Type Here to Get Search Results !

ଗୋପବନ୍ଧୁ ତିରୋଧନ ସଭା ରେ ଆଲୋଚନାଚକ୍ର

 

ଝାରସୁଗୁଡ଼ା : - 

ପ୍ରତ୍ୟେକ ବ୍ୟକ୍ତି ଅଥବା ସଂଗଠନ ସମାଜରୁ ଯେତିକି ପାଉଛି ସେଥିରୁ ଏକ ନିର୍ଦିଷ୍ଟ ପ୍ରତିଶତ ସମାଜକୁ ଫେରସ୍ତ କରିବା ନିତାନ୍ତ ଜରୁରୀ । ତେବେ ସାମାଜିକ ଦାୟିତ୍ବବୋଧ ଶିଳ୍ପାନୁଷ୍ଠାନ କ୍ଷେତ୍ରରେ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କାରଣ ଯଦିଓ ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠିତ ହେଉଛି ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ପ୍ରଦୂଷଣ ଓ ପ୍ରକାରାନ୍ତରେ ବିବିଧ ରୋଗର କାରଣ ପାଲଟୁଛି । ଏହି କାରଣ ହେତୁ ସ୍ଥାନୀୟ ବିକାଶରେ ଶିଳ୍ପାନୁଷ୍ଠାନର ପାରିପାର୍ଶ୍ବିକ ସାମାଜିକ ଦାୟିତ୍ବବୋଧର ଉଲ୍ଲେଖନୀୟ ଭୂମିକା ରହିବା ନିତାନ୍ତ ଆବଶ୍ୟକ ଯାହାକି କ୍ଷତିଗ୍ରସ୍ତ ଲୋକଙ୍କୁ କିଛି ଟା ଆଶ୍ବସ୍ତିକର ହୋଇପାରେ । ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ତିରୋଧାନ ଦିବସ ଏବଂ ସେବା ଓ ସେବକ ସପ୍ତାହର ଉଦ୍‌ଘାଟନୀ ସଭା ରେ ‘ଶିଳ୍ପାନୁଷ୍ଠାନର ସାମାଜିକ ବିକାଶ ଓ ଝାରସୁଗୁଡ଼ା ବିକାଶ’ ଶୀର୍ଷକରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତାମାନେ ଏହା କହିଛନ୍ତି । ବୁଧବାର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତ​‌ାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହ ଓ ଆଲୋଚନାଚକ୍ରରେ ଶିକ୍ଷାବିତ୍ ଡ.ସୁଦର୍ଶନ ପାଣିଗ୍ରାହୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ପ୍ରଫେସର ଟହଲୁ ସାହୁ ବିଶିଷ୍ଟ ଅତିଥି, ଶିକ୍ଷାବିତ ବଲବିନ୍ଦର କୌର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ‘କର୍ପୋରେଟ’ ଶବ୍ଦର ବ୍ୟାଖ୍ୟା କରିବା ସହ​‌ ସାମାଜିକ ଦାୟିତ୍ବବୋଧର ଆବଶ୍ୟକତା ଉପରେ ଆଲୋକପାତ କରୁଥିଲେ । ଏହାସହିତ ଝାରୁସୁଗୁଡ଼ା ଜିଲାରେ ଶିଳ୍ପ ପ୍ରଦୂଷଣର ଭୟାବହତା ବାବଦରେ ଆଲୋଚନା କରି ବିଭିନ୍ନ କମ୍ପାନୀର ସାମାଜିକ ଦାୟିତ୍ବବୋଧ ପ୍ରତି ଆଭିମୁଖ୍ୟ ସଂକ୍ରାନ୍ତରେ ଚର୍ଚ୍ଚା କରିଥିଲେ । ଅଧ୍ୟାପିକା ଡ.ସ୍ନେହଲତା ମିଶ୍ର ଭିତ୍ତିପ୍ରବନ୍ଧ ପାଠ କରି ଶିଳ୍ପାନୁଷ୍ଠାନ ସାମାଜିକ ଦାୟିତ୍ବବୋଧର ଇତିହାସ ଓ ଅଧିନିୟମ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରାରମ୍ଭରେ ‘ସମାଜ’ ଜିଲା ପ୍ରତିନିଧି ସ୍ବାଗତଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ ତପନ ବାରିକ ପ୍ରାରମ୍ଭୀକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ଡ.ସ୍ବର୍ଣ୍ଣମୟୀ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ କବି ଅନ୍ତରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସହରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, କବ କବୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଂଗ୍ରାମ ସାଏ ଓ କୀର୍ତ୍ତିଚନ୍ଦ୍ର ବହିଦାର ପରିଚାଳନାରେ ସହାୟତା କରିଥିଲେ । 

ଏହାପୂର୍ବରୁ ବୁଧବାର ସକାଳ ୮ଟାରେ କୋଲାବିରା ଠାରେ ତିଳତର୍ପଣ କରି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ଝାରସୁଗୁଡ଼ା ଟାଉନ ହଲ ପରିସରସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବ୍ରଜରାଜନଗର ଇଏସଆଇ ଛକରେ ସହରର ବୁଦ୍ଧିଜୀବୀ ମାନଙ୍କ ଦ୍ବାରା ମାଲ୍ୟାର୍ପଣ ଓ ବେଲପାହାଡ଼ରେ ଟିଆରଏଲ କ୍ରୋସାକି କର୍ତ୍ତୃପକ୍ଷ, ବୁଦ୍ଧିଜୀବୀ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଗହଣରେ ମାଲ୍ୟାର୍ପଣ କରାଯାଇଥିଲା । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.