ବଲାଙ୍ଗିର :-
କଣ୍ଟାବାଞ୍ଜିର ଏକ ଲଜ୍ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ । ଏ,ସ୍.ପି ନୀତିନ କୁଶଳ କର କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି । ଅର୍ଥାତ କୋଟିଏରୁ ଅଧିକ ଟଙ୍କା ଜବତ କରିଥିଲେ ବି କଣ୍ଟାବାଞ୍ଜି ଏସ୍ଡିପିଓ ଜାଲିଆତି କରି ଜବତ ତାଲିକାରେ ୫୮ ଲକ୍ଷ ୫୨ ହଜାର ଟଙ୍କା ଦର୍ଶାଇଥିଲେ ମିଡିଆ ଆଗରେ । କେବଳ ଏତିକି ନୁହେଁ, ଗିରଫ ହୋଇଥିବା ତେଲେଙ୍ଗାନାର ଇଟାଭାଟି ମାଲିକଙ୍କୁ ଜୁଆଡ଼ି ବୋଲି ଦର୍ଶାଇଥିଲେ ଏସ୍ଡିପିଓ । ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପିଙ୍କ ସ୍କାନର୍ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।
କଣ୍ଟାବାଞ୍ଜି ଏସ୍ଡିପିଓ ଗତକାଲି ଛାତି ଫୁଲାଇ ବର୍ଣ୍ଣନା କରିଥିଲେ କେମିତି ହୋଇଥିଲା ରେଡ୍ । କେମିତି ଧରିଥିଲେ ୭ ଜୁଆଡିଙ୍କୁ । ୫୮ ଲକ୍ଷରୁ ଅଧିକ ଟଙ୍କା କେମିତି ଜବତ କରିଥିଲା ପୋଲିସ, ମିଡିଆ ଆଗରେ ତାହା ବର୍ଣ୍ଣନା କରିଥିଲେ । କେବଳ ଏତିକି ନୁହେଁ ଆଇନ ତାବାଟରେ ଯିବ, ପୋଲିସ ତଦନ୍ତ ବାଟବଣା ହେବ ନାହିଁ ବୋଲି ଦମ୍ଭୋକ୍ତି ଶୁଣାଇଥିଲେ ଏସ୍ଡିପିଓ ହୃଷିକେଶ ମେହେର । କିନ୍ତୁ ଏସ୍ଡିପିଓଙ୍କ ତଥ୍ୟ ଆଉ ତାଙ୍କ ଭୂମିକା ଏବେ ବିବାଦର କାଠଗଡ଼ାରେ । ମିଡିଆ ସାମ୍ନାରେ ପୋଲିସ ଥାନା ଟେବୁଲ ଉପରେ ଥୁଆ ହୋଇଥିବା ପୁଳା ପୁଳା ଜବତ ନୋଟ୍କୁ ଏସ୍ଡ଼ିପିଓ ଦର୍ଶାଇଥିଲେ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା । ଆଉ ଗିରଫ ୭ ଅଭିଯୁକ୍ତଙ୍କୁ ଜୁଆଡ଼ି ବୋଲି ଦର୍ଶାଇଥିଲେ ଏସ୍ଡିପିଓ । ତେବେ ପୋଲିସର ଏଭଳି ତଥ୍ୟକୁ ନେଇ ଗତକାଲି ପ୍ରଶ୍ନ ଉଠାଇଥିଲା ଓଟିଭି । ଏହି ଖବର ପରେ ଯାଞ୍ଚ ପାଇଁ ବିଳମ୍ବିତ ରାତିରେ ଥାନାକୁ ଯାଇଥିଲେ ବଲାଙ୍ଗିର ଅତିରିକ୍ତ ଏସ୍ପି । ଧରାପଡ଼ିଥିଲା ଏସ୍ଡିପିଓ ହୃଷୀକେଶ ମେହେର ଙ୍କ ମିଛ । ଥାନାରେ ଥିବା ଏକ ବ୍ୟାଗ୍ ଭିତରରୁ ମିଳିଲା ଆହୁରି ୧୩ ଲକ୍ଷ ଟଙ୍କା । ତେବେ ଏ ସମ୍ପର୍କରେ କିନ୍ତୁ ଓଟିଭିକୁ ଅତିରିକ୍ତ ଏସ୍ପି କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ଆଜି ସକାଳେ ବଲାଙ୍ଗିର ଏସ୍.ପି ନୀତିନ କୁଶଳ କର ସ୍ୱୀକାର କରିଥିଲେ ଜବତ ଟଙ୍କା ପରିମାଣରେ ଜାଲିଆତି ହୋଇଛି । ସେପଟେମ୍ବର ୧୫, ସମୟ ରାତି ପ୍ରାୟ ୨ଟା । ତେଲେଙ୍ଗାନାର ୭ଜଣ ଲୋକ ଆସି କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍ରେ ରହୁଥିବା ନେଇ କଣ୍ଟାବାଞ୍ଜି ଆଇ.ଆଇ.ସିଙ୍କ ଠାରୁ ଖବର ପାଇ ପହଞ୍ଚିଥିଲେ ଏସ୍ଡିପିଓ ହୃଷିକେଶ ମେହେର । ରୁମ୍ ନମ୍ବର ୫ ଓ ୭ରେ ରେଡ୍ କରି ୭ ଜଣ ଅଭିଯୁକ୍ତଙ୍କ ସହିତ ଏକ ବ୍ୟାଗକୁ ଥାନାକୁ ନେଇଥିଲେ ଏସ୍ଡିପିଓ ହୃଷୀକେଶ ମେହେର । ଆଉ କହିଥିଲେ ୭ ଜୁଆଡ଼ିଙ୍କୁ ଧରିବା ସହ ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛୁ । କିନ୍ତୁ ପୋଲ ଖୋଲିଦେଲେ କଣ୍ଟାବାଞ୍ଜି ହୋଟେଲ ମ୍ୟାନେଜର । ସେମାନେ ଜୁଆଡ଼ି ନୁହଁନ୍ତି ବରଂ ଇଟାଭାଟି ମାଳିକ । ସବୁବର୍ଷ ଭଳି ଏବର୍ଷ ବି ଶ୍ରମିକ ଚାଲାଣ ପାଇଁ ଆସିଥିଲେ । ଏହାପରେ ଏସ୍.ଡି.ପି.ଓ ହୃଷୀକେଶ ମେହେର ଙ୍କ ଭୁମିକାକୁ ନେଇ ଉପୁଜିଥିଲା ଆଶଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଲଜରୁ ପୋଲିସ ୧ କୋଟି ୭ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଜବତ କରିଛି । ତେବେ ବଳକା ଟଙ୍କା ଏବେ କେଉଁଠି ? କାହିଁକି ଦାଦନ ଚାଲାଣକାରୀଙ୍କୁ ଜୁଆଡ଼ି ଦର୍ଶାଇଥିଲେ ହୃଷୀକେଶ ମେହେର ଏସ୍ଡିପିଓ ? ଏଭଳି ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପି ନୀତିନ କୁଶଳ କର କହିଛନ୍ତି । ବଲାଙ୍ଗିର ଅତିରିକ୍ତ ଏସ୍ପିଙ୍କ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ମାନଙ୍କ ସାମନାରେ ପ୍ରକାଶ କରିଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍