ଚମ୍ପୁଆ :-
ଚଳିତ ବର୍ଷ ର ପ୍ରଥମ ପଞ୍ଚାୟତ ସମିତି ବୈଠକ ଆଜି ଚମ୍ପୁଆ ବ୍ଲକ ସଭା ଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ରମଣୀ ନାଏକ, ଉଦୟ ନାଏକ, ପ୍ରଦୀପ ପ୍ରଧାନ, ଉପାଧ୍ୟକ୍ଷ ଚମ୍ପାବତି ମହାକୁଡ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବିଡ଼ିଓ ଜ୍ୟୋସ୍ନା ନାଏକ ଓ ଏବିଡ଼ିଓ ଭାଗବତ ନାଏକ ଏହି ବୈଠକ କୁ ପରିଚାଳନା କରିଥିଲେ। ଏହି ବୈଠକରେ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇ ଥିବା ବେଳେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ର କୌଣସି ଅଧିକାରୀ ଯୋଗ ଦେଇ ନ ଥିବା ରୁ ଏହି ଦୁଇ ବିଭାଗ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଉପସ୍ଥାପନ କରା ଯାଇଥିଲା। ଏହି ବୈଠକରେ ପ୍ରତି ଦୁଇ ମାସରେ ବୈଠକ ବସିବାକୁ ବ୍ଲକ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି କରାଯାଇଥିବା ବେଳେ ବୈଠକରେ କାଳିକା ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର ର ଆଟେଣ୍ଡାଣ୍ଟ ଡେପୁଟେଶନ ରେ କେନ୍ଦୁଝର ରେ ଥିବାରୁ ଡାକ୍ତରଖାନା ରେ କାର୍ଯ୍ୟ ରେ ଅବ୍ୟବସ୍ଥା, କରଞ୍ଜିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଡ଼ାକ୍ତରଖାନା ରେ ଥିବା ରୋଗୀଙ୍କ ପାଇଁ ଉପଯୋଗୀ କ୍ୱାର୍ଟର ଜବରଦଖଲ, ଚମ୍ପୁଆ ଡ଼ାକ୍ତରଖାନା ରେ ବିନା ମୂଲ୍ୟ ରେ ରୋଗୀଙ୍କୁ ସେବା ନ ମିଳିବା ଉପରେ କରଞ୍ଜିଆ, କାଳିକା ପ୍ରସାଦ ଓ କୁଟାରିପୋଷି ସରପଞ୍ଚ ଓ ସମିତି ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥଲେ। ଜଜପଶି ପଞ୍ଚାୟତ ରେ ମାଣ୍ଡିଆ ଚାଷ ପାଇଁ ଯୋଗାଇ ଦିଆ ଯାଇଥିବା ଅନୁଦାନ କୁ ସଠିକ୍ ଢଙ୍ଗରେ ଖର୍ଚ୍ଚ ନ କରି ଜନୈକ ସ୍ୱାସ୍ଥ୍ୟ ସେବୀ ଅନୁଷ୍ଠାନ ନିଜ ମନ ମୁତାବକ ଅନୁଦାନ କୁ ଅପବ୍ୟବହାର କରୁଥିବା, କୃଷି ବିଭାଗରେ ବିଭିନ୍ନ ଯୋଜନା ସଂପର୍କରେ ଲୋକ ପ୍ରତିନିଧି କିମ୍ବା ଚାଷୀ ଜାଣିପାରୁ ନ ଥିବା ବେଳେ ବିଭାଗ ନିଜ ମର୍ଜୀ ରେ ଯୋଜନା କୁ ପରିଚାଳନା କରୁଥିବା, ବ୍ଲକ ରେ ଦୁଇ ଡଜନ ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ଭାବରେ ପଡ଼ିଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ବ୍ଲକ ରେ ବିନା ଫାଇଲରେ କାର୍ଯ୍ୟାଦେଶ ନେଇ କିଛି ସଦସ୍ୟ ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ପାଠ ପଢା ହେଉ ନ ଥିବା ନେଇ ବହୁ ସଦସ୍ୟ ଅଭିଯୋଗ କରିଥିଲେ। ୫ ଟି ରୂପାନ୍ତରିତ ଯୋଜନାରେ ଠିକାଦାର ଙ୍କୁ ବିଲ କରାଯାଉ ନ ଥିବାରୁ ଚମ୍ପୁଆ ବ୍ଲକ ରେ ୫ ଟି କାମ ଆଗେଇ ପାରୁ ନ ଥିବା ବିଷୟରେ ଖୋଦ୍ ପାଟଣା ବିଧାୟକ ଅଭିଯୋଗ ଆଣିଥିବା ବେଳେ ବୈଠକରେ କୌଣସି ବ୍ଲକ ର କନିଷ୍ଠ ଯନ୍ତ୍ରୀ ଯୋଗ ଦେଇ ନ ଥିବା ରୁ ଏହା ଉପରେ ଉଦବେଗ ପ୍ରକାଶ କରାଯିବା ସହିତ ଆଗାମୀ ବୈଠକରେ ଏପରି ଅବ୍ୟବସ୍ଥା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସେହିପରି ଚମ୍ପୁଆ ବ୍ଲକ ରେ ୧୭୨ ଟି ଗ୍ରାମ ଥିବା ବେଳେ ଗତ ୩ ବର୍ଷ ରେ ମତ୍ସ୍ୟ ବିଭାଗ ତରଫରୁ ମାତ୍ର ୮ ଟି ପୋଖରୀ ଖୋଳା ଯାଇଥିବାରୁ ସରକାରୀ ଅନୁଦାନ କୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ମତ୍ସ୍ୟ ବିଭାଗ ବିଫଳ ହେବା ନେଇ ପାଟଣା ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ନିଶା ଗାଡିଆ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ପିଲାଙ୍କୁ ଡ୍ରେସ୍, ଛତୁଆ ଖାଦ୍ୟ ଦିଆଯିବା ରେ ଅନିୟମିତତା କରାଯାଉଥିବା ନେଇ କିଛି ସଦସ୍ୟ ବୈଠକ ରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ଚମ୍ପୁଆ ବ୍ଲକ ର ସମସ୍ତ ୨୨ ଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

