ବଲାଙ୍ଗିର :-
ଚାଷ ଆରମ୍ଭ କରିବା ଦିନରୁ ବିଭିନ୍ନ ଉପାୟରେ ରାଜ୍ୟ ସରକାର ଓ ତାଙ୍କ କର୍ମଚାରୀ ଶୋଷଣ କରି ଚାଲିଛନ୍ତି । ବିଭାଗ ପକ୍ଷରୁ ବିହନର ଅଭାବ, ଠିକ୍ ସମୟରେ ଉପଯୁକ୍ତ ସାର ପ୍ରଦାନ ନ କରିବା, ସାରକୁ ନେଇ କଳା ବିଜାରି କରିବା, ଅମଳ ପରେ ଚାଷୀଙ୍କୁ ପଞ୍ଜିକୃତ କରିବାରେ ଚଞ୍ଚକତା କରିବା ଏପରି ଅନେକ ପ୍ରକାରେ ଚାଷୀ ମାନଙ୍କୁ କୁ ହଇରାଣ କରାଯାଉଛି । ଯେତେବେଳେ ଏତେ କଷ୍ଟ ସହି ନିଜ ଧାନକୁ ମଣ୍ଡିରେ ବିକିବାକୁ ଯାଉଛି ଚାଷୀ, ବିଭାଗକୁ ବାରମ୍ବାର ତାଗିଦ ସତ୍ତ୍ୱେ ମଧ୍ୟ ସେମାନେ କ୍ୱିଣ୍ଟାଲ ପିଛା 3 ରୁ ୫ କେଜି ପର୍ଯ୍ୟନ୍ତ କଟନି ଛଟନି କରି ଚାଷୀକୁ ତାର କଷ୍ଟ ଉପାର୍ଜିତ ଧାନ ପାଉଣାରୁ ବଂଚିତ କରୁଛନ୍ତି ବୋଲି ଗତ କାଲି ଆଗଲପୁର ବ୍ଲକ ରୋତ ସମବାୟ ସମିତି ଦ୍ୱାରା ଚାଲିଥିବା ଧାନକିଣା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ସେଠାରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭ ର ସହ କହିଛନ୍ତି । ଗତ କାଲି ମଧ୍ୟାହ୍ନ ୧୨.୩୦ମି. ସମୟରେ ଅଚାନକ ବିଧାୟକ ଶ୍ରୀ ମିଶ୍ର ରୋତରେ ଚାଲିଥିବା ଧାନକିଣା କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଯାହା ଦେଖିଲେ ସେଥିରୁ ସ୍ପଷ୍ଟ ଭାବେ ଦୁର୍ନିତିର ଗନ୍ଧ ବାରି ହୋଇ ପଡୁଥିଲା । ପଞ୍ଜିକୃତ ଚାଷୀ ତାଲିକାକୁ ନିରୀକ୍ଷଣ କଲେ ଜଣାପଡୁଥିଲା ଯେ ରୋତ ସମବାୟ ସମିତିରେ ପଞ୍ଜିକୃତ ୧୪୨ ଜଣ ଚାଷୀଙ୍କ ମଧ୍ୟରୁ ଏପରି ଅନେକ ନକଲି ଚାଷୀ ଅଛନ୍ତି ଯେଉଁମାନେ ଏ ବର୍ଷ ଧାନ ଚାଷ କରିନାହାନ୍ତି । ତେଣୁ ଏମାନଙ୍କୁ କିପରି ଭାବରେ ଦାୟିତ୍ୱରେ ଥିବା ଅଧିକାରୀମାନେ ଧାନ କିଣିବା ପାଇଁ ପଞ୍ଜିକୃତ କଲେ ।ତାହାର କିଛି ଅର୍ଥ ନାହିଁ ଓ ଏପରି ଅନେକ ନକଲି ଚାଷୀ ଧାନ ବିକିଥିବା ବେଳେ ପ୍ରକୃତ ଧାନ ଅମଳ କରିଥିବା ଚାଷୀ ପଞ୍ଜିକୃତ ହୋଇପାରିନାହାନ୍ତି । ଯଦି ବି ପଞ୍ଜିକୃତ ହୋଇଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ ତାଙ୍କ ଧାନ ବିକିବା ପାଇଁ ଟୋକନ ପାଇନାହାନ୍ତି ବୋଲି ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଶ୍ନ କଲେ ସେ ଚାଷୀଙ୍କୁ ର୍ଦୁବ୍ୟବହାର କରୁଛନ୍ତି ବୋଲି କିଛି ଚାଷୀ ଅଭିଯୋଗ କରିଥିଲେ । ଦରକାର ପଡିଲେ ଯୋଗାଣ ଅଧିକାରୀଙ୍କୁ ର୍ଦୁବ୍ୟବହାର ର ଫୋନ କଲ ରେକର୍ଡିଂ ପ୍ରମାଣ ସହ ପ୍ରଦାନ କରିବେ ବୋଲି ଉପସ୍ଥିତ ଥିବା ବହୁ ଚାଷୀ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମବାୟ ସମିତିରେ ୧୪୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୬୩ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥର ମଧ୍ୟ ଚାଷୀ ଅଭାବ ବିକ୍ରି ଶିକାର ନିଶ୍ଚିତ ଭାବରେ ହେବେ । ଠିକ୍ ସେହିପରି ବୁଦୁଲା ସମବାୟ ସମିତିରେ ମଧ୍ୟ ଶହ ଶହ କ୍ୱିଣ୍ଟାଲ ଧାନ ପଡି ରହିଛି କିନ୍ତୁ ବିଭାଗ ତରଫରୁ ସେହି ଧାନକୁ କିଣିବା କୌଣସି ପ୍ରକାର ତତ୍ପରତା ପ୍ରକାଶ କରାଯାଉନାହିଁ । ଏହାକୁ ନେଇ ଚାଷୀମାନେ ଅଭିଯୋଗ କଲା ପରେ ମଧ୍ୟ ଚାଷୀଙ୍କ ପ୍ରତି ବିଭାଗ ଦ୍ୱାରା ଏପରି ଦାୟିତ୍ୱ ହୀନତାକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ନେଇ ସେ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ନରସିଂହ ମିଶ୍ର କହିଥିଲେ । ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ଅଚାନକ ମଣ୍ଡି ପରିଦର୍ଶନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନମୋହନ ପଟେଲ, ଚିନ୍ତାମଣି ଭୋଇ, ମଧୁ ପଧାନ, କିଶୋର ପଟେଲ, ସଚିକାନ୍ତ ପଟେଲ, ସ୍ଥାନୀୟ ଚାଷୀ ଓ ସମବାୟ ସମିତିର ସଂପାଦକ ଓ ଅନ୍ୟାନ୍ୟ ଧାନକିଣା ଓ ମଣ୍ଡି କର୍ମଚାରୀ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

