Type Here to Get Search Results !

ବିଭିନ୍ନ ଗଣମାଧ୍ୟମର ଆଶଙ୍କା ସତ୍ୟ, ପୁଲିସ ମୁଖ୍ୟାଳୟକୁ କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେର ଙ୍କ ବଦଳି


ବଲାଙ୍ଗିର :-

କଣ୍ଟାବାଞ୍ଜି ଲଜରୁ କୋଟିଏରୁ ଅଧିକ ଟଙ୍କା ଜବତ ଘଟଣାରେ ବଲାଙ୍ଗିର ପୁଲିସ ହରଡ଼ଘଣାରେ ପଡିଛି। ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ପୁଲିସ ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛି। ଇତି ମଧ୍ୟରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ବୋଲି ଆଜି ଏସପି ନୀତିନ କୁଶଳକର ସ୍ପଷ୍ଟ କରିଛନ୍ତି। ତେବେ ଏସଡିପିଓଙ୍କ ବଦଳି ଖବର ଆଜି କେବଳ ପ୍ରମେୟରେ ପ୍ରକାଶିତ ହେବାପରେ ଏସପି ସେନେଇ ସ୍ପଷ୍ଟ କରିଛନ୍ତି। ଏବେ ସେ କେବଳ ଅଫିସିଆଲ କାମ ସମ୍ଭାଳିବେ। ଅନ୍ୟ ତଦନ୍ତରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଏସପି କହିଛନ୍ତି।

 ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, କଣ୍ଟାବାଞ୍ଜି ଲଜ୍‌ରେ ରାତିଅଧିଆ ଚଢ଼ଉ କରି ଟଙ୍କା ଜବତ ମାମଲାରେ ତଦନ୍ତକାରୀ ପୁଲିସ ବିରୋଧରେ ପ୍ରାୟ ଅଧକୋଟି ଟଙ୍କାର ହେରଫେର ଅଭିଯୋଗ ଆସିଛି । ଏପରିକି ଲେବର ଲାଇସେନ୍ସଧାରୀ ସର୍ଦ୍ଦାର ଓ ଇଟାଭାଟି ମାଲିକଙ୍କୁ ଜୁଆଡି ସଜାଇ ମିଛ ବି କହିଛି । ଆଶ୍ଚର୍ଯ୍ୟର ବିଷୟ, ମାମଲାକୁ ଇତିମଧ୍ୟରେ ୭୨ଘଣ୍ଟା ବିତିଯାଇଥିଲେ ହେଁ ପୁଲିସ ନିଜ ପକ୍ଷ ରଖିନାହିଁ । ବିବାଦୀୟ ଏସଡ଼ିପିଓଙ୍କଠାରୁ ଆରମ୍ଭ କରି ଏସପି, ଡିଆଇଜି କେହି ହେଲେ ଫୋନଗ୍ରହଣ କରୁନାହାନ୍ତି । ଶେଷରେ ଲୋକଙ୍କ ପାଇଁ ସାହସ ପାଲଟିଥିବା ପୁଲିସ ଏବେ ୪୨୦ର କଳଙ୍କ ମୁଣ୍ଡାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ରବିବାର ସଂଧ୍ୟାରେ ବିବାଦୀୟ ଏସଡ଼ିପିଓ ହୃଷିକେଶ ମେହେରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡ଼ିଛି ସୂଚନାଯୋଗ୍ୟ ଯେ, ଶନିବାର ସଂଧ୍ୟାରେ ଏସ୍‌ପି ନୀତିନ କୁଶଲକର କଣ୍ଟାବାଞ୍ଜି ଏସଡ଼ିପିଓ ହୃଷିକେଶ ମେହେର, ଆଇଆଇସି ବାମଦେବ ଶଙ୍ଖୁଆଳ, ଏଏସଆଇ ମନୋଜ ବିଶି, କନେଷ୍ଟବଳ ଚନ୍ଦ୍ରଶେଖର ବାବୁଙ୍କୁ ପଚରାଉଚରା କରିଥିଲେ । ରବିବାର ସକାଳୁ ଏସଡ଼ିପିଓ ଶ୍ରୀ ହୃଷୀକେଶ ମେହେରଙ୍କୁ କୌଣସି ଅପରାଧଜନିତ ମାମଲାର ତଦନ୍ତ କିମ୍ବା ହସ୍ତକ୍ଷେପ ନକରିବାକୁ ନିର୍ଦ୍ଦେଶ ଥିବା ସହ ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ଅପରପକ୍ଷେ ରବିବାର ଦିନତମାମ ଏସଡିପିଓ ଶ୍ରୀ ହୃଷୀକେଶ ମେହେର ଥାନାକୁ ମଧ୍ୟ ଆସିନଥିଲେ । ପୁଲିସ ଶ୍ରୀ ହୃଷୀକେଶ ମେହେରଙ୍କ ଦୁଇ ଅନ୍ତରଙ୍ଗ ବନ୍ଧୁ ଥିବା ଜଣେ ଆରଟିଓ ଏଜେଣ୍ଟ ଏବଂ ଜଣେ ବ୍ୟବସାୟୀଙ୍କୁ ଥାନାରେ ପଚରାଉଚରା କରୁଛି । ସେହିପରି ବିଳମ୍ବିତ ରାତିରେ ବ୍ୟକ୍ତଗତ ମୁଚାଲିକାରେ ଛାଡ଼ି ଦେଇଥିବା ୭ଜଣ ଦାଦନ ସର୍ଦ୍ଦାରଙ୍କ ମଧ୍ୟରୁ ୩ଜଣଙ୍କୁ ପୁଣି ଥାନାକୁ ଡ଼କାଇ ପୁଲିସ ପଚରାଉଚରା କରୁଥିବା ଜଣାପଡିଛି । କିନ୍ତୁ ପୁଲିସ ଉପର ଠାଉରିଆ ତଦନ୍ତ ଦେଖାଇ ହେରାଫେରି ହୋଇଥିବା ଟଙ୍କା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଉନାହିଁ । ୫୮ଲକ୍ଷ ଟଙ୍କା ପରେ ଆଉ କେତେ ଟଙ୍କା ଉଦ୍ଧାର ହୋଇଛି? କେଉଁଠୁ ହୋଇଛି? କିଏ ଲୁଚାଇଥିଲା ସେନେଇ କୌଣସି ସୂଚନା ଦେଉନାହାନ୍ତି । ଯେଉଁଥିରୁ ଅଧକୋଟି ଟଙ୍କା ଲୁଚା ଯାଇଥିବା ସ୍ପଷ୍ଟ ହେଉଛି । କାରଣ ପୁଲିସ କେବେ ହେଲେ ଏତେ ପରିମାଣର ଟଙ୍କା ଥାନାରେ ଲୁଚାଇବ ନାହିଁ । ସେ ତାଙ୍କର କେତେକ ସମ୍ପର୍କୀୟ, ବନ୍ଧୁ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରେ ଲୁଚାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଅପରପକ୍ଷେ, ଗିରଫ ଅଭିଯୁକ୍ତମାନଙ୍କୁ ବେଲପଡାର ଦାଦନ ସର୍ଦ୍ଦାର ରାଜାରାମ ନାଏକ ଓ ଲାଠୋରର ସର୍ଦ୍ଦାର ମଦନ ମାଝି ଜିମାରେ ଥାନାରୁ ନେଇଥିଲେ । ପରେ କଣ୍ଟାବାଞ୍ଜିର ଜଣେ ବିଜେପି ନେତା ସେମାନଙ୍କୁ ନେଇ ଫାର୍ମହାଉସରେ ରଖିବାର ବ୍ୟବସ୍ଥା କରିଥିଲେ, ଯାହାର ଭିଡ଼ିଓ ଭାଇରାଲ ହେଉଛି । ଅବଶ୍ୟ ପୁଲିସ ଏବେ ନିଜ ଛବି ସୁଧାରିବାକୁ ଚେଷ୍ଟା ଚଲେଇଛି । 

ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଏସପି ନୀତିନ କୁଶଲକରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ । ପରେ ଏନେଇ ଉତ୍ତରାଞ୍ଚଳ ଡିଆଇଜି ଡା.ଦୀପକ କୁମାରଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ହେଁ ସେ ମଧ୍ୟ ଫୋନ ଗ୍ରହଣ କରିନଥିଲେ । ଯେଉଁଥିରୁ ପୁଲିସ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାରେ ପଛେଇଥିବା ସ୍ପଷ୍ଟ ହେଉଛି । ଅପରପକ୍ଷେ ଏହି ମାମଲାରେ ଅଧିକାରୀଙ୍କ ପରିବର୍ତ୍ତେ ଦୁଇ ତଳିଆ କର୍ମଚାରୀଙ୍କ ଭୁଲ କହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.