ପୁରୀ :-
କୋଟି କୋଟି ଓଡିଆଙ୍କ ମଉଡମଣି ତଥା ଜଗତର ନାଥ ଜଗନ୍ନାଥ ଙ୍କ ଆଜି ଘୋଷ ଯାତ୍ରା। ବଡ଼ଭାଇ ବଳଭଦ୍ର, ସାନ ଭଉଣୀ ସୁଭଦ୍ରା, ଆୟୁଧ ସୁଦର୍ଶନ ଙ୍କୁ ସାଙ୍ଗରେ ନେଇ ଆଜି ପ୍ରଭୁ ବାହାରିଛନ୍ତି ନିଜ ଜନ୍ମଭୂମି ଗୁଣ୍ଡିଚା ମନ୍ଦିରକୁ। କଥା ଦେଇଥିଲେ ଗୁଣ୍ଡିଚା ରଣୀଙ୍କୁ। ବର୍ଷକ ଥରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦୂତୀଆ ତିଥିରେ ବଡ଼ ଦାଣ୍ଡ କୁ ଆସି ପତିତ ଉଦ୍ଧାର କରି ଯିବେ ଗୁଣ୍ଡିଚା ମନ୍ଦିରକୁ। ଆଜି ସେଇ ପତିତପାବନ ରଥ ଯାତ୍ରା। ତେବେ ଆସନ୍ତୁ ଜାଣିବା ରଥଯାତ୍ରା ବିଷୟରେ ଅଧିକ ସୂଚନା।
ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରାଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ ।
ନୀଳାଦ୍ରି ମହୋଦୟ ୫ମ ଅଧ୍ୟାୟ ୨୯ ଶ୍ଳୋକ
'ସମ୍ଭାରାନ ରୁଚିରାନ କୃତ୍ୱା ରଥତ୍ରୟମତଃ ପରମ୍ ।
ନାନାଳଙ୍କାର ସଂଯୁକ୍ତଂ ଦିବ୍ୟାମ୍ବର ସୁମଣ୍ଡିତମ୍'
ଅର୍ଥାତ ସ୍ୱର୍ଣ୍ଣପୁରୀରେ ଦେବଦୂତ ଦ୍ୱୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲେ ।
'ନିର୍ମମେ ନାରଦୋକ୍ତୋ ତଚ୍ଚକ୍ରୈଃ ସଂଯୁକ୍ତମାୟସୈଃ ।
ନାନାରତ୍ନସମୁଲ୍ଲାସଂ ହୈମଂ ଚାରୁତରଂ ଦ୍ୱିଜାଃ'
ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ । ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ । ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା । ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡି଼କ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ। ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କଦ୍ୱାରା ସମାପିତ ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ( ଖେଚେଡି଼ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ। ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ି଼ଥାଏ। ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି। ଜଗମୋହନଠାରେ ଘଣ୍ଟ , ପକାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ। ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ପହଣ୍ଡି ଦେଖିବା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ଦର୍ଶନ ଟିକେଟ ବିକ୍ରୟ କରାଯାଇ ଦର୍ଶନାର୍ଥୀମାନଙ୍କୁ ମନ୍ଦିର ପରିସରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥାଏ। ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ। ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡା଼କ ଦେଇଥାନ୍ତି। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲିଙ୍ଗି) ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଇଥାଏ। ରଥ ଉପରେ ରୁନ୍ଧା, ଫୁଲମାଳ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢ଼ିବା ସଙ୍ଗେ ସଙ୍ଗେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି। ଏହା ପରେ ପାରମ୍ପାରିକ ନୀତିରେ ଗଜପତି ମହାରାଜାଙ୍କଦ୍ୱାରା ଛେରାପହଁରା ନୀତି ସମାହିତ ହୋଇଥାଏ। ଏଥି ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି। ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡ଼ା଼ ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି଼ ଲଗାଯାଇ ରଥଟଣା ହୋଇଥାଏ।
ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ । ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଗତ କିଛି ବର୍ଷ ଧରି ଏହି ଦଉଡ଼ି ରାଜ୍ୟ କେରଳ କଏର ନିଗମରୁ ଆଣାଯାଉଅଛି। ପୂର୍ବରୁ କଲିକତା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା। ଦଉଡ଼ିର ମାପ ଓ ସଂଖ୍ୟା ନିମ୍ନରେ ଉଲ୍ଲେଖ କରାଯାଇଛି।
୮ ଇଞ୍ଚ ଗୋଲାଇ ବିଶିଷ୍ଟ ୨୨୦ ଫୁଟ୍ ଲମ୍ବର ୧୨ ଗୋଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ।
୩ ଇଞ୍ଚ ଗୋଲାଇ ବିଶିଷ୍ଟ ୪୫୦ ଫୁଟ୍ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ।
୨୨୦ ଫୁଟ୍ ଲମ୍ବର ଏକଗୋଟି ଦଉଡି ଜରୁରୀ ଆବଶ୍ୟକତା ପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।
ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ। ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା’ ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ । ପ୍ରତି ରଥ ଉପରେ ଶ୍ରୀମନ୍ଦିର ପୋଲିସ କର୍ମଚାରୀ (ବରକନ୍ଦାଜ) ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସାହାହର୍ଯ୍ୟ କରିଥାନ୍ତି । ଯଦି ଗୋଟିଏ ଦିନରେ ରଥ ତିନିଟି ଯାକ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ତହିଁପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାଏ ।


