ଭୁବନେଶ୍ୱର : -
ରାଜ୍ୟରୁ ଉଠିଲା ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଆସନ୍ତା କାଲି ଏ ନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜି କ୍ୟାବିନେଟ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି ହେବ ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ସାଢେ ୬ଟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଟେଲିଭିଜନ ବାର୍ତ୍ତା ଦେଇ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଠିଲା ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୫୦ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କର୍ମଚାରୀ ଉପକୃତ ହେବେ ଏବଂ ସରକାରଙ୍କୁ ଦରମା ବାବଦରେ ୧୩୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଫଳରେ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ ସ୍ଥାୟୀ ହେବେ ବୋଲି ସରକାରୀ ଭାବେ କୁହାଯାଇଛି । ସ୍ଥାୟୀ କର୍ମଚାରୀ ହେବା ପରେ ସମସ୍ତେ ଭଲ ଭାବେ କାମ କରିବାକୁ ଏବଂ ୫- ଟି ଅନୁସାରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟର ଠିକା କର୍ମଚାରୀଙ୍କ ସଂଘ ୨୦୧୭ରୁ ସମାନ କାମକୁ ସମାନ ଦରମା ଦାବିରେ ଆନ୍ଦୋଳନ ଚଳାଇ ଥିଲା । ନିକଟରେ ରାଜଧାନୀରେ ସଂଘ ହଜାର ହଜାର ସଂଖ୍ୟାରେ ଠିକା କର୍ମଚାରୀଙ୍କୁ ଏକତ୍ରିତ କରି ବଡ଼ ଧରଣର ଆନ୍ଦୋଳନ କରିଥିଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅତିଶୀଘ୍ର ଖୁସି ଖବର ଦେବେ ବୋଲି ସଂଘକୁ ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟଙ୍କ ଜନ୍ମ ଦିନ ଥିବାରୁ ରାଜ୍ୟର ଠିକା କର୍ମଚାରୀଙ୍କୁ ଏହା ଜନ୍ମ ଦିନର ଉପହାର ବୋଲି ସଂଘ କହିଥିବା ବେଳେ ଏହାକୁ ଦୀପାବଳୀ ଉପହାର ମଧ୍ୟ କୁହାଯାଉଛି । ୨୦୧୩ରୁ ରାଜ୍ୟରେ ସରକାରୀ ନିଯୁକ୍ତିରେ ଏହି ଠିକା ପ୍ରଥା ଚାଲି ଆସିଥିଲା । ବ୍ୟୁରୋ ରିପୋର୍ଟ

