ସମ୍ବଲପୁର :-
ସମ୍ବଲପୁର ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣ ଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା’ ଙ୍କର ଏହି ବେଶକୁ ଗଙ୍ଗା ବେଶ ବୋଲି କୁହାଯାଇଥାଏ ।
ଆଶ୍ଵିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ଵରୀ ଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । ଏହିଦିନ ଦୁତିବାହାନ ପୂଜା କରାଯାଇଥାଏ । ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର, ଗଙ୍ଗାଜଳରେ ମା’ଙ୍କ ସ୍ନାନ ପରେ ନଅ ପ୍ରକାରର ଭୋଗଲାଗି କରାଯାଇଥାଏ । ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟା ରେ ମନ୍ଦିର ବନ୍ଦ କରାଯାଏ । ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ଵରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି । ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ଵରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ଵରୀ ବେଶରେ ଦେବୀ ଦର୍ଶନ ଦିଅନ୍ତି। ପୂର୍ଣ୍ଣିମା ରାତି ମନ୍ଦିରରେ ନୂତନ ଧ୍ଵଜା ସ୍ଥାପନ କରାଯାଏ।
ଏହି ଅବସରରେ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ । ଏହି ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟାପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥାଏ। ମା’ ଙ୍କ ନିକଟରେ ଯେଉଁ ସ୍ୱତନ୍ତ୍ର ଭୋଗ ଲଗାଯାଏ ତାହା ବର୍ଷର ଅନ୍ୟ କୌଣସ ଦିନ ମା’ ଙ୍କୁ ଅର୍ପଣ କରାଯାଏ ନାହିଁ ।ଧବଳମୁଖୀ ଦର୍ଶନ କରିଥିବା ଭକ୍ତଙ୍କୁ ସମଲେଇଙ୍କ ପ୍ରିୟଭୋଗ ମୁଗବରା ପ୍ରସାଦ ବଣ୍ଟନ କରାଯାଏ।ଆଜି ଦିନ ଟା ପାଇଁ ପଶ୍ଚିମ ଓଡ଼ିଶା ତଥା ରାଜ୍ଯ ସାରା ଚର୍ଚ୍ଚିତ ହୋଇ ଛନ୍ତି ମା ପୂର୍ବ କାଳ ରୁ।


