Type Here to Get Search Results !

ଦୁର୍ନୀତି ଅଭିଯୋଗ ରେ ନିଲମ୍ବିତ ହେଲେ କଣ୍ଟାବାଞ୍ଝି ଏସଡିପିଓ ହୃଷିକେଶ ମେହେର

 


ବଲାଙ୍ଗିର :-

ବଲାଙ୍ଗିର କଣ୍ଟାବାଞ୍ଜି ଲଜରେ ହାଇଦ୍ରାବାଦର ଦାଦନ ସର୍ଦାର ଓ ଇଟାଭାଟି ମାଲିକଙ୍କୁ ଜୁଆଡି ସଜାଡି ଲକ୍ଷାଧିକ ଟଙ୍କା ହେରଫେର କରିବା ଅଭିଯୋଗରେ ଫସିଥିବା ଏସଡ଼ିପିଓ ହୃଷିକେଶ ମେହେର ଆଜି ସସପେଣ୍ଡ ହୋଇଛନ୍ତି । ରାଜ୍ୟ ଗୃହ ବିଭାଗ ଏସ୍ଡିପିଓଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ତେବେ ବଲାଙ୍ଗୀର ଏସପି ନିତିନ କୁଶଲକର ଟଙ୍କା ହେରଫେର ଘଟଣାର ପ୍ରାଥମିକ ତଦନ୍ତ କରି ରାଜ୍ୟ ସରକାର ଙ୍କୁ ରିପୋର୍ଟ ଦେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବରେ ସତ୍ୟକୁ ସାମ୍ନାକୁ ଆଣି ଖବର କରିଥିଲେ ଓ ଶେଷରେ ସତ ପ୍ରମାଣିତ ହେବା ପରେ ଏସଡିପିଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ଗୃହ ବିଭାଗ ।

ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ଲଜରୁ କୋଟିଏରୁ ଅଧିକ ଟଙ୍କା ଜବତ ଘଟଣାରେ ବଲାଙ୍ଗିର ପୁଲିସ ହରଡ଼ଘଣାରେ ପଡିଥିଲା । ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ପୁଲିସ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଥିଲା । ସେ ମଧ୍ୟରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ସେ କେବଳ ଅଫିସିଆଲ କାମ ସମ୍ଭାଳିବେ। ଅନ୍ୟ ତଦନ୍ତରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ବଲାଙ୍ଗିର ଏସପି କହିଥିଲେ । ପ୍ରକୃତରେ କଣ୍ଟାବାଞ୍ଜି ଲଜ୍‌ରେ ରାତିଅଧିଆ ଚଢ଼ଉ କରି ଟଙ୍କା ଜବତ ମାମଲାରେ ତଦନ୍ତକାରୀ ପୁଲିସ ବିରୋଧରେ ପ୍ରାୟ ଅଧକୋଟି ଟଙ୍କାର ହେରଫେର ଅଭିଯୋଗ ଆସିଥିଲା । ଏପରିକି ଲେବର ଲାଇସେନ୍ସଧାରୀ ସର୍ଦ୍ଦାର ଓ ଇଟାଭାଟି ମାଲିକଙ୍କୁ ଜୁଆଡି ସଜାଇ ମିଛ ବି କୁହାଯାଇଥିଲା ।

ଆଶ୍ଚର୍ଯ୍ୟର ବିଷୟ, ବିବାଦୀୟ ଏସଡ଼ିପିଓଙ୍କଠାରୁ ଆରମ୍ଭ କରି ଏସପି, ଡିଆଇଜି କେହି ହେଲେ ଫୋନଗ୍ରହଣ କରୁନଥିଲେ । ଶେଷରେ ଲୋକଙ୍କ ପାଇଁ ସାହସ ପାଲଟିଥିବା ପୁଲିସ ଏବେ ୪୨୦ର କଳଙ୍କ ମୁଣ୍ଡାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା । ତଦନ୍ତ ବେଳେ ପୁଲିସ ଶ୍ରୀ ମେହେରଙ୍କ ଦୁଇ ଅନ୍ତରଙ୍ଗ ବନ୍ଧୁ ଥିବା ଜଣେ ଆରଟିଓ ଏଜେଣ୍ଟ ଏବଂ ଜଣେ ବ୍ୟବସାୟୀଙ୍କୁ ଥାନାରେ ପଚରାଉଚରା କରିଥିଲା । ସେହିପରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିବା ୭ଜଣ ଦାଦନ ସର୍ଦ୍ଦାରଙ୍କ ମଧ୍ୟରୁ ୩ଜଣଙ୍କୁ ପୁଣି ଥାନାକୁ ଡ଼କାଇ ପୁଲିସ ପଚରାଉଚରା କରୁଥିବା ଜଣାପଡିଥିଲା । କିନ୍ତୁ ପୁଲିସ ଉପର ଠାଉରିଆ ତଦନ୍ତ ଦେଖାଇ ହେରାଫେରି ହୋଇଥିବା ଟଙ୍କା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲା । ୫୮ଲକ୍ଷ ଟଙ୍କା ପରେ ଆଉ କେତେ ଟଙ୍କା ଉଦ୍ଧାର ହୋଇଛି, କେଉଁଠୁ ହୋଇଛି, କିଏ ଲୁଚାଇଥିଲା ସେନେଇ କୌଣସି ସୂଚନା ଦେଉନଥିଲା । ଯେଉଁଥିରୁ ଅଧକୋଟି ଟଙ୍କା ଲୁଚା ଯାଇଥିବା ସ୍ପଷ୍ଟ ହୋଇଥିଲା ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.