଜାମ ଜିଲ୍ଲାର ଆଶିଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.