ଝାରସୁଗୁଡ଼ା :-
ଜିଲ୍ଲାରେ ଟ୍ରକ୍ ଦୁର୍ଘଟଣା ହ୍ରାସ ପାଇଁ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ଓ ବ୍ରଜରାଜନଗର ଟ୍ରକ୍ ସଂଘ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଞ୍ଚଳିକ ପରିବହନ ଅଧିକାରୀ ଓ ଟ୍ରକ୍ ସଂଘ ସଭାପତି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ବ୍ରଜରାଜନଗର ନଗର ରାସ୍ତା ୯ନମ୍ବର ଠାରେ ଏହି ଟର୍ମିନାଲ ୩ ଏକର ୩୫ ଡିସମିଲ୍ ପରିମିତ ଜାଗାରେ ପ୍ରତିଷ୍ଠା କରାଯାଇଥିବା ବେଳେ ଟର୍ମିନାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନରୁ ୨କୋଟି ୯୭ଲକ୍ଷ ୪୦ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଚୁକ୍ତିନାମା ଅନୁଯାୟୀ ଆଗାମୀ ଜୁଲାଇ ମାସ ୧୫ତାରିଖ ଠାରୁ ଉକ୍ତ ରାସ୍ତାରେ ଟ୍ରକ ଗୁଡିକର ପାର୍କିଂ ପାଇଁ ଟର୍ମିନାଲ ବ୍ୟବହୃତ ହେବ । ରାସ୍ତା ପାର୍ଶ୍ୱରେ କୌଣସି ଟ୍ରକ୍ ପାର୍କିଂ କରାଯିବ ନାହିଁ । ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ସରୋଜ କୁମାର ସାମଲ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାର୍କିଂ ଜନିତ ସମସ୍ୟାରୁ ଦୁର୍ଘଟଣା ଘଟୁଥିବା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଦୁର୍ଘଟଣା ହ୍ରାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି , ଟ୍ରକ ସଂଘ ସଭାପତି ଦେବ ପ୍ରସାଦ ଦାଶ , ଉପ ସଭାପତି ଅରୁଣ ଯାଦବ , ସମ୍ପାଦକ ରାଜା ପୁରୋହିତ , ଯୁଗ୍ମ ସମ୍ପାଦକ ମଧୁସୂଦନ ସିଂ , କୋଷାଧ୍ୟକ୍ଷ ରାଜୀବ ସିଂ ଓ ଅନ୍ୟାନ୍ୟ କର୍ମକର୍ତ୍ତା , ଡି ଏମ୍ ଏଫ୍ ଟିମ୍ ଲିଡର ନଳିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

