Type Here to Get Search Results !

ଜିଲ୍ଲା ରେ ଚର୍ଚ୍ଚା ରେ ଥିବା ଲଜ୍‌ରୁ ଟଙ୍କା ଜବତ ଘଟଣା; ଆଜି ଇଟା ଭାଟି ମାଲିକଙ୍କୁ ଘାଣ୍ଟିବେ ବଲାଙ୍ଗିର ଏସ୍‌ପି ନୀତିନ କୁଶଳ କର


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ରେ ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜିର ଏକ ଲଜ୍‌ରୁ ଜବତ ଟଙ୍କାର ପରିମାଣକୁ ନେଇ ଦେଖାଦେଇଥିବା ବିବାଦ ଥମିବା ନାଁ ଧରୁନି । ଏହି ଘଟଣାର ଅଡ଼ୁଆ ସୁତା ଦିନକୁ ଦିନ ଅଧିକ ଅଡ଼ୁଆ ହେବାରେ ଲାଗିଛି। ଚଢ଼ାଉରେ ସାମିଲ ଏସ୍‌ଡିପିଓଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଏବେ ସସ୍‌ପେନ୍ସ ଘେରରେ ଥିବା ବେଳେ ଘଟଣାକୁ ଅଧିକ ଖୋଳତାଡ଼ କରୁଛନ୍ତି ଖୋଦ ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକର । ଏପରିକି ଏହି ଘଟଣାରେ ଲଜ୍‌ଜୁ ଆସିଥିବା ୭ ଇଟାଭାଟି ମାଲିକଙ୍କୁ ପୁଲିସ୍‌ ଗିରଫ କରି ପରେ ଛାଡ଼ି ଦେଇଥିବା ବେଳେ  ଏବେ ସେମାନଙ୍କୁ ଅଧିକ ପଚରାଉଚରା କରିବେ ଖୋଦ ବଲାଙ୍ଗିର ଏସ୍ ‌ପି ନୀତିନ କୁଶଳ କର ।

 ଏଥିନିମନ୍ତେ ଏହି ୭ ଇଟାଭାଟି ମାଲିକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ୨ ସର୍ଦ୍ଦାରଙ୍କୁ କଣ୍ଟାବାଞ୍ଜି ପୁଲିସ୍‌ ଡାକି ବଲାଙ୍ଗିର ଆଣୁଛି। ସେମାନଙ୍କଠାରୁ ଖୋଳତାଡ଼ ପରେ ଏସ୍‌ପି କ’ଣ ତଥ୍ୟ ପାଉଛନ୍ତି, କେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଗତ ଗୁରୁବାର ରାତିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜ୍‌ରେ ଅନ୍ୟ ରାଜ୍ୟର କିଛି ଇଟାଭାଟି ମାଲିକ ଶ୍ରମିକ ଚାଲାଣ ପାଇଁ ରହିଥିବା ଜଣାପଡ଼ିଥିଲା। ଖବର ପାଇ କଣ୍ଟାବାଞ୍ଜି ଥାନା ଆଇଆଇସି ଚଢ଼ାଉ କରିଥିବା ବେଳେ ଘଟଣା ସମ୍ପର୍କରେ କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର ଙ୍କୁ ସୂଚନା ଦେଇଥିଲେ। ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଗିରଫ ବ୍ୟକ୍ତିମାନେ ଇଟାଭାଟି ମାଲିକ ଓ ସେମାନଙ୍କ ନିକଟରୁ ୧ କୋଟି ୭ ଲକ୍ଷ ଟଙ୍କା ପୁଲିସ୍‌ ଜବତ କରିଥିବା ସୂଚନା ମିଳିଥିଲା। ହେଲେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସବୁ ତଥ୍ୟ ବଦଳି ଯାଇଥିଲା।

  କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେର ଙ୍କ ସାମ୍ବାଦିକ ସମ୍ମିଳନୀରେ ଲଜ୍‌ରେ ଚଢ଼ାଉ କରି ୭ ଜୁଆଡ଼ିଙ୍କୁ କାବୁ କରାଯାଇଥିବା କୁହାଯାଇଥିଲା। ସେହିପରି ସେମାନଙ୍କ ନିକଟରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଥିବା ଏସଡିପିଓ କହିଥିଲେ। ଏହା ପରେ ଏସ୍‌ଡିପିଓ ସନ୍ଦେହ ଘେରକୁ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ତୁମ୍ବି ତୋଫାନ ହେବା ପରେ ଅତିରିକ୍ତ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ଏସ୍‌ପି। ଏଥିସହ ଏସଡିପିଓ ହୃଷିକେଶ ମେହରଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଏଥିସହ କୌଣସି ଅପରାଧଜନିତ ଘଟଣାର ତଦନ୍ତ ନ କରିବାକୁ ଏସ୍‌ପି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ କୌଣସି ତଦନ୍ତରେ ହସ୍ତକ୍ଷେପ ନ କରିବାକୁ ମଧ୍ୟ କହିଥିବା ସୂଚନା ମିଳିଛି। ଏହା ସହିତ ଲଜ୍‌ରେ ଚଢ଼ାଉ କରିଥିବା ପୁଲିସ୍ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କୁ ଏସ୍‌ପି ଜେରା କରିଥିବା ଜଣାପଡ଼ିଛି।ଏମିତିକି ଅତିରିକ୍ତ ଏସ୍‌ପି ତଦନ୍ତ କରିବା ସମୟରେ କଣ୍ଟାବାଞ୍ଜି ଥାନାରୁ ୧୩ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ମିଳିଥିବା ସୂଚନା ମିଳିଥିଲା।  ହେଲେ ପ୍ରକୃତରେ ଲଜ୍‌ରୁ କେତେ ଟଙ୍କା ମିଳିଥିଲା ସେ ନେଇ ଏ ଯାଏ କିଛି ସ୍ପଷ୍ଟ ହୋଇପାରିନି। ଏହି ଘଟଣାରେ ଆହୁରି ଅଧିକ ଟଙ୍କା ହେରଫେର ହେଉଥିବା ସୂଚନା ମିଳୁଛି।  ଇଟାଭାଟି ମାଲିକ କ’ଣ ପାଇଁ ଏତେ ଟଙ୍କା ଧରି କଣ୍ଟାବାଞ୍ଜି ଆସିଥିଲେ ତାହାର ତଦନ୍ତ କରୁଛନ୍ତି ବଲାଙ୍ଗିର ଏସ୍‌ପି।

 ଏପରି ଚାଞ୍ଚଲ୍ୟକର ଘଟଣାରେ ଗିରଫ ୭ ଇଟାଭାଟି ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ଜାମିନରେ ବାହାରି ଆସିଥିଲେ। ହେଲେ ସେମାନଙ୍କୁ କଣ୍ଟାବାଞ୍ଜି ଛାଡ଼ି ନ ଯିବାକୁ କୁହାଯାଇଥିଲା।   ଆଜି ୨ ସର୍ଦ୍ଦାରଙ୍କ ସମେତ ୭ ଇଟାଭାଟି ମାଲିକଙ୍କୁ ବଲାଙ୍ଗିର ଅଣାଯାଉଛି। ଏସ୍‌ପି ନିଜ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚରା କରିବେ ବୋଲି ଜଣାଯାଇଛି। ତେବେ ବଲାଙ୍ଗିର ଏସ୍‌ପି କେବେ  ସାମ୍ବାଦିକ ସମ୍ମିଳନୀ କରି ଏହି ମହାଘୋଟଲା ଉପରୁ ପରଦା ହଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ବଲାଙ୍ଗିର ଜିଲ୍ଲା ରେ ଓ ରାଜ୍ୟ ସାରା ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.