ବଲାଙ୍ଗିର :-
ବଲାଙ୍ଗିର ଶିକ୍ଷାର ମନ୍ଦିରରେ ଜମିଲା ମଦର ଆସର। ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ନିଜେ ମାତାଲ ହେଲେ। ପିଲାଙ୍କୁ ସମ୍ଭାଳିବା ବଦଳରେ ନିଜେ ଅସମ୍ଭାଳ ହୋଇପଡ଼ିଲେ। ପରିସ୍ଥିତି ଅଣାୟତ୍ତ ହେବା ପରେ ତାତିଲେ ଅଭିଭାବକ । ତୁରନ୍ତ ଏପରି ଶିକ୍ଷକଙ୍କ ବଦଳି ଦାବିରେ ଆଜି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ସ୍କୁଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମାଟୁପାଲି ଗାଁରେ ଘଟିଛି।
ମାଟୁପାଲି ସରକାରୀ ନୂତନ ପ୍ରାଥମିକ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଦେବ ବିଶିଙ୍କ ସହ ତାଙ୍କର କିଛି ସହଯୋଗୀ ଗତକାଲି ସ୍କୁଲକୁ ଆସିଥିଲେ। ସମସ୍ତେ ମାତାଲ ଅବସ୍ଥାରେ ଥିବା ବେଳେ ସ୍କୁଲ ଭିତରେ ବି ମଦ ପିଇଥିଲେ । କାରଣ ସ୍କୁଲ ପରିସରରେ ମଦ ବୋତଲ ପଡ଼ିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଜାଣିବା ପରେ ଆଜି ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ପ୍ରଧାନଶିକ୍ଷକ ପ୍ରତିଦିନ ମଦ ପିଇ ସ୍କୁଲ ଆସନ୍ତି । ଛାତ୍ରଛାତ୍ରୀଙ୍କୁ ଠିକ୍ରେ ପାଠ ପଢାନ୍ତି ନାହିଁ । ସ୍କୁଲ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଆସୁଥିବା ଅର୍ଥକୁ ବାଟମାରଣ କରନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ଖୁବ୍ ଶୀଘ୍ର ପ୍ରଧାନ ଶିକ୍ଷକ ଜୟଦେବ ବିଶିକୁ ନିଲମ୍ୱନ କରିବା ପାଇଁ ଦାବୀ କରିଛନ୍ତି ଆନ୍ଦୋଳନ କାରୀ । ସେପଟେ ଏନେଇ ବଲାଙ୍ଗିର ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ଙ୍କ ମତାମତ ମିଲିପାରିନାହିଁ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

