Type Here to Get Search Results !

ପିଆଜ କିଲୋକୁ ୫ ଟଙ୍କା : ଅଭାବୀ ବିକ୍ରିର ଶିକାର ହେଉଛି ଚାଷି

 


ବଲାଙ୍ଗୀର :-

ପିଆଜ କିଲୋକୁ ୫ ଟଙ୍କା : ଅଭାବୀ ବିକ୍ରିର ଶିକାର ହେଉଛି ଚାଷି । ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ । କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଫଳ ମିଳୁନି । କେତେବେଳେ ପ୍ରକୃତିର ଦାଉ ତ ଆଉ କେବେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ପ୍ରାୟ ଦୁଇ ଶହ ଏକର ଜମିରେ ପିଆଜ ଚାଷ ହେଉଛି । କିନ୍ତୁ ଠିକ ସମୟରେ ସରକାରୀ ଯୋଜନାରେ ଚାଷୀଙ୍କୁ ମିଳୁନି ବିହନ କି ସାର । ଏପରିକି ଅଞ୍ଚଳରେ ପିଆଜ ଘର ନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇ କମ ଦରରେ ବିକ୍ରି କରୁଛି ପିଆଜ ଚାଷୀ । ପିଆଜ ଘର ପାଇଁ ବାରମ୍ବାର ଦାବି ହେଉଥିଲେ ବି ଫଳ ଶୂନ ।ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ପିଆଜ ଚାଷ ହୋଇଥାଏ । ତୁରେକେଲା,ଅଲଣ୍ଡା, ଯାମଖୁଣ୍ଟା,ଝଲପ,ପୁଡାପାଲିି ,ଭୁଷଲାଡ଼, କପିଲାଭଟା ଓ ଆଖ ପାଖ ଗାଁ ର ୨୦୦ ଏକର ଚାଷ ଜମିରେ ପିଆଜ ଚାଷ ହୋଇଥାଏ । ମୂଖ୍ୟତଃ ଚାଷ କାର୍ଯ୍ୟ ହିଁ ଏହି ଅଞ୍ଚଳର ଲୋକଙ୍କ ମୁଖ୍ୟ ବେଉସା । ପ୍ରାୟ ଛଅ ମାସର ପରିଶ୍ରମ କରି ଏପ୍ରିଲ ମାସରେ ପିଆଜ ଚାଷ ଅମଳ ହୁଏ । ହେଲେ ଏତେ ପରିଶ୍ରମର ଲାଭ କିଛି ନାହିଁ । କାରଣ ପିଆଜ କିଲୋ ଏବେ ପାଞ୍ଚ ଟଙ୍କା । ପିଆଜ ରଖିବା ପାଇଁ ଚାଷୀଙ୍କ ଘରେ ଜାଗା ନାହିଁ । ଯାହା ଫଳରେ ବାଧ୍ୟ ହୋଇ ସେମାନେ କିଲୋ ପିଛା ପାଞ୍ଚରୁ ଦଶ ଟଙ୍କା ଭିତରେ ବିକ୍ରି କରିଦେଉଛନ୍ତି । ଚାଷୀଙ୍କ ଅଭିଯୋଗ ସରକାରଙ୍କ ତରଫରୁ ଠିକ ସମୟରେ ଓ ସରକାରୀ ମୂଲ୍ୟରେ ବିହନ,ସାର ମିଳୁନାହିଁ ।  ପୂରା ପରିବାରର ଛଅ ମାସ ଧରି ପରିଶ୍ରମ କରି ଚାଷ କରୁଥିଲେ ବି ଲାଭ ମିଳୁନି । ଏପରିକି ପିଆଜ ଘର ପାଇଁ ଦୀର୍ଘ ବର୍ଷରୁ ଚାଷୀ ଦାବି କରୁଥିଲେ ବି ଫଳ ଶୁନ ।

 ସେପଟେ ଆଗାମୀ ଦିନରେ ଅଞ୍ଚଳରେ ପିଆଜ ଘର ଦାବି କରିଛନ୍ତି ଚାଷୀ । ନଚେତ ଚାଷୀ ଙ୍କ ଦାବି ପୂରଣ ନହେଲେ ଚାଷ କାମ ଛାଡି ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଚେତାବନୀ ଦେଇଛନ୍ତି ପିଆଜ ଚାଷୀ । ସେପଟେ ଏହି ବିଷୟରେ ବଙ୍ଗୋମୁଣ୍ଡା ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ପିଆଜ ଘର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବା । ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.