ସ୍ପେସିଆଲ୍ ରିପୋର୍ଟ :-
ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ମହାପ୍ରଭୁଂକ ଦେଉଳ ବାହୁଡ଼ା କୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ।
ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି -
“ ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥" ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।
ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ ।ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା଼ ୟାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ବ୍ୟୁରୋ ରିପୋର୍ଟ



